କନକ ବ୍ୟୁରୋ: ବାରବାଟୀ ମ୍ୟାଚ୍‌ରେ ଜବରଦସ୍ତ ବିଜୟ ପରେ ଚଣ୍ଡିଗଡ଼ରେ ସବୁ ଫସର ଫଟେଇଦେଲା ଟିମ୍‌ ଇଣ୍ଡିଆ । ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୫୧ ରନ୍‌ର ପରାଜୟ ବରଣ କରିବାକୁ ପଡ଼ିଛି । ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଟସ୍‌ ଜିତି  ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । କିନ୍ତୁ ଅର୍ଶଦୀପ ସିଂ, ଜସପ୍ରୀତ ବୁମରାଙ୍କ ବୋଲିଂରେ ସେମିତି ଧାର ଦେଖିବାକୁ ମିଳିନଥିଲା । ଯାହାଫଳରେ ଏକ ବଡ଼ ଟାର୍ଗେଟ୍‌ ସେଟ୍‌ କରିଥିଲା ଦକ୍ଷିଣ ଆଫ୍ରିକା ଦଳ । ଯେଉଁ ଟାର୍ଗେଟ୍‌କୁ ହାସଲ କରିବାରେ ସଫଳ ହୋଇପାରିନଥିଲା ଭାରତୀୟ ଦଳ ।  

Advertisment

ଫସାଇଲା ବ୍ୟାଟିଂ କ୍ରମରେ ଏକ୍ସପେରିମେଣ୍ଟ୍‌ 
ଭାରତ ପ୍ରଥମ ୨ ଓଭର ମଧ୍ୟରେ ହିଁ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲଙ୍କ ୱିକେଟ୍ ହରାଇଥିଲା । ତିନି ନମ୍ବରରେ ଅକ୍ଷର ପଟେଲ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ପାୱାର-ପ୍ଲେ’ରେ ତାଙ୍କଠାରୁ ଯେଉଁ ଆଶା କରାଯାଇଥିଲା, ତାହା କରିପାରିନଥିଲେ । ଯଦି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତେ, ତେବେ ହୁଏତ ଏକ ଭଲ ଭାଗିଦାରୀ ଦେଖିବାକୁ ମିଳିପାରିଥାଆନ୍ତା । ଅକ୍ଷର ତିନି ନମ୍ବରରେ ଆସିବା ପରେ ତିଲକ ବର୍ମାଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଟରଙ୍କ କ୍ରମ ବଦଳି ଯାଇଥିଲା। ଫଳରେ ଫିନିସର ଭୂମିକା ତୁଲାଉଥିବା ଶିବମ ଦୁବେ ଆଠ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଯେଉଁ ବ୍ୟାଟରଙ୍କର ଯେଉଁ ସ୍ଥାନରେ ଖେଳିବାର ଅଭ୍ୟାସ ନାହିଁ, ସେମାନଙ୍କୁ ବାଧ୍ୟ ହୋଇ ଅନ୍ୟ କ୍ରମରେ ବ୍ୟାଟିଂ କରିବାକୁ ପଡ଼ିଥିଲା । 

ଅଧିନାୟକ ଓ ଉପଅଧିନାୟକଙ୍କ ଖରାପ ଫର୍ମ  
ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପ-ଅଧିନାୟକ ଶୁଭମନ ଗିଲଙ୍କ ଖରାପ ଫର୍ମ ଜାରି ରହିଛି। ଚଣ୍ଡିଗଡ଼ରେ ଗିଲ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ମାତ୍ର ୫ ରନ୍ ହିଁ କରି ପାରିଥିଲେ । ଚଳିତ ବର୍ଷ ଗିଲଙ୍କ ବ୍ୟାଟରୁ ଗୋଟିଏ ବି ଟି-ଟ୍ୱେଣ୍ଟି ଅର୍ଦ୍ଧଶତକ ଦେଖିବାକୁ ମିଳିନାହିଁ । ଅନ୍ୟପକ୍ଷରେ, ଏହି ବର୍ଷ ସୂର୍ଯ୍ୟାଙ୍କ ଟି-ଟ୍ୱେଣ୍ଟି ଆଭରେଜ୍ ମାତ୍ର ୧୪.୪ ପ୍ରତିଶତ ରହିଛି । ଗିଲ୍ ଏବଂ ସୂର୍ଯ୍ୟକୁମାର ଦାୟିତ୍ୱ ନନେବା ମଧ୍ୟ ଟିମ୍ ଇଣ୍ଡିଆର ପରାଜୟର ଏକ ମୁଖ୍ୟ କାରଣ ପାଲଟିଛି । 

