‘ପୁନଶ୍ଚ ପୃଥିବୀ’ ସମ୍ମିଳନୀରେ ଭାରତର ଜଙ୍ଗଲ ମଣିଷ: କହିଲେ ନିଜ ସଫଳତାର କଥା

ଏହି ଅବସରରେ ଭାରତର ଜଙ୍ଗଲ ପୁରୁଷ, ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯାଦବ ପାୟେଙ୍ଗ କହିଲେ,  ମୁଁ ୧୫ ବର୍ଷ ବୟସରୁ ମୋ କାର୍ଯ୍ୟ ଆରମ୍ଭ କରିଥିଲି । ମୁଁ ଏବେ ଏକ ଜଙ୍ଗଲ ତିଆରି କରି ପାରିଛି । ପିଲା ଦିନୁ ମୋର ପ୍ରାଣୀ, ପକ୍ଷୀ, ଗଛ ଏବଂ ଜଙ୍ଗଲ ପ୍ରତି ଭଲ ପାଇବା ଥିଲା ।

57

Photograph: (kanak news)

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ସୋମବାର ଏହି ସମ୍ମିଳନୀର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପରିବେଶବିତ୍ ଏବଂ ପ୍ରାଣୀ କଲ୍ୟାଣ ଆଡଭୋକେଟ ମାନେକା ଗାନ୍ଧୀ ଯୋଗ ଦେଇଛନ୍ତି । ସେହିପରି ଭାରତର ବନ ମଣିଷ, ପରିବେଶବିତ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯାଦବ ପାୟେଙ୍ଗ, ସମ୍ବାଦ ଏବଂ କନକ ନ୍ୟୁଜ୍ ସମ୍ପାଦକ ତନୟା ପଟ୍ଟନାୟକ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଛନ୍ତି ।

ଏହି ଅବସରରେ ଭାରତର ଜଙ୍ଗଲ ପୁରୁଷ, ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯାଦବ ପାୟେଙ୍ଗ କହିଲେ,  ମୁଁ ୧୫ ବର୍ଷ ବୟସରୁ ମୋ କାର୍ଯ୍ୟ ଆରମ୍ଭ କରିଥିଲି । ମୁଁ ଏବେ ଏକ ଜଙ୍ଗଲ ତିଆରି କରି ପାରିଛି । ପିଲା ଦିନୁ ମୋର ପ୍ରାଣୀ, ପକ୍ଷୀ, ଗଛ ଏବଂ ଜଙ୍ଗଲ ପ୍ରତି ଭଲ ପାଇବା ଥିଲା । ଏହା ମତେ ୧୫ ବର୍ଷ ବୟସରେ ଏକ ଜଙ୍ଗଲ ସୃଷ୍ଟି କରିବାର ପ୍ରେରଣା ଯୋଗାଇ ଦେଇଥିଲା । ୧୯୮୫ ମସିହାରେ ମୁଁ ଡକ୍ଟର ଯଦୁନାଥ ପେଶୱା ନାମକ ‌ଜଣେ ବୈଜ୍ଞାନିକଙ୍କ ଦ୍ବାରା ପରିବେଶ ସମ୍ପର୍କରେ ଶୁଣିବା ପରେ ତାଙ୍କ ଦ୍ବାରା ବେଶ୍ ପ୍ରଭାବିତ ହୋଇଥିଲି । ସେ ମତେ ଗଛ ଲଗାଇବା ପାଇଁ ପ୍ରେରଣା ଦେଇଥିଲେ। 

