କନକ ବ୍ୟୁରୋ: ଭାରତୀୟ ରେଲୱେ । ବିଶ୍ବର ସର୍ବାଧିକ ଲୋକ ଯାତ୍ରା କରୁଥିବା ସଂସ୍ଥା । ଦୈନଦିନ ଅଢେଇ କୋଟିରୁ ଉର୍ଦ୍ଧ୍ବ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଅନେକ ସମୟରେ ଟ୍ରେନ୍‌ ଠିକ୍‌ ସମୟରେ ନଆସିବା, ଅପରିଷ୍କାର ରହୁଥିବା, ଖାଦ୍ୟର ମାନ ଠିକ୍‌ ନଥିବା ପରି ଅନେକ ଅଭିଯୋଗ ସାମ୍ନାକୁ ଆସେ । ହେଲେ ନୂଆବର୍ଷରୁ ଭାରତର ରେଲୱେ ଯାତ୍ରୀଙ୍କ ଲାଗି ୫ ନୂଆ ଗିଫ୍ଚ ନେଇକି ଆସୁଛି । ଯାହାଦ୍ବାରା ସିଧାସଳଖ ଲାଭବାନ ହେଲେ ରେଳରେ ଯାତ୍ରା କରୁଥିବା ଯାତ୍ରୀ । ରେଲୱେ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ, କେବଳ ଫାଷ୍ଟକ୍ଲାସ ଏସିରେ ଯାତ୍ରା କରୁଥିବା ଯାତ୍ରୀ ଲାଭବାନ ହେବେ ତାହା ନୁହେଁ ବରଂ ଜେନେରାଲ୍‌ କ୍ଲାସରେ ଯାଉଥିବା ଯାତ୍ରୀମାନେ ବି ଅନେକ ପ୍ରକାର ଲାଭ ପାଇବେ । ରେଲୱେ ପକ୍ଷରୁ ମିଳିଥିବ ସୂଚନା ଅନୁସାରେ, ଦେଶରେ ଏ ବର୍ଷ ପ୍ରାୟ ୫୫ରୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବାକୁ ପ୍ଲାନ ଥିବା ବେଳେ ଅନ୍ୟ ଟ୍ରେନର ବି ଗୁଣବତ୍ତା ବୃଦ୍ଧି ହେବାକୁ ଯାଉଛି । 

Advertisment

ପୁରା ଦେଶରୁ କାଶ୍ମୀରକୁ ସଂଯୋଗ ହେବ ଟ୍ରେନ୍‌

ଭାରତର ଅବିଚ୍ଛେଦ ଅଙ୍ଗ କାଶ୍ମୀର । କାଶ୍ମୀରକୁ ଯିବାକୁ ସମସ୍ତଙ୍କ ସ୍ବପ୍ନ ଥାଏ । କିନ୍ତୁ ଗମାନଗମର ବ୍ୟବସ୍ଥା ଠିକ୍‌ରେ ନଥିବାରୁ ପ୍ଲେନ୍‌ରେ ସମସ୍ତ ଯାତ୍ରୀ ଯାଇପାରୁନାହାନ୍ତି । ଏହାଛଡା ପ୍ରତି ରାଜ୍ୟରୁ କାଶ୍ମୀରକୁ ଯାତ୍ରା କରିବାକୁ ଟ୍ରେନର ବ୍ୟବସ୍ଥା ବି ନାହିଁ । ହେଲେ ଏ  ବର୍ଷ କେନ୍ଦ୍ର ସରକାର କାଶ୍ମୀରକୁ ଦେଶର ପ୍ରତି ସହର ସହ ଟ୍ରେନକୁ ଯୋଡ଼ିବାକୁ ବ୍ୟବସ୍ଥା କରିବାକୁ ଯାଉଛନ୍ତି । କୁହାଯାଉଛି କାଶ୍ମୀରର କଟରା ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ଯେହେତୁ ଶୀତ ଦିନରେ କାଶ୍ମୀରର ସ୍ବାଭାବିକ ତାପମାତ୍ରା ମାଇନସ୍‌ରେ ରହୁଛି, ତେଣୁ ସାଧାରଣ ଟ୍ରେନ୍‌ ଅପେକ୍ଷା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଲାଇବାକୁ ରେଲ ବିଭାଗ ଚିନ୍ତା କରୁଛି । ଏହାରି ଭିତରେ ୯୭.୩୪ କିଲୋମିଟ୍‌ର ଟନେଲ ମଧ୍ୟ ତିଆରି ହୋଇସାରିଲାଣି । 

