କନକ ବ୍ୟୁରୋ: ମେଡିକାଲ ପଢ଼ିବାକୁ ଭାରତୀୟ ଛାତ୍ରଙ୍କ ପସନ୍ଦ ପାଲଟିଛି ଜାପାନ୍
ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ସହ ରହିଛି ସହଜ ପଢ଼ା ବ୍ୟବସ୍ଥା
ଜାପାନ ଛାତ୍ର ସେବା ସଙ୍ଗଠନ (JASSO) ମୁତାବକ, ୨୦୨୩ରେ ଜାପାନରେ ୨ ଲକ୍ଷ ୭୯ ହଜାର ୨୭୪ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଥିଲେ । ୨୦୨୪ ମେରେ ସେମାନଙ୍କ ସଂଖ୍ୟା ବଢ଼ି ୩ ଲକ୍ଷ ୩୬ ହଜାର ୭୦୮ରେ ପହଞ୍ଚିଛି । ବର୍ଷକରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ୨୧ ପ୍ରତିଶତ ବଢ଼ିଛି । ଭାରତରେ ମେଡିକାଲ (MBBS) ଆଡମିସନ୍ ପାଇଁ NEET-UG ପରୀକ୍ଷା ଦେବାକୁ ପଡ଼େ , ଯେଉଁଥିରେ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦିଅନ୍ତି । ଚଳିତ ବର୍ଷ NEET ପରୀକ୍ଷାରେ ୨୨ ଲକ୍ଷରୁ ଅଧିକ ଛାତ୍ରଛ୍ରାତ୍ରୀ ପରୀକ୍ଷା ଦେଇଥିଲେ । MBBS ଭାରତରେ ସବୁଠୁ ଡିମାଣ୍ଡିଙ୍ଗ କୋର୍ସ ।
କିନ୍ତୁ ପ୍ରତିବର୍ଷ NEET ପରୀକ୍ଷାରେ ଲକ୍ଷ ଲକ୍ଷ ପିଲା ଭାଗ ନେଉଥିବାବେଳେ ସିଟ୍ ସଂଖ୍ୟା କିନ୍ତୁ ସେ ତୁଳନାରେ ଖୁବ୍ କମ୍ । ତେଣୁ ମେଡିକାଲ ପଢ଼ିବାକୁ ଅ୍ରାଗ୍ରହ ରଖୁଥିବା ହଜାର ହଜାର ପିଲା ବାଧ୍ୟ ହୋଇ ବାହାର ଦେଶକୁ ଚାଲିଯାଉଛନ୍ତି । ପୂର୍ବରୁ ମେଡିକାଲ କୋର୍ସ ପାଇଁ ପିଲାମାନେ ପୂର୍ବ ୟୁରୋପ୍ , ଋଷ, ପଶ୍ଚିମ ଏସିୟା ଦେଶଗୁଡ଼ିକୁ ବାଛୁଥିବାବେଳେ ଏବେ ଏହାର ନୂଆ ବିକଳ୍ପ ବାଛିଛନ୍ତି । ଏବେ ଭାରତୀୟ ଛାତ୍ରୀଙ୍କ ପାଇଁ ମେଡିକାଲ ହବ୍ ପାଲଟିଛି ଜାପାନ୍ । କାରଣ ଜାପାନରେ ମିଳୁଛି ଉଚ୍ଚ ମାନର ପାଠପଢ଼ା ସହ ବେଷ୍ଟ ମେଡିକାଲ ପ୍ରୋଗ୍ରାମ୍ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ କ୍ୟାରିୟର ପାଇଁ ସୁଯୋଗ । ଫଳରେ ଜାପାନ ପାଲଟିଛି ଭାରତୀୟ ଛାତ୍ରଙ୍କ ପସନ୍ଦ ।
ଜାପାନରେ ମେଡିକାଲ ପଢ଼ିବାକୁ ହେଲେ ଆପଣଙ୍କୁ ପ୍ରଥମେ NEET ପରୀକ୍ଷା ଦେବାକୁ ପଡ଼ିବ । ଏହାପରେ ଜାପାନର ଯେଉଁ କଲେଜ ବା ୟୁନିଭର୍ସିଟିରେ ଆଡମିସନ୍ ନେବେ ସେଠାରୁ ପାତ୍ରତା ପ୍ରମାଣପତ୍ର ବା (COE) ନେବାକୁ ପଡ଼େ । ଏହା ପାଇବା ପରେ ନିକଟ ଜାପାନୀ ଦୂତାବାସରୁ ଭିସା ପାଇଁ ଆବେଦନ କରିବାକୁ ପଡ଼ିବ । ନିଜ ମେଡିକାଲ କୋର୍ସର ଅବଧି ମୁତାବକ ଭିସା ଅବଧି ହେବ , ଯାହା ବର୍ଷକରୁ ଆରମ୍ଭ କରି ୪ ବର୍ଷ ପାଇଁ ହୋଇପାରିବ ।
ଜାପାନରେ ୮୨ ଟି ମେଡିକାଲ ସ୍କୁଲ ରହିଛି । ଏଥିରୁ ୫୧ ସରକାରୀ ଓ ୩୧ ଟି ଘରୋଇ ମେଡିକାଲ କଲେଜ । ଏମଡି ଓ କ୍ଲିନିକାଲ ପାଠ୍ୟକ୍ରମ ପାଇଁ ଏଠାରେ ପ୍ରତିବର୍ଷ ୯ ହଜାର ମେଡିକାଲ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ଏଠାରେ ପଢ଼ିବା ଖର୍ଚ୍ଚ ବି ଅପେକ୍ଷାକୃତ କମ୍ ରହିଛି । ଅନ୍ୟପଟେ ଭାରତରେ ମେଡିକାଲ ପଢ଼ିବା ଖର୍ଚ୍ଚ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ବିଶେଷ କରି ଓଡ଼ିଶା କଥା ତ ନକହିବା ଭଲ । କାରଣ ଚଳିତ ବର୍ଷ ମେଡିକାଲ ପଢ଼ିବାକୁ ୩ ଟି ଯାକ ମେଡିକାଲ କଲେଜର ପଢ଼ା ଖର୍ଚ୍ଚ ବଢ଼ିଲା । ଘରୋଇ ମେଡିକାଲ କଲେଜମାନଙ୍କରେ ମଧ୍ୟ ମେଡିକାଲ କୋର୍ସ ଖର୍ଚ୍ଚ ବଢ଼ିଥିବା ଯୋଗୁଁ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ମେଡିକାଲ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ବିଦେଶମୁହାଁ ହେଉଛନ୍ତି ଯେଉଁଥିରୁ ଏବେ ପ୍ରଥମ ପସନ୍ଦ ପାଲଟିଛି ଜାପାନ୍।