କନକ ବ୍ୟୁରୋ: ପ୍ରାୟ ଦୁଇ ଘଣ୍ଟା ଧରି ସିସିଏସ୍‌ ବୈଠକ ପରେ ପାକିସ୍ତାନକୁ ନେଇ କଡ଼ା ନିଷ୍ପତ୍ତି ନେଇଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସିସିଏସ୍‌ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଛି । ବୈଠକରେ ପାକିସ୍ତାନ ଉପରେ କଡ଼ା କଟକଣା ଲଗାଇଛି ଭାରତ । ଏହା ପାକିସ୍ତାନ ଉପରେ ପ୍ରହାର ସଦୃଶ । କାରଣ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ । ଏଣିକି ପାକିସ୍ତାନ ନାଗରିକଙ୍କୁ ଭାରତ ଆସିବା ପରେ ରୋକ ଲଗାଇଛନ୍ତି ସରକାର । 

Advertisment

ପାକିସ୍ତାନ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ଉପରେ ରୋକ୍ ଲଗାଇଛନ୍ତି ସରକାର । ଏହି କ୍ରମରେ ଅଟାରୀ ଚେକ୍‌ପୋଷ୍ଟ ବନ୍ଦ କରାଯିବ । ସେହିଭଳି ସିନ୍ଧୁ ଜଳ ବୁଝାମଣାକୁ ମଧ୍ୟ ରଦ୍ଦ କରିଛନ୍ତି ସରକାର । ବୈଦେଶିକ ମନ୍ତ୍ରାଳୟ କହିଛି ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ରହିଛି ପାକିସ୍ତାନର ହାତ । ବର୍ବର କାଣ୍ଡ ଘଟାଇବାକୁ ସୀମା ପାର୍ ହୋଇ ଆସିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏହି କ୍ରମରେ ପାକିସ୍ତାନର ଦୂତାବାସରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । 

ଏଭଳି ଭାବରେ ଭାରତ ପାକିସ୍ତାନ ପ୍ରତି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଗତକାଲି କାଶ୍ମୀରର ପହଲଗାମରେ ନୀରିହ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ଆଖି ବୁଜିଛନ୍ତି । ୨୬ଟି ପରିବାର ଆଖିରେ ଲୁହ ଦେଇଥିବା ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ସିନ୍ଧୁ ଜଳ ବୁଝାମଣା ରଦ୍ଦ ହେବାପରେ ପାକିସ୍ତାନରେ ଜଳ ସଙ୍କଟ ଦେଖାଦେବ । ସେପଟେ ସିସିଏସ୍‌ ବୈଠକରେ ସୁରକ୍ଷାବଳକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।