ଚାଲିବ ବନ୍ଦେ ଭାରତ ସ୍ଲିପର

ଭାରତର ବିଳାସପୂର୍ଣ୍ଣ ଟ୍ରେନ ମଧ୍ୟରେ ବନ୍ଦେ ଭାରତ ଅନ୍ୟତନ । ଦେଶରେ ଚାଲୁଥିବା ବନ୍ଦେ ଭାରତ ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚୁଥିବାରୁ ଖୁବଶୀଘ୍ର ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଚଲାଯିବା ନେଇ ପ୍ଲାନ ହେଉଛି । ମଧ୍ୟପ୍ରଦେଶରୁ ହିଁ ଏହାର ଟ୍ରାଏଲ ରନ୍‌ କରାଯିବାକୁ ଯୋଜନା ରହିଛି । ବର୍ତ୍ତମାନ ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଘଂଟାପ୍ରତି ୧୩୦ କି.ମି ବେଗରେ ଟ୍ରାକ୍‌ରେ ଦୌଡୁଛି ।

ପ୍ରଥମ ଭର୍ଟିକାଲ ବ୍ରିଜ୍‌ରେ ଚାଲିବ ଟ୍ରେନ୍‌

ଦକ୍ଷିଣ ଭାରତର ପ୍ରସିଦ୍ଧ ରାମେଶ୍ବରମକୁ ଯୋଡ଼ିବାକୁ ଏବେ ଭର୍ଟିକାଲ ବ୍ରିଜ୍‌ ନିର୍ମାଣ ସରିସାରିଛି । ତାମିଲନାଡ଼ୁର ପମ୍ବାନ ସହରରେ ଏହା ନିର୍ମାଣ ହୋଇଛି । ବ୍ରିଜର ଲମ୍ବା ୨.୫ କିଲୋମିଟର ରହିଛି । ପୁରୁଣା ବ୍ରିଜ୍‌ ଅପେକ୍ଷା ତିଆରି ହୋଇଥିବା ନୂଆ ବ୍ରିଜ୍‌ ୩ ମିଟର ଉଚ୍ଚତାରେ ରହୁଥିବା ବେଳେ ସମୁଦ୍ର ସ୍ଥଳରୁ ୨୨ ମିଟର ଉଚ୍ଚାରେ ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଭର୍ଟିକାଲ ବ୍ରିଜରେ ଏକା ସାଙ୍ଗରେ ଦୁଇ ପାର୍ଶ୍ବରେ ଟ୍ରେନ ଚଳାଚଳ କରିପାରିବ । 

ନୂଆ ରୂପ ପାଉଛି ୧୩୩୭ ଷ୍ଟେସନ୍‌

ରେଳର ବିକାଶ ହେଲେ ଦେଶର ବିକାଶ ହେବ । ସେଇଥି ଲାଗି ତ ପୁରା ଦେଶରେ ପାଖାପାଖି ୧୩୩୭ ଷ୍ଟେସକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଉଛି । ୨୭ ରାଜ୍ୟ ଓ  ସମସ୍ତ କେନ୍ଦ୍ର ଶାସିତ ଅଂଚଳ ଏହାର ଲାଭ ପାଇବ । ଯେଉଁ ଷ୍ଟେସନ ଗୁଡ଼ିକର ବିକାଶ କରାଯାଉଛି ସେଥିରେ ସ୍ଥାନୀୟ ଅଂଚଳର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଚଳିତବର୍ଷରୁ ହିଁ ଏହାର ଅନାବରଣ ହେବ ବୋଲି କୁହାଯାଉଛି ।

ବନ୍ଦେ ଭାରତ ପରି ସ୍ଲିପର ଟ୍ରେନ୍‌

ବନ୍ଦେ ଭାରତର ସୁବିଧା ମିଳୁଥିବା ସ୍ଲିପର ଟ୍ରେନ ଚଲାଇବାକୁ ରେଳ ମନ୍ତ୍ରଣାଳୟ ଚିନ୍ତା କରୁଛି । ଯେହେତୁ ସାଧାରଣ ଲୋକ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କରିପାରୁନାହାନ୍ତି, ତେଣୁ ସାଧାରଣ ଯାତ୍ରୀଙ୍କୁ ନଜରରେ ରଖି ବନ୍ଦେ ଭାରତ ପରି ସ୍ଲିପର ଟ୍ରେନ୍‌ ଚଲାଇବାକୁ ଯୋଜନା କରାଯାଉଛି । କେବଳ ଏତିକି ନୁହେଁ ବରଂ ସାଧାରଣ ବର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁବିଧା ଲାଗି ଅନେକ ବ୍ୟବସ୍ଥା କରାଯାଉଥିବା ରେଲୱେ ପକ୍ଷରୁ କୁହାଯାଇଛି ।