କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଆଘାତ ସମସ୍ୟାର ସମ୍ମୁଖୀନ ହେଉଛି । ଦଳର କିଛି ଷ୍ଟାର ଖେଳାଳି ଆହତ ହୋଇଛନ୍ତି । ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏ ସମ୍ପର୍କରେ ଏକ ଅପଡେଟ୍ ଦେଇଛି । ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ବାମ ଆଣ୍ଠୁ ଆଘାତ ଯୋଗୁଁ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ବାକି ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଛି । ନୀତିଶ ରେଡ୍ଡୀ ଘରକୁ ଫେରିବେ ଏବଂ ଦଳ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।

Advertisment

ବିସିସିଆଇ ଏହାର ବିଜ୍ଞପ୍ତିରେ କହିଛି ଯେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି । ବେକେନହାମରେ ଏକ ତାଲିମ ଅଧିବେଶନ ସମୟରେ ନେଟ୍ସରେ ବୋଲିଂ କରୁଥିବା ସମୟରେ ଅର୍ଶଦୀପ ସିଂହଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା । ବିସିସିଆଇ ଡାକ୍ତରୀ ଦଳ ଅର୍ଶଦୀପ ସିଂହଙ୍କ ଅଗ୍ରଗତି ଉପରେ ନଜର ରଖିଛି । 

ବିସିସିଆଇର ବିଜ୍ଞପ୍ତିରେ କୁହାଯାଇଛି ଯେ ପୁରୁଷ ଚୟନ ପ୍ୟାନେଲ ଡାହାଣହାତୀ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରିଛି । କାମ୍ବୋଜ ମାଞ୍ଚେଷ୍ଟରରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି । ତେବେ ଯଦି ଚୂଡ଼ାନ୍ତ ଏକାଦଶରେ ଅଂଶୁଲ କମ୍ୱୋଜଙ୍କୁ ସ୍ଥାନ ମିଳେ ତେବେ ସେ ଏହି ମ୍ୟାଚରେ ଟେଷ୍ଟ ଡେବ୍ୟୁ କରିବେ । ତେବେ ଆସନ୍ତୁ ଜାଣିବା କିଏ ଏହି ଦ୍ରୁତ ବୋଲର । 

ଅଂଶୁଲ କାମ୍ବୋଜ ଜଣେ ଭାରତୀୟ କ୍ରିକେଟର, ଯିଏକି ଘରୋଇ କ୍ରିକେଟରେ ହରିୟାଣା ପାଇଁ ଖେଳନ୍ତି । ସେ ଜଣେ ଦ୍ରୁତ ବୋଲର ଏବଂ ଅଲରାଉଣ୍ଡର ଭାବରେ ବେଶ୍ ଜଣାଶୁଣା । ନିକଟରେ ସେ ରଣଜୀ ଟ୍ରଫିରେ ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି, ଯାହାକି ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା ।

କେରଳ ବିପକ୍ଷରେ ଏକ ରଣଜୀ ମ୍ୟାଚରେ ହରିୟାଣା ପାଇଁ ଖେଳି ଅଂଶୁଲ ଗୋଟିଏ ଇନିଂସରେ ସମସ୍ତ ୧୦ଟି ୱିକେଟ୍ ନେବାର କୃତିତ୍ୱ ଅର୍ଜନ କରିଥିଲେ । ଏହି ପ୍ରଦର୍ଶନ ପରେ ତାଙ୍କୁ ଓଡ଼ିଶାର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ସହ ତୁଳନା କରାଯାଇଥିଲା, ଯିଏକି ପୂର୍ବରୁ ଏହିପରି ସଫଳତା ପାଇଥିଲେ । 

ଅଂଶୁଲ କାମ୍ବୋଜଙ୍କ ଏହି ପ୍ରଦର୍ଶନ ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆଇପିଏଲ୍ ୨୦୨୫ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ୩.୪ କୋଟି ଟଙ୍କାରେ କିଣିଥିଲା, ଯାହା ତାଙ୍କ ବେସ୍ ପ୍ରାଇସଠାରୁ ୧୧ ଗୁଣା ଅଧିକ ଥିଲା । ଏହା ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଖେଳିଥିଲେ । 

କେବଳ ରଣଜୀ ଟ୍ରଫି ନୁହେଁ, ଅଂଶୁଲ ଭାରତ-ଏ ଦଳ ପାଇଁ ମଧ୍ୟ ଖେଳିଛନ୍ତି । ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଏକ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ବ୍ୟତୀତ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିବା ସମୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ତେବେ ଦେଖିବା ବାକି ରହିଲା ସେ ମାଞ୍ଚେଷ୍ଟରରେ କଣ କମାଲ କରୁଛନ୍ତି । 

ମାଞ୍ଚେଷ୍ଟର ଟେଷ୍ଟ ବୁଧବାର, ଜୁଲାଇ ୨୩, ୨୦୨୫ ରେ ଆରମ୍ଭ ହେବ । ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୨ ରେ ପଛୁଆ ଅଛି, ତେଣୁ ଏହି ମ୍ୟାଚ୍ ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।