କନକ ବ୍ୟୁରୋ : ଗୌତମ ଗମ୍ଭୀର... ଖେଳାଳି ହେବାଠାରୁ କୋଚ୍ ହେବା ଯାଏଁ ସବୁଥିରେ ରହିଛି ତାଙ୍କର ସଫଳ ଯାତ୍ରା । ଖେଳାଳି ଭାବରେ ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ୍ ଆଉ କୋଚ ଭାବରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆଉ ୨୦୨୫ ଏସିଆକପ୍... ଭାରତକୁ ଏହି ସବୁ ସଫଳତା ଦେଇଛନ୍ତି ଗମ୍ଭୀର । ଖେଳାଳି ଭାବରେ ମୈଦାନରେ ନିଜର ଶତପ୍ରତିଶତ ଯୋଗଦାନ ଦେଇଥିବା ବେଳେ କୋଚ ଭାବରେ ଗମ୍ଭୀରଙ୍କ ରଣନୀତି ବି ସଫଳ ସାବ୍ୟସ୍ତ ହୋଇଛି । ଯାହା ଆଜି ତାଙ୍କୁ ଟିମ୍ ଇଣ୍ଡିଆର ଲକି ମ୍ୟାନ ସାବ୍ୟସ୍ତ କରିଛି । ଆଜି ହେଉଛି ଏହି ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀରଙ୍କ ଜନ୍ମଦିନ । 

Advertisment

ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି । ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଗମ୍ଭୀର ଯେକୌଣସି ଦାୟିତ୍ୱ ଗ୍ରହଣ କରନ୍ତୁ ନା କାହିଁକି, ସବୁବେଳେ ଟିମ୍ ଇଣ୍ଡିଆ ପାଇଁ ଠିଆ ହୋଇଛନ୍ତି । ଗମ୍ଭୀର ତାଙ୍କ କ୍ୟାରିୟରରେ ଟିମ୍ ଇଣ୍ଡିଆ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ୍ ବିଜୟୀ ଇନିଂସ ଖେଳିଥିଲେ । ଏହା ବ୍ୟତୀତ, ସେ ମେନ୍ ଇନ୍ ବ୍ଲୁ ପାଇଁ ଅନେକ ଇନିଂସ ଖେଳିଥିଲେ ଯାହା ଦଳକୁ ବିଜୟର ସୀମା ଅତିକ୍ରମ କରିବାରେ ସାହାଯ୍ୟ କରିଥିଲା । ଗମ୍ଭୀରଙ୍କ ଏହି ବିଶ୍ୱକପ୍ ବିଜୟୀ ଇନିଂସଗୁଡ଼ିକ ପ୍ରଶଂସକଙ୍କ ମନରେ ଛାପ ଛାଡ଼ିଯାଇଛି । ଯାହାକୁ ଆଜି ବି ମନେ ରଖିଛନ୍ତି ଫ୍ୟାନ୍ସ ।  

୨୦୦୭ ମସିହାରେ ଏମ୍ ଏସ୍ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିଥିଲା । ଭାରତକୁ ଏହି ଟାଇଟଲ୍ ହାସଲ କରିବାରେ ଗମ୍ଭୀରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ପାକିସ୍ତାନ ବିପକ୍ଷରେ ଫାଇନାଲରେ ଦଳ ପାଇଁ ଇନିଂସ ଓପନ କରିଥିଲେ ଏବଂ ୫୪ ବଲରେ ୮ ଚୌକା ଏବଂ ୨ ଛକା ମାରି ୭୫ ରନ୍ କରିଥିଲେ । ଏହା ଦଳର ସର୍ବାଧିକ ଇନିଂସ ଥିଲା । ଗମ୍ଭୀରଙ୍କ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ୨୦ ଓଭରରେ ୧୫୭/୫ ସ୍କୋର କରିଥିଲା । ଟିମ୍ ଇଣ୍ଡିଆ ଫାଇନାଲରେ ୫ ରନରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଥିଲା । 

ସେହିପରି ୨୦୧୧ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଗମ୍ଭୀର ମଧ୍ୟ ତାଙ୍କ ବ୍ୟାଟିଂରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଶ୍ରୀଲଙ୍କା ବିପକ୍ଷ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ୨୭୫ ରନର ବିଜୟକୁ ପିଛା କରୁଥିବା ବେଳେ ଗମ୍ଭୀର ୧୨୨ ବଲରୁ ୯ଟି ଚୌକା ସହାୟତାରେ ୯୭ ରନ୍ କରିଥିଲେ । ଗମ୍ଭୀରଙ୍କ ଇନିଂସ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଉ ଭାରତର ଦ୍ବିତୀୟଥର ପାଇଁ ପୁଣି ବିଶ୍ୱ ବିଜେତା ବନିଥିଲା । 

କେବେଳେ ଖେଳାଳି ଭାବେ ନୁହେଁ ବରଂ କୋଚ୍ ଭାବରେ ବି ଗମ୍ଭୀରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆଉ ଏସିଆ କପରେ ଚାମ୍ପିୟନ ହୋଇଛି । ସେହିପରି ଆଗାମୀ ୨୦୨୬ ଟି-୨୦ ବିଶ୍ୱକପ ଆଉ ୨୦୨୭ ଦିନିକିଆ ବିଶ୍ୱକପରେ ଭାରତ ପାଇଁ ସେ ରଣନୀତି ପ୍ରସ୍ତୁତ କରୁଛନ୍ତି । 

ଭାରତର ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଥିଲେ ଗମ୍ଭୀର, ଯିଏ ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳିଥିଲେ । ସେ ତାଙ୍କ କ୍ୟାରିୟରରେ ୫୮ ଟେଷ୍ଟ, ୧୪୭ ଦିନିକିଆ ଏବଂ ୩୭ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ୧୦୪ ଟେଷ୍ଟ ଇନିଂସରେ ୪୧୫୪ ରନ କରିଥିଲେ । ଏହାସହିତ, ଗମ୍ଭୀର ୧୪୩ ଟି ଦିନିକିଆ ଇନିଂସରେ ୫୨୩୮ ରନ ଏବଂ ୩୬ ଟି-୨୦ ଆନ୍ତର୍ଜାତୀୟ ଇନିଂସରେ ୯୩୨ ରନ କରିଥିଲେ ।