କନକ ବ୍ୟୁରୋ: କେରଳର ନିମିଶା ପ୍ରିୟା । ପାଠପଢ଼ା ସାରି ୟେମେନକୁ ଚାଲିଯାଇଥିଲେ । ସେଠାରେ ଜଣେ ଲୋକପ୍ରିୟ ନର୍ସ ଭାବେ ନିଜର ପରିଚୟ ମଧ୍ୟ ବନାଇଥିଲେ । ୧୦ବର୍ଷ ସଂଘର୍ଷ କରିବା ପରେ ୨୦୧୫ରେ ନିଜର ଏକ କ୍ଲିନିକ ଖୋଲି ସ୍ବାସ୍ଥ୍ୟସେବା ଯୋଗାଇବା ସହ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ୁଥିଲେ । ଅଧିକ ରୋଜଗାର କରି କେରଳରେ ଥିବା ପରିବାରକୁ ଟଙ୍କା ପଠାଉଥିଲେ ।
ଘରେ ଥିଲେ ନିମିଶାଙ୍କ ମା, ଝିଅ ଓ ସ୍ବାମୀ । ତେବେ କିଛି ଦିନ ନଯାଉଣୁ ହଠାତ ଯେମିତି ନିମିଶାଙ୍କ ସଫଳତାକୁ ସହିପାରିନଥିଲେ ୟେମେନ୍ର ବ୍ୟକ୍ତି ଆବୋଧ ମହଦି । କିଛି ଦିନର ବନ୍ଧୁତା ପରେ ଶତଶତ୍ରୁ ସାଜିଥିଲେ । ନିମିଶାଙ୍କୁ ପ୍ରତାରଣା, ଶୋଷଣ କରିବା ସହ ବେଶ୍ ହଇରାଣ ହରକତ କରିବା ଆରମ୍ଭ କରିଥିଲେ । ଏପରିକି ନିଜ ଦ୍ବିତୀୟ ସ୍ତ୍ରୀ ଦାବି କରି ଘର ଲୋକଙ୍କୁ ମିଛ କଥା କହି ନିମିଶାଙ୍କୁ ବ୍ଲାକମେଲିଂ କରୁଥିଲେ । ୨୦୧୫ରୁ ୨୦୧୮ । ୩ବର୍ଷ ଧରି ମାନସିକ ଅତ୍ୟାଚାର ସହିବା ପରେ ଅଭିଯୋଗ କରିବାରୁ ମହଦିକୁ ଗିରଫ କରିଥିଲା ପୁଲିସ ।
ଅତ୍ୟାଚାରରେ ଅତିଷ୍ଟ ହୋଇ ନିମିଶା ଭାରତ ଫେରିବାକୁ ଚାହୁଥିଲା । ମାତ୍ର ପ୍ରତିଶୋଧପରାୟଣ ହୋଇ ନିମିଶାର ପାସପୋର୍ଟ ଚୋରି କରିବା ସହ ହଇରାଣ କରିବା ଆରମ୍ଭ କରିଥିଲା ମହଦି । କେବଳ ସେତିକି ନୁହେଁ, ସମ୍ପୃକ୍ତ ବ୍ୟକ୍ତି ପ୍ରତ୍ୟେକ ଦିନ ବିଭିନ୍ନ ଆଳରେ ଧମକ ଦେଉଥିଲା । କିଛି ଉପାୟ ନପାଇ ମହଦିକୁ ନିଶା ଇଞ୍ଜେକ୍ସନ୍ ଦେଇ ପାସପୋର୍ଟ ନେବାକୁ ରଚିଥିବା ଯୋଜନା ନିମିଶାଙ୍କୁ ଭାରି ପଡ଼ିଥିଲା । ଓଭର ଡୋଜ୍ କାରଣରୁ ଇଞ୍ଜେକ୍ସନ୍ ଘାତକ ସାଜିବା ସହ ମହଦିର ମୃତ୍ୟୁ ହୋଇଥିଲା । ବାସ ଏଇଠି ବଦଳିଯାଇଥିଲା ନିମିଶାଙ୍କ ଜୀବନର ମୋଡ ।
ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୟେମେନ କୋର୍ଟ ତାଙ୍କୁ ଫାଶିଦଣ୍ଡ ଶୁଣାଇଥିଲେ । ଘଟଣା ପରେ ୟେମେନ ସରକାରଙ୍କୁ ଗୁହାରି କରିଥିଲେ ଭାରତୀୟ ମହିଳାଙ୍କ ପରିବାର କିନ୍ତୁ ଦଣ୍ଡାଦେଶ ଉପରେ ରାଷ୍ଟ୍ରପତି ମୋହର ମାରି ଫାଶୀ ପାଇଁ ରାସ୍ତା ଫିଟାଇବା ପରେ ଚିନ୍ତାରେ ପରିବାର । ଅନ୍ୟପଟେ ଭାରତ ସରକାର ନିମିଶାଙ୍କ ଦଣ୍ଡାଦେଶକୁ କୋହଳ କରିବାକୁ ୟେମେନ୍ ସରକାରଙ୍କ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି ।