କନକ ବ୍ୟୁରୋ: ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଉଛି ଲର୍ଡସରେ ଭାରତୀୟ ଖେଳାଳି ନିଜ ଜଲଓ୍ୱା ଦେଖାଇଛନ୍ତି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ଇତିହାସ ରଚିଛନ୍ତି । ରିଷବ ପନ୍ତ, କେଏଲ ରାହୁଲ, ଶୁବମନ ଗିଲ୍ ଆଉ ଯଶପ୍ରିତ ବୁମରାହ ଅନେକ କିମ୍ୱଦନ୍ତୀଙ୍କୁ ପଛରେ ପକାଇଦେଇଛନ୍ତି ।
ଲର୍ଡସ୍ ଟେଷ୍ଟରେ ଖରାପ ଏବଂ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ, ଅଧିନାୟକ ଶୁବମନ ଗିଲ୍ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି । ସେ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ କରିଥିବା ଭାରତୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି । ଗିଲ୍ ଏପର୍ଯ୍ୟନ୍ତ ତିନୋଟି ଟେଷ୍ଟର ୬ ଇନିଂସରେ ୬୦୭ ରନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ପୂର୍ବତନ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ରାହୁଲ ଦ୍ରାବିଡଙ୍କ ନାମରେ ଥିଲା, ଯିଏ ୨୩ ବର୍ଷ ପୂର୍ବେ ୨୦୦୨ ମସିହାରେ ଇଂଲଣ୍ଡ ଗସ୍ତରେ ୬୦୨ ରନ କରିଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି ୨୦୧୬ ଗସ୍ତରେ ୫୯୩ ରନ କରିଥିଲେ ଏବେ ସେ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି ।
ସେହିପରି ଋଷଭ ପନ୍ତ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଛକା ମାରିବାରେ ମାହିର । ପନ୍ତ ଏପର୍ୟ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି । ପରିସଂଖ୍ୟାନ ଅନୁଯାୟୀ, ପନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ୩୫ଟି ଛକା ମାରିଛନ୍ତି, ଏବଂ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ସାର୍ ଭିଭିଆନ୍ ରିଚାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି । ଭିଭିଆନ୍ ରିଚାର୍ଡସ ଇଂଲଣ୍ଡ ବିପକ୍ଷରେ ୩୪ଟି ଛକା ମାରିଥିଲେ । ପନ୍ତଙ୍କ ଏହି ସଫଳତାକୁ ତାଙ୍କର ଆକ୍ରମଣାତ୍ମକ ଏବଂ ନିର୍ଭୀକ ବ୍ୟାଟିଂ ଶୈଳୀର ପ୍ରମାଣ କୁହାଯାଇପାରେ, ଯାହା ଟେଷ୍ଟ କ୍ରିକେଟରେ ମଧ୍ୟ ନୂତନ ଚିନ୍ତାଧାରାର ଝଲକ ଦେଇଛି ।
ଲର୍ଡସରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଋଷଭ ପନ୍ତ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି । ନିଜର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ବଳରେ ପନ୍ତ ଏହି କୃତିତ୍ୱ ହାସଲ କରିଛନ୍ତି । ପନ୍ତ ଇଂଲଣ୍ଡରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିଥିବା ଭାରତୀୟ ୱିକେଟକିପର ବ୍ୟାଟସମ୍ୟାନ୍ ହୋଇପାରିଛନ୍ତି । ସେ ୨୦୧୪ରେ ଧୋନିଙ୍କ ଦ୍ୱାରା ସ୍ଥାପିତ ୩୪୯ ରନର ରେକର୍ଡକୁ ଅତିକ୍ରମ କରି ୪୧୬ ରନ୍ ସଂଗ୍ରହ କରିଛନ୍ତି । ଏହାସହ ସେ ଇଂଲଣ୍ଡରେ ଗୋଟିଏ ଟେଷ୍ଟ ସିରିଜରେ ୪୦୦ରୁ ଅଧିକ ରନ୍ କରିଥିବା ପ୍ରଥମ ୱିକେଟକିପର ମଧ୍ୟ ହୋଇଛନ୍ତି ।
ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ପାଞ୍ଚ ୱିକେଟ୍ ଅକ୍ତିଆର କରିଛନ୍ତି । ଏହା ସହିତ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବିଦେଶ ମାଟିରେ ସର୍ବାଧିକ ୫ ୱିକେଟ୍ ଅକ୍ତିଆର କରିବାର ମହାନ ଅଲରାଉଣ୍ଡର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ବୁମରାହ ଲର୍ଡସ୍ ଅନର୍ସ ବୋର୍ଡରେ ନିଜ ନାମ ପଞ୍ଜିକୃତ କରିଥିବା ୧୫ତମ ଭାରତୀୟ ବୋଲର ହୋଇଛନ୍ତି । କପିଳ ଦେବ ୧୨ଥର ୫ ୱିକେଟ୍ ନେଇଥିଲା ବେଳେ ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଟେଷ୍ଟରେ ୧୩ ଥର ପାଇଁ ୫ ୱିକେଟ୍ ନେଇଥିଲେ ।
ତେବେ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ଗ୍ରାଉଣ୍ଡରେ ଭାରତୀୟ ଖେଳାଳିଙ୍କ ଏଭଳି ପ୍ରଦର୍ଶନ ନିହାତି ଭାବେ ଐତିହାସିକ ।