କନକବ୍ୟୁରୋ : ଆତଙ୍କବାଦ ବିରୋଧରେ ଭାରତ ଟାଣିଛି ନୂଆ ଲକ୍ଷ୍ମଣରେଖା । ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନ ସୀମାରୁ ୩୦୦ କିଲୋମିଟର ଭିତରେ ପଶି ଆତଙ୍କୀ ଆଡ୍ଡାକୁ କରାଗଲା ଧ୍ବଂସ । ପ୍ରତ୍ୟେକ ଥର ଭାରତ ମିତ୍ରତାର ହାତ ବଢାଉଥିବା ବେଳେ ଶତ୍ରୁର ଆଚରଣ କରିଆସିଛି ପାକିସ୍ତାନ । ବର୍ତ୍ତମାନ ଭାରତ ନିଜର ରଣନୀତିକୁ ବଦଳାଇଛି, ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ଉପରେ ଆକ୍ରମଣ ହେଲେ ଏହାର ପ୍ରଚଣ୍ଡ ଜବାବ ଦେବାକୁ ପଣ କରିଛି ଭାରତ । ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଏଲଗ ୨୦୨୫ରେ ପାକିସ୍ତାନକୁ ଏଭଳି କିଛି କଡ଼ା ଭାଷାରେ ପାକିସ୍ତାନକୁ ଚେତାଇଛନ୍ତି ସିଡ଼ିଏସ୍ ଅନୀଲ ଚୌହ୍ବାନ ।
ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ପାକିସ୍ତାନକୁ ମଧ୍ୟ ତାର ଦାୟିତ୍ୱ ପାଳନ କରିବାକୁ ପଡିବ । ଏହି କ୍ଷେତ୍ରରେ ବଢୁଥିବା ସମସ୍ୟା ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି ସିଡ଼ିଏସ୍ । ଆତଙ୍କବାଦ ଯୋଗୁ ଭାରତର ସହନଶୀଳତା ସୀମା ଅତିକ୍ରମ କରିଥିବାରୁ ଅପରେସନ ସିନ୍ଦୂରର ଆବଶ୍ୟକତା ପଡ଼ିଲା ବୋଲି ସେ କହିଛନ୍ତି ।
ଗତ ଦୁଇ ଦଶନ୍ଧି ଧରି ପାକିସ୍ତାନରୁ ଆତଙ୍କବାଦ ଯୋଗୁ ବହୁ ସଂଖ୍ୟକ ଭାରତୀୟ ନାଗରିକ ଏବଂ ସୈନିକ ପ୍ରାଣ ହରାଇଛନ୍ତି । ସିଡ଼ିଏସ୍ କହିଛନ୍ତି ଯେ ଭାରତ ଆତଙ୍କବାଦ ବିରୁଦ୍ଧରେ ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି । ସେ କହିଛନ୍ତି, "ପାକିସ୍ତାନ ଏହି ମୁକାବିଲାରୁ ଶିକ୍ଷା ଗ୍ରହଣ କରିବ ଏବଂ ଆତଙ୍କବାଦ ସମ୍ପର୍କରେ ତାର ନୀତି ପରିବର୍ତ୍ତନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଅପରେସନ୍ ସିନ୍ଦୂର ସମୟରେ, ଭାରତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁ ଦେଶର ଅସ୍ତ୍ରଶସ୍ତ୍ର ବ୍ୟବହାର କରି ପାକିସ୍ତାନରେ ୩୦୦ କିଲୋମିଟର ଗଭୀର ଆକ୍ରମଣ କରିଥିଲା । ଜେନେରାଲ୍ ଚୌହ୍ବାନ ଏହାକୁ ଭାରତୀୟ ସାମରିକ କ୍ଷମତାର ପ୍ରଦର୍ଶନ ବୋଲି କହିଛନ୍ତି ।