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧିମା ପାଳି  
ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେତେବେଳେ ୭.୩ ଓଭରରେ ଭାରତର ସ୍କୋର ୪ ୱିକେଟ୍‌ ବିନିମୟରେ ୬୭ ରନ୍‌ ଥିଲା । ସେହି ସମୟରେ ଭାରତକୁ ୧୨.୩ ଓଭରରେ ୧୪୭ ରନ୍‌ର ଆବଶ୍ୟକତା ଥିଲା । ଏପରି ସ୍ଥିତିରେ କ୍ରିଜକୁ ଆସିଥିବା ଯେକୌଣସି ବ୍ୟାଟରଙ୍କଠାରୁ ଦଳ ଦ୍ରୁତ ବ୍ୟାଟିଂ ଆଶା କରିଥାନ୍ତା । କିନ୍ତୁ ହାର୍ଦ୍ଦିକ ସେହି ସମୟରେ ଅତି ଧୀମା ଅନ୍ଦାଜରେ ଖେଳିଥିଲେ । ସେ ୨୩ ବଲ୍‌ରୁ ମାତ୍ର ୨୦ ରନ୍ କରିଥିଲେ, ଯାହା ଭାରତୀୟ ଦଳକୁ ମହଙ୍ଗା ପଡ଼ିଥିଲା ।  

ଏହା ବି ପଢ଼ନ୍ତୁ: କ୍ରିକେଟରେ କରୁଥିଲେ ରାଜ୍, ତାଙ୍କ ନାଁ ଯୁବରାଜ: ବିଶ୍ୱ ବିଜେତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା

୯୯ ରନ୍‌ ଦେଲେ ବୁମ୍‌ରା-ଅର୍ଶଦୀପ 
ଭାରତୀୟ ଦଳର ପରାଜୟର ମୂଳଦୁଆ ପ୍ରଥମ ପାଳିରେ ହିଁ ପଡ଼ିଯାଇଥିଲା । ଟି-ଟ୍ୱେଣ୍ଟି ଦଳର ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂହ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଥିଲେ । ଉଭୟ ମିଶି ମୋଟ ୯୯ ରନ୍ ଦେଇଥିଲେ ବି ଗୋଟିଏ ବି ୱିକେଟ୍‌ ନେଇପାରିନଥିଲେ । ବୁମରା ୪ ଓଭରରେ ୪୫ ରନ୍ ଦେଇଥିବା ବେଳେ, ଅର୍ଶଦୀପ ନିଜ ଓଭରଗୁଡ଼ିକରେ ୫୪ ରନ୍ ଖର୍ଚ୍ଚ କରିଥିଲେ । ଯାହାଫଳରେ ଦକ୍ଷିଣ ଆଫ୍ରିକା ୨୧୪ ରନ୍‌ର ବିଶାଳ ଟାର୍ଗେଟ୍‌ ଦେଇଥିଲା । 

ଅକ୍ଷର ପଟେଲଙ୍କ ପାଳି ଭାରି ପଡ଼ିଲା 
ଅକ୍ଷର ପଟେଲ ତୃତୀୟ ଓଭରରେ ହିଁ ବ୍ୟାଟିଂ କରିବାକୁ ଆସିଥିଲେ । ପାୱାର-ପ୍ଲେ ସମୟରେ ତାଙ୍କଠାରୁ ଦ୍ରୁତ ବ୍ୟାଟିଂ ଆଶା କରାଯାଉଥିବା ବେଳେ, ସେ ଷଷ୍ଠ ଓଭର ସୁଦ୍ଧା ୧୭ ବଲ୍ ଖେଳି ମାତ୍ର ୧୩ ରନ୍ ହିଁ କରିପାରିଥିଲେ । ଅକ୍ଷର ନିଜର ଏହି ଧୀମା ପାଳିର ଗତି ବଢ଼ାଇ ପାରିନଥିଲେ । ତାଙ୍କର ୨୧ ବଲ୍‌ରୁ ୨୧ ରନ୍‌ର ପାଳି ଯୋଗୁଁ ତଳ କ୍ରମର ବ୍ୟାଟରଙ୍କ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଥିଲା । ଯାହାଫଳରେ ଭାରତ ମ୍ୟାଚ୍‌ ୫୧ ରନ୍‌ରେ ହାରି ଯାଇଥିଲା । ଏବେ ସିରିଜ୍‌ ୧-୧ରେ ବରାବର ରହିଛି ।