କନକ ବ୍ୟୁରୋ: ଭାରତର ଅପରେସନ୍ ସିନ୍ଦୂର ପରେ ବିଳିବିଳାଇଛି ପାକିସ୍ତାନ । ପାକିସ୍ତାନ ଭାରତର ୧୫ଟି ସହରକୁ ଟାର୍ଗେଟ୍ କରିବା ପରେ ଦୃଢ଼ ଜବାବ ଦେଇଛି ଭାରତୀୟ ବାୟୁସେନା । ଭାରତୀୟ ବାୟୁସେନାର ଏସ-୪୦୦ ଏୟାର ଡିଫେନ୍ସ ପ୍ରତିଟି ଆକ୍ରମଣକୁ ବିଫଳ କରି ଛି। ଭାରତ ଜବାବ ଦେବାକୁ ଯାଇ ରାୱଲପିଣ୍ଡି, ଲାହୋର ଓ କରାଚି ଭଳି ପ୍ରମୁଖ ସହରରେ ଘନଘନ ଆକ୍ରମଣ କରିଛି । କରାଚିରେ ସକାଳ ୧୦ଟା ବେଳେ ଡ୍ରୋନରେ ଆକ୍ରମଣ କରିଥିଲା ଭାରତ । ଆକ୍ରମଣରେ ଅନେକ ଘରର ଛାତ ଉଡ଼ିଯାଇଛି । ଯାହା ପରେ କରାଚିରେ ବ୍ଲାକଆଉଟ୍ କରାଯାଇଛି, କାରଣ ବିଦ୍ୟୁତ ତାର ବିପୁଳ ମାତ୍ରାରେ କ୍ଷତି ହୋଇଛି । ଏହାପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।
ସେହିପରି ଲାହୋରରେ ଘନଘନ ଡ୍ରୋନ୍ ଆଟାକ୍ ହୋଇଛି । ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଆମ୍ବୁଲାନ୍ସ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ପୁଲିସ ଗାଡ଼ି ଓ ଫାୟାର ଗାଡ଼ି ଚଳାଚଳ ଦେଖିବାକୁ ମିଳିଥିଲା। ଡ୍ରୋନ୍ ଆକ୍ରମଣ ପରେ ଲାହୋରରେ ଏମରଜେନ୍ସି ସାଇରନ ବାଜିଥିଲା । ଯାହା ପରେ ଯିଏ ଯୁଆଡ଼େ ପାରିଲା ଦୌଡ଼ିବାରେ ଲାଗିଲେ । ଲୋକମାନଙ୍କୁ ନିଜ ନିଜ ଘରେ ରହିବାକୁ କୁହାଯାଇଥିଲା । ଭାରତର ପାଲଟା ଆକ୍ରମଣରେ ରାୱଲପିଣ୍ଡି ଷ୍ଟାଡିୟମ ମଧ୍ୟ ବେଶ୍ କ୍ଷତିଗ୍ରସ୍ତ ହୋଇଛି । ରାୱଲପିଣ୍ଡିରେ ଗୁରୁବାର ରାତିରେ ପାକିସ୍ତାନ ସୁପର ଲିଗର ଏକ ମ୍ୟାଚ୍ ଖେଳାଯିବାର ଥିଲା । ଯେଉଁଥିରେ ପେଶାୱର ଓ କରାଚି ମୁହାଁମୁହିଁ ହେବା ନେଇ ଧାାର୍ଯ୍ୟ ହୋଇଥିଲା । କିନ୍ତୁ ମ୍ୟାଚକୁ କରାଚୀକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଲାହୋରର ଗଦାଫି ଷ୍ଟାଡିୟମରେ ହୋଇଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ଲାହୋର, କରାଚି, ରାୱଲପିଣ୍ଡି ନୁହେଁ, ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମଧ୍ୟ ଆକ୍ରମଣ କରିଛି ଭାରତ ।
ଜାରି ରହିଛି ଭାରତର ଅପରେସନ୍ ସିନ୍ଦୂର । ଭାରତର ଅପରେସନ୍ ସିନ୍ଦୂର ଏବେ ରାୱଲପିଣ୍ଡିରେ ପହଞ୍ଚିଛି । ରାୱଲପିଣ୍ଡିରେ ଘନଘନ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ରାୱଲପିଣ୍ଡି ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବ ସିଧାସଳଖ ଆଜି ହେବାକୁ ଥିବା ପିଏସଏଲ ମ୍ୟାଚ ଉପରେ ପଡ଼ିଛି । ଫଳସ୍ବରୂପ ରାୱଲପିଣ୍ଡିରେ ହେବାକୁଥିବା ମ୍ୟାଚ୍ ଗୁଡ଼ିକ କରାଚିରେ ଖେଳାଯିବ । ଯଦିଓ ଏନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । କିନ୍ତୁ କୁହାଯାଉଛି, ରାୱଲପିଣ୍ଡି ଷ୍ଟାଡିୟମରେ ମ୍ୟାଚ୍ ହେବା ସମ୍ଭବ ନୁହେଁ ।