କନକ ବ୍ୟୁରୋ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘ ସାଧାରଣ ସଭାରେ ପୁଣି ପାକିସ୍ତାନକୁ ଶବ୍ଦବାଣ ମାରିଛନ୍ତି । ସେ ଭାରତ ପକ୍ଷରୁ ନିଜର ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ଆତଙ୍କବାଦ ଉପରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ ଯାହା କେବେ ବଦଳିବ ନାହିଁ । ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଭାରତର ସ୍ଥିତି ସ୍ପଷ୍ଟ କରି କହିଛନ୍ତି, "ଭାରତ ନିଜ ସ୍ୱାଧୀନତା ପରଠାରୁ ଆତଙ୍କବାଦର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । କାରଣ ପଡୋଶୀ ଦେଶ ବିଶ୍ୱ ଆତଙ୍କବାଦର କେନ୍ଦ୍ର ପାଲଟିଛି । ଦଶନ୍ଧି ଧରି ଅନେକ ବଡ଼ ଅନ୍ତର୍ଜାତୀୟ ଆତଙ୍କବାଦୀ ଆକ୍ରମଣର ମୂଳ ସେହି ଦେଶ ସହିତ ଜଡ଼ିତ ରହିଛି । ଜାତିସଂଘର ଆତଙ୍କବାଦୀଙ୍କ ତାଲିକାରେ ସେହି ଦେଶର ନାଗରିକଙ୍କ ନାମ ଭର୍ତ୍ତି ହୋଇ ରହିଛି ।" 

Advertisment

ସେ ଏପ୍ରିଲରେ ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟାର ଉଦାହରଣ ଦେଇ କହିଛନ୍ତି, "ଏହା ସୀମା ପାର କରି କରାଯାଇଥିବା ବର୍ବରତାର ସଦ୍ୟତମ ଉଦାହରଣ । ଭାରତ ନିଜ ନାଗରିକଙ୍କ ସୁରକ୍ଷାର ଅଧିକାର ପ୍ରୟୋଗ କରି ଏହି ଅପରାଧୀମାନଙ୍କୁ ନ୍ୟାୟ କାଠଗଡ଼ାରେ ଠିଆ କରିଛି ।" ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି । ଜୟଶଙ୍କର ଜୋର ଦେଇ କହିଛନ୍ତି, "ଆତଙ୍କବାଦ ଏକ ବିପଦ, ଏବଂ ଏହାର ମୁକାବିଲା ପାଇଁ ଆନ୍ତର୍ଜାତୀୟ ସହଯୋଗ ଅତ୍ୟନ୍ତ ଜରୁରୀ । ଯେତେବେଳେ କୌଣସି ଦେଶ ଆତଙ୍କବାଦକୁ ନିଜର ରାଜ୍ୟ ନୀତି ଭାବରେ ଗ୍ରହଣ କରେ, ଯେତେବେଳେ ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଶିଳ୍ପ ସ୍ତରରେ ପରିଚାଳିତ ହୁଅନ୍ତି, ଏବଂ ଆତଙ୍କବାଦୀମାନଙ୍କୁ ସର୍ବସାଧାରଣରେ ମହିମା ମଣ୍ଡିତ କରାଯାଏ । ଏହିପରି ପ୍ରବୃତ୍ତିଗୁଡ଼ିକୁ ସ୍ପଷ୍ଟ ଭାବରେ ନିନ୍ଦା କରାଯିବା ଉଚିତ ।"

ସେ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ବନ୍ଦ କରିବା ଏବଂ ମୁଖ୍ୟ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧ ଲଗାଇବା ଆବଶ୍ୟକ । "ସମଗ୍ର ଆତଙ୍କବାଦ ଇକୋସିଷ୍ଟମ ଉପରେ ନିରନ୍ତର ଚାପ ବଜାୟ ରଖିବା ଉଚିତ । ଯେଉଁ ଦେଶ ଆତଙ୍କବାଦକୁ ପ୍ରାୟୋଜିତ କରନ୍ତି, ସେମାନେ ବୁଝିବା ଉଚିତ ଯେ ଏହି ବିପଦ ଶେଷରେ ସେମାନଙ୍କୁ ହିଁ କ୍ଷତି ପହଞ୍ଚାଇବ ।"