କନକ ବ୍ୟୁରୋ : ରାଜ୍ୟସଭାରେ ଆଜି ଭାରତୀୟ ବନ୍ଦର ବିଲ୍ ୨୦୨୫ ପାରିତ ହୋଇଛି । ଏହା ଭାରତୀୟ ବନ୍ଦର ଆଇନ ୧୯୦୮ ପରିବର୍ତ୍ତନ ନିମନ୍ତେ ଏକ ବ୍ୟାପକ ସଂସ୍କାର । ଏଥିରେ ଏକ ଶତାବ୍ଦୀରୁ ଅଧିକ ଔପନିବେଶ ଯୁଗର ନିୟନ୍ତ୍ରଣକୁ ସମାପ୍ତ କରି ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ଆଧୁନିକ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି ।  ପୂର୍ବରୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ବିଲ୍‌ ଉପସ୍ଥାପନ କରିଥିଲେ । ଲୋକସଭା ଦ୍ୱାରା ପୂର୍ବରୁ ମଞ୍ଜୁର ହୋଇଥିବା ଏହି ଆଇନକୁ ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । କାର୍ଯ୍ୟକାରୀ ହେବା ପରେ ଏହା  ଭାରତୀୟ ବନ୍ଦରଗୁଡ଼ିକରେ କାର୍ଯ୍ୟକାରୀତାକୁ ପରିବର୍ତ୍ତନ କରିବ, ବନ୍ଦର-ନେତୃତ୍ୱାଧୀନ ବିକାଶ ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ମଜବୁତ କରିବ ଏବଂ ଦେଶର ବାଣିଜ୍ୟ ମହତ୍ତ୍ୱାକାଂକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଏକ କ୍ଷେତ୍ରରେ ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

Advertisment

ଗତ ୧୦ ବର୍ଷ ମଧ୍ୟରେ ଭାରତର ସାମୁଦ୍ରିକ କ୍ଷେତ୍ର ଉଲ୍ଲେଖନୀୟ ଭାବରେ ବିସ୍ତାରିତ ହୋଇଛି । ପ୍ରମୁଖ ବନ୍ଦରଗୁଡ଼ିକରେ ପଣ୍ୟ ପରିଚାଳନା ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ୮୫୫ ନିୟୁତ ଟନ୍ ଛୁଇଁଛି । ଏହା ୨୦୧୪-୧୫ ଆର୍ଥିକ ବର୍ଷରେ ୫୮୧ ନିୟୁତ ଟନ୍ ଥିଲା । ସେହି ସମୟ ମଧ୍ୟରେ ବନ୍ଦର କ୍ଷମତା ପ୍ରାୟ ୮୭ପ୍ରତିଶତ ବୃଦ୍ଧି ପାଇଛି । ଜାହାଜଗୁଡ଼ିକର ହାରାହାରି ପରିବହନ ସମୟ ଅଧା ହୋଇ ୪୮ ଘଣ୍ଟା କରାଯାଇଛି, ଯାହା ବିଶ୍ୱ ମାନଦଣ୍ଡ ସହିତ ମେଳ ଖାଉଛି । ଉପକୂଳ ପରିବହନ ପରିମାଣ ଦୁଇ ଗୁଣାରୁ ଅଧିକ ହୋଇଛି ଏବଂ ୧୧୮ ପ୍ରତିଶତ ବୃଦ୍ଧି ପାଇଛି । ଆଭ୍ୟନ୍ତରୀଣ ଜଳପଥରେ ପଣ୍ୟ ପରିବହନ ପ୍ରାୟ ସାତ ଗୁଣ ବୃଦ୍ଧି ପାଇଛି । ଭାରତୀୟ ବନ୍ଦରଗୁଡ଼ିକ ବିଶ୍ୱବ୍ୟାଙ୍କର କଣ୍ଟେନର ବନ୍ଦର କାର୍ଯ୍ୟଦକ୍ଷତା ସୂଚକାଙ୍କରେ ସ୍ଥାନ ପାଇଛି ।

ଭାରତୀୟ ବନ୍ଦର ବିଲ୍ ୨୦୨୫ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ପାଇଁ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ (ଏମଏସଡିସି)କୁ ଏକ ସାମ୍ବିଧାନିକ ପରାମର୍ଶଦାତା ସଂସ୍ଥା ଭାବରେ ପ୍ରତିଷ୍ଠା କରିବ । ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ ରାଜ୍ୟ ସାମୁଦ୍ରିକ ବୋର୍ଡ ସ୍ଥାପନ କରିବାକୁ କ୍ଷମତା ଦିଆଯିବ । ଏହି ସଂସ୍କାର ଭାରତକୁ ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁରୋପୀୟ ସଂଘର ସଦସ୍ୟ ଏବଂ ଯୁକ୍ତରାଷ୍ଟ୍ର ସମେତ ବିଶ୍ୱର ପ୍ରମୁଖ ବନ୍ଦର ରାଷ୍ଟ୍ରଗୁଡ଼ିକ ସହିତ ସମାନ କରିବ ।