କନକ ବ୍ୟୁରୋ : ଭାରତର ଅଧିକାଂଶ ଲୋକ ଟିକେ ସୁନା ପ୍ରିୟ । କେବଳ ଆଧୁନିକ ଭାରତ ନୁହେଁ ରାଜାରାଜୁଡ଼ା କାଳରୁ ଭାରତର ଲୋକେ ଭାରି ସୁନା ସୌଖିନ । ଅକ୍ଷୟ ତୃତୀୟାରୁ ଆରମ୍ଭ କରି ଧନତେରସ୍ ପର୍ଯ୍ୟନ୍ତ ପ୍ରତି ପର୍ବରେ ସୁନା କିଣିବାକୁ ଯେଭଳି ଗହଣା ଦୋକାନରେ ଭିଡ଼ ଲାଗେ ସେଥିରୁ ହିଁ ଜାଣିପାରୁଥିବେ ଭାରତବାସୀ ସୁନାକୁ କେତେ ପସନ୍ଦ କରନ୍ତି । ତେବେ ରିପୋର୍ଟ ମୁତାବକ ଭାରତୀୟଙ୍କ ପାଖରେ ୩ ଲକ୍ଷ କୋଟି ଡଲାର ମୂଲ୍ୟର ସୁନା ରହିଛି। ଏଥିରୁ ଅଧିକାଂଶ ବ୍ୟବହାର ନହୋଇ ଲକରରେ ପଡ଼ିରହିଛି। ଗୋଟିଏ ପଟେ ଲୋକଙ୍କ ନିକଟରେ ଅଧିକରୁ ଅଧିକ ସୁନା ଅବ୍ୟବହୃତ ହୋଇ ରହିଥିବାବେଳେ ଅନ୍ୟପଟେ ଉଦ୍ୟୋଗ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଇକ୍ଵିଟି ପାଣ୍ଠି ଆବଶ୍ୟକତା ମଧ୍ୟ ବଢ଼ିଚାଲିଛି। ଏହି ପାର୍ଥକ୍ୟକୁ କିଭଳି ହ୍ରାସ କରାଯାଇ ପାରିବ ଏବଂ ସୁନାକୁ କେବଳ ଗୋଲ୍ଡ ଲୋନ୍ ପାଇଁ ବ୍ୟବହାର ନକରି ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ତାହାର ଉପାୟ ବାହାର କରିବା ପାଇଁ ଜିରୋଧାର ସହ-ପ୍ରତିଷ୍ଠାତା ତଥା ସିଇଓ ନିତିନ କାମାଥ ଆହ୍ବାନ ଦେଇଛନ୍ତି । ୧ ଡଲାରର ମୂଲ୍ୟ ୮୮ ଟଙ୍କା ବିନିମୟ ମୂଲ୍ୟ ହିସାବରେ ଦେଖିଲେ ଏହି ରାଶି ୨୬୪ ଲକ୍ଷ କୋଟି ଟଙ୍କା ହେବ ।
/filters:format(webp)/kanak/media/media_files/2025/10/11/gold-jewellery-2025-10-11-11-53-20.jpg)
ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ୍ କରି ୱାର୍ଲଡ ଗୋଲ୍ଡ କାଉନସିଲ୍ର ଆକଳନ ଅନୁସାରେ ଭାରତରେ ଲୋକଙ୍କ ନିକଟରେ ୩ ଲକ୍ଷ କୋଟି ଡଲାର ମୂଲ୍ୟର ସୁନା ରହିଥିବା କହିଛନ୍ତି । ଏଥିସହିତ ୧୯୯୬ରୁ ୨୦୨୫ ମଧ୍ୟରେ ସୁନା ଏବଂ ନିଫ୍ଟି ୫୦୦ ଇଣ୍ଡେକ୍ସ ଦେଇଥିବା ବାର୍ଷିକ ରିଟର୍ଣ୍ଣର ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି ।
ତାଙ୍କ ଚାର୍ଟରୁ ଜଣାପଡ଼ିଛି ଯେ କେତେକ ବର୍ଷରେ ଇକ୍ଵିଟି ଅସ୍ଵାଭାବିକ ରିଟର୍ଣ୍ଣ ପ୍ରଦାନ କରିଛି। ୨୦୦୩ ରେ ୧୦୧ ପ୍ରତିଶତ, ୨୦୦୪ରେ ୧୦୫ ପ୍ରତିଶତ, ୨୦୦୯ରେ ୯୧ ପ୍ରତିଶତ ଦେଇଥିବାବେଳେ ୨୦୦୧ରେ ୨୨ ପ୍ରତିଶତ, ୨୦୦୮ରେ ୫୭ ପ୍ରତିଶତ ଏବଂ ୨୦୧୧ରେ ୨୬ ପ୍ରତିଶତ କ୍ଷତି ହୋଇଛି । ଅନ୍ୟପକ୍ଷରେ ସୁନା ମଧ୍ୟମ ଧରଣର ରିଟର୍ଣ୍ଣ ଦେଇଛି। ୨୦୧୧ରେ ୩୨ ପ୍ରତିଶତ, ୨୦୨୦ରେ ୨୭ ପ୍ରତିଶତ ଦେଇଥିବାବେଳେ ଅଳ୍ପ କିଛି ବର୍ଷ ରିଟର୍ଣ୍ଣ ନେଗେଟିଭ ରହିଛି ।