କନକ ବ୍ୟୁରୋ : ମୁସଲିମ୍ ସମ୍ପ୍ରଦାୟଙ୍କ ଅଧିକାର କ୍ଷୂର୍ଣ୍ଣ ହେଉଥିବା ନେଇ ଭାରତକୁ ସମାଲୋଚନା କଲେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖାମନେଇ । ଏହାର କଡା ଜବାବ ଦେଇଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ । ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଭାରତର ସଂଖ୍ୟାଲଘୁଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର ସରକାର କଡ଼ା ନିନ୍ଦା କରିଛନ୍ତି । ଏଥିସହ ନିଜ ଦେଶର ରେକର୍ଡ ଉପରେ ନଜର ପକାଇବାକୁ ପରାମର୍ଶ ଦେଇଛନ୍ତି । 

ଅୟତୁଲ୍ଲା ଖାମନେଇ ଏଭଳି ବୟାନ ଭୁଲ ତଥ୍ୟ ଉପରେ ଆଧାରିତ ଓ ଗ୍ରହଣୀୟ ନୁହେଁ । ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ଇରାନ ନିଜର ରେକର୍ଡ ଉପରେ ଧ୍ୟାନ ଦେଉ। ଇରାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଖାମେନି ଧ୍ୟାନ ଦେବା ଉଚିତ୍ ବୋଲି ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି । ମହମ୍ମଦ ଜୟନ୍ତୀ ଅବସରରେ ସୋମବାର ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖାମନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଭାରତ, ମିଆଁମାର ଓ ଗାଜାରେ ସଂଖ୍ୟାଲଘୁ ତଥା ମୁସଲିମ୍ ସମ୍ପ୍ରଦାୟଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି । ସେଇଥି ପାଇଁ ବିଶ୍ବର ସମସ୍ତ ମୁସଲିମ୍ ସମ୍ପ୍ରଦାୟ ଏକଜୁଟ ହେବାକୁ ସେ ଆହ୍ବାନ ଜଣାଇଛନ୍ତି । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ଏକ୍ସରେ ଏହାର କଡ଼ା ଜବାବ ଦେଇଛି । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ୍ଦ ସମୟରେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖାମନେଇ।