କନକ ବ୍ୟୁରୋ : ସମ୍ବଲପୁର: କ୍ଷେତରାଜପୁର-ରେମେଡ୍ ରୋଡ୍ ସ୍ଥିତ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍‌ର ଅଣ୍ଡର-୧୪ ଛାତ୍ରୀମାନଙ୍କ ବ୍ୟାଡମିଣ୍ଟନ୍ ଟିମ୍ ସହୋଦୟ କମ୍ପ୍ଲେକ୍ସ ପଶ୍ଚିମ ଓଡ଼ିଶା ଇଣ୍ଟର ସ୍କୁଲ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ ମ୍ୟାଚ୍‌ରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ସମ୍ବଲପୁରକୁ ୨୧-୮ ଏବଂ ୨୧-୧୩ ପଏଣ୍ଟରେ ପରାସ୍ତ କରି ପ୍ରଥମ ସ୍ଥାନ ହାସଲ କରି ବିଜେତା ଟ୍ରଫି ଜିତିଛି ।

Advertisment

ଏହି ପ୍ରତିଯୋଗିତା ୨୫ ଅକ୍ଟୋବର ୨୦୨୫ ରେ ବୁର୍ଲା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା, ଯେଉଁଥିରେ ସହୋଦୟ ଗ୍ରୁପ୍ ପଶ୍ଚିମ ଓଡ଼ିଶାର ମୋଟ୍ ୨୩ ଟି ସ୍କୁଲର ଟିମ୍ ଭାଗ ନେଇଥିଲେ । ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍ ଟିମ୍‌ରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବଂଶିକା ବଂଶଲ୍, ଅନିକା ଜୈନ୍, ମାନବୀ ପନ୍ସାରୀ ଏବଂ ସମୃଦ୍ଧି ଗୁପ୍ତା ସାମିଲ୍ ଥିଲେ । ଚାରି ଖେଳାଳି ନିଜର ବୁଦ୍ଧିମତ୍ତା ଓ କୌଶଳର ପରିଚୟ ଦେଇ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ଏବଂ ସେମିଫାଇନାଲ୍ ଏବଂ ଫାଇନାଲ୍ ଉଭୟ ମ୍ୟାଚ୍‌ରେ ନିଜ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌କୁ କଡ଼ା ଚ୍ୟାଲେଞ୍ଜ ଦେଇ ଏହି ସଫଳତା ହାସଲ କରିଥିଲେ ।

ଏହି ସଫଳତା କେବଳ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିନାହିଁ ବରଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖେଳ ପ୍ରତି ଉତ୍ସାହ ଓ ଆଗ୍ରହକୁ ମଧ୍ୟ ବଢ଼ାଇଛି । ବିଦ୍ୟାଳୟର ଏହି ସଫଳତା ପାଇଁ ଚେୟାରପର୍ସନ୍ ଶ୍ରୀମତୀ ସୁମନ ଡାଲମିଆ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେଶବ ଡାଲମିଆ ଏବଂ ପ୍ରିନ୍ସିପାଲ୍ ଶ୍ରୀ ସଚିନ୍ ପାଠକ ଛାତ୍ରୀମାନଙ୍କୁ ବିଶେଷ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି । ସେମାନେ ଛାତ୍ରୀମାନଙ୍କ ଅଭିଭାବକ ଏବଂ ଖେଳ ପ୍ରଶିକ୍ଷକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଏହିପରି ସଫଳତା ହାସଲ କରି ଆଗକୁ ବଢ଼ିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।