କନକ ବ୍ୟୁରୋ : ଏପ୍ରିଲ୍ ୨୨ ତାରିଖରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ପଠାଯାଇଥିବା ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ୬୩ ବର୍ଷୀୟା ପତ୍ନୀ ରକ୍ଷନ୍ଦା ରସିଦଙ୍କୁ ଜମ୍ମୁ-କାଶ୍ମୀର ହାଇକୋର୍ଟ ଭାରତକୁ ପୁନର୍ବାର ଆସିବାକୁ ଅନୁମତି ଦେଇଛନ୍ତି । ଜୁଲାଇ ୩୦ ତାରିଖରେ ହାଇକୋର୍ଟଙ୍କ ରାୟ ପରେ ସେ ଭାରତ ଫେରିବାକୁ ଆଶ୍ୱସ୍ତ ହୋଇଛନ୍ତି । ଭାରତ ସରକାର ତାଙ୍କୁ ଭିଜିଟର୍ ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ୱାରା ସେ ଭାରତ ଆସି ନିଜ ପରିବାରକୁ ଭେଟିପାରିବେ । ଜମ୍ମୁର ତାଲାବ ଖଟିକାନ୍ ଅଞ୍ଚଳର ବାସିନ୍ଦା ରକ୍ଷନ୍ଦା ଯିଏକି ପାକିସ୍ତାନର ଜଣେ ନାଗରିକ, ସେ ଗତ ୩୦ ବର୍ଷ ଧରି ଭାରତରେ ରହୁଥିଲେ କିନ୍ତୁ ଏପ୍ରିଲ୍ ମାସରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରାଯାଇଥିଲା । ୬୦ ଜଣ ଲୋକଙ୍କୁ ପାକିସ୍ତାନ ପଠାଯାଇଥିଲା । ରକ୍ଷନ୍ଦା ରସିଦଙ୍କ ଦୀର୍ଘମିଆଦୀ ଭିସା ରଦ୍ଦ କରାଯାଇଥିଲା । ତାଙ୍କ ସ୍ୱାମୀ ଶେଖ ଜହୁର ଅହମ୍ମଦ ଭାରତୀୟ ନାଗରିକ ଏବଂ ସେ ଜାମ୍ମୁ-କାଶ୍ମୀରରେ ରହୁଛନ୍ତି ।
/filters:format(webp)/kanak/media/media_files/2025/08/02/rakhyanda-2025-08-02-15-02-38.jpg)
ରକ୍ଷନ୍ଦା ଫେବୃଆରୀ ୧୦, ୧୯୯୦ ରେ ୧୪ ଦିନିଆ ଭିଜିଟର୍ ଭିସାରେ ଭାରତ ଆସିଥିଲେ । ଏହା ପରେ ତାଙ୍କୁ ଦୀର୍ଘମିଆଦୀ ଭିସା ଦିଆଗଲା ଯାହା ପ୍ରତିବର୍ଷ ନବୀକରଣ କରାଯାଉଥିଲା । ଜାମ୍ମୁରେ ସେ ଜଣେ ଭାରତୀୟ ନାଗରିକଙ୍କୁ ବିବାହ କରିଥିଲେ । ସେ ଅନେକ ବର୍ଷ ଧରି ନିଜ ପରିବାର ସହିତ ରହୁଥିଲେ । ରକ୍ଷନ୍ଦାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ମିଳିଥିଲା ଯେଉଁ ଅନୁଯାୟୀ ତାଙ୍କୁ ଏପ୍ରିଲ୍ ୨୯, ୨୦୨୫ ରେ ଅଟାରୀ-ୱାଘା ସୀମା ଦେଇ ପାକିସ୍ତାନ ପଠାଯାଇଥିଲା । ରକ୍ଷନ୍ଦାଙ୍କ ପାକିସ୍ତାନ ଯିବା ପରେ ତାଙ୍କ ପରିବାର କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ ଯେଉଁଥିରେ ସେମାନେ ଦର୍ଶାଇଥିଲେ ଯେ ପାକିସ୍ତାନରେ ରକ୍ଷନ୍ଦାଙ୍କର କେହି ସମ୍ପର୍କୀୟ ନାହାନ୍ତି ଏବଂ ତାଙ୍କ ଦେହ ଅସୁସ୍ଥ ଅଛି । ସେ ଲାହୋରର ଏକ ହୋଟେଲରେ ଏକାକୀ ରହୁଛନ୍ତି । ଏହା ଉପରେ କୋର୍ଟ ମାମଲାକୁ ଗୁରୁତର ସହ ନେଇ କେନ୍ଦ୍ର ସରକାରଙ୍କୁ ୧୦ ଦିନ ମଧ୍ୟରେ ରକ୍ଷନ୍ଦାଙ୍କୁ ଭାରତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭାରତର ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ସରକାର ରକ୍ଷନ୍ଦାଙ୍କୁ ପୁନର୍ବାର ଭିଜିଟର୍ ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଅଧୀନରେ ତାଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ଏବଂ ସେ ନିଜର ନାଗରିକତ୍ୱ ପାଇବା ପ୍ରକ୍ରିୟାକୁ ଆଗେଇ ନେଇପାରିବେ । ମୁଖ୍ୟ ବିଚାରପତି ଅରୁଣ ପଲ୍ଲି ଏବଂ ବିଚାରପତି ରାଜନେଶ ଓସୱାଲଙ୍କ ମିଳିତ ଖଣ୍ଡପୀଠ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ମଞ୍ଜୁର କରି ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ବିଶେଷ ପରିସ୍ଥିତିକୁ ଆଧାର କରି ଦିଆଯାଇଛି ଏବଂ ଏହାକୁ ଅନ୍ୟ ମାମଲାରେ ଉଦାହରଣ ଭାବରେ ଗ୍ରହଣ କରାଯିବ ନାହିଁ ।