୧୯୭୯ରେ ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ ବନ୍ୟା ଆସିଥିଲା ମୁଁ ତାହା ଦେଖିବା ପାଇଁ ଯାଇଥିଲି । ବନ୍ୟାରେ ବହୁ ଗଛ ପ୍ରାଣୀ ନଷ୍ଟ ହୋଇଥିଲେ । ଏହା ମୋ ମନରେ ଗଭୀର ଖୋପାତ କରିଥିଲା । ମୁଁ ଚିନ୍ତା କରିଥିଲି ଆମେ ତ ଦିନେ ନା ଦିନେ ମରିବା। ସେ ସମୟରେ ମୋ ମନକୁ ଗଛ ଲଗାଇବା କଥା ଆସିଥିଲା । ମୁଁ ପ୍ରଥମେ ଅଳ୍ପ ଅଳ୍ପ ଗଛ ଲଗାଇବା ଆରମ୍ଭ କରିଥିଲି । ୩୦ ବର୍ଷ ମଧ୍ୟରେ ୧୩୬୦ ଏକର ଜମିରେ ମୁଁ ଗଛ ଲଗାଇଥିଲି । ମୋର ଏହି ଜଙ୍ଗଲ ଅତି ସୁନ୍ଦର । ଏହା ଉପରେ ବହୁ ବୃତ୍ତଚିତ୍ର ନିର୍ମିତ ହୋଇଛି।

ଏଠାକୁ ବହୁ ଛାତ୍ରଛାତ୍ରୀ ଗବେଷଣା ପାଇଁ ଆସୁଛନ୍ତି। ମୋ ଉପ‌ରେ ମଧ୍ୟ କେତେକ ଛାତ୍ରଛାତ୍ରୀ ଗବେଷଣା କରି ପିଏଚଡି ଲାଭ କରିଛନ୍ତି। କେବଳ ଭାରତ ନୁହେଁ ଚୀନ୍, ସ୍ୟୁଜରଲାଣ୍ଡ, ତାଇୱାନ, ଜର୍ମାନୀ, ଅଷ୍ଟ୍ରେଲିଆ ଆଦି ଦେଶରୁ ଗବେଷକ ଓ ଛାତ୍ରଛାତ୍ରୀମାନେ ଆସି ମୋ ଉପରେ ଆଉ ମୋ ଜଙ୍ଗଲ ଉପରେ ଗବେଷଣା କରିଛନ୍ତି।  ଲୋକେ ବଡ଼ ବଡ଼ ଉପାସନା ସ୍ଥଳ ନିର୍ମାଣ କରୁଛନ୍ତି । କିନ୍ତୁ କ’ଣ କେହି ଭଗବାନଙ୍କୁ ଦେଖିଛନ୍ତି କି? ଆମେ ଆମ ଚାରିପଟେ ଥିବା ପ୍ରକୃ୍ତିକୁ ଦେଖି ପାରୁଛେ । ପ୍ରକୃତି ହିଁ ଭଗବାନ । ପ୍ରକୃତିର ସୁରକ୍ଷା କଲେ ହିଁ ଆମେ ବଞ୍ଚି ପାରିବା ବୋଲି ସେ କହିଛନ୍ତି । 

ସୂଚନାଯୋଗ୍ୟ, ଯାଦବ ପାୟେଙ୍ଗ ଜଣେ ପରିବେଶ କର୍ମୀ ଏବଂ ମାଜୁଲିର ବନ କର୍ମଚାରୀ। ସେ ଭାରତର ବନ ପୁରୁଷ ଭାବରେ ପରିଚିତ। କିଛି ଦଶନ୍ଧି ଧରି, ସେ ବ୍ରହ୍ମପୁତ୍ର ନଦୀର ଏକ ବାଲିବନ୍ଧରେ ଗଛ ଲଗାଇ ଏହାକୁ ଏକ ଜଙ୍ଗଲ ସଂରକ୍ଷଣରେ ପରିଣତ କରିଛନ୍ତି । ତାଙ୍କ ନାମରେ ମୋଲାଇ ଜଙ୍ଗଲ ନାମକ ଜଙ୍ଗଲ, ଭାରତର ଆସାମର ଜୋରହାଟର କୋକିଲାମୁଖ ନିକଟରେ ଅବସ୍ଥିତ ଏବଂ ପ୍ରାୟ ୧,୩୬୦ଏକର (୫୫୦ ହେକ୍ଟର) ଅଞ୍ଚଳକୁ ଘେରି ରହିଛି ।  ୨୦୧୫ ମସିହାରେ, ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ସେ ଆସାମର ଆଦିବାସୀ ମିସିଂ ଜନଜାତିର ଜଣେ ସଦସ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe