କନକ ବ୍ୟୁରୋ: ଭାରତୀୟ ଦଳରୁ ଖେଳିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ । ସମସ୍ତଙ୍କ ଜୀବନରେ ଏହି ସ୍ବପ୍ନ ସାକାର କରିବା ସମ୍ଭବ ହୋଇପାରେ ନାହିଁ, ଭାଗ୍ୟରେ ଜୁଟେ ବି ନାହିଁ । କ୍ରମେ ଭାରତ ବିଶ୍ବ କ୍ରିକେଟ୍ର ଅନ୍ୟତମ ମହାଶକ୍ତି ହେବା ଫଳରେ ଏହି ସୁଯୋଗ ବି ସୀମିତ ଓ ସଙ୍କୁଚିତ ହୋଇଚାଲିଛି । ଫଳରେ ଏବେ ବିଶ୍ବବ୍ୟାପୀ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି ଭାରତୀୟ ବଂଶୋଦ୍ଭବ । କେବଳ ଖେଳୁଛନ୍ତି ନୁହେଁ, ଅନ୍ୟ ଦେଶର ପ୍ରତିନିଧିତ୍ବ ସହ ବିଶ୍ବକପ୍ ସ୍ବପ୍ନ ବି ସାକାର କରିଚାଲିଛନ୍ତି । ଏକ ସଦ୍ୟତମ ସଂଖ୍ୟା କିନ୍ତୁ ସମସ୍ତଙ୍କୁ ଚକମାଇ ଦେଇଛି । ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଜଣେ ଦୁଇ ଜଣ ନୁହେଁ ୪୦ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ଅଂଶଗ୍ରହଣ କରିିବାକୁ ଯାଉଛନ୍ତି ।ଭାରତ ଓ ଶ୍ରୀଲଙ୍କାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏଥର ୨୦ ଦଳ ଅଂଶଗ୍ରହଣ କରୁଛନ୍ତି । ମୋନାକ ପଟେଲ୍, ସୌରଭ ନେତ୍ରଭାଲକର, ଯଶପ୍ରୀତ୍ ସିଂହ, ଆର୍ଯ୍ୟନ ଦତ୍ତଙ୍କ ଭଳି ଭାରତୀୟ ନାମ ରହିଛି ଅନ୍ୟ ଦଳରେ । ୨୦ ଦଳରେ ମୋଟ ୪୦ ଭାରତୀୟ ବଂଶୋଦ୍ଭବ କ୍ରିକେଟର୍ ଅଛନ୍ତି । ଏହି ସଂସ୍କରଣକୁ ପ୍ରବାସୀ ଭାରତୀୟଙ୍କ ବିଶ୍ବକପ୍ ବି କହିଲେ ଅତ୍ୟୁକ୍ତି ହେବ ନାହିଁ । ସର୍ବାଧିକ ୧୧ ଜଣ ବିଦେଶୀ ଭାରତୀୟ ରହିଛନ୍ତି କାନାଡ଼ା ଦଳରେ ।
ଏହା ବି ପଢ଼ନ୍ତୁ: ଭାରତ-ପାକିସ୍ତାନ ମୁକାବିଲା ଗୁରୁତ୍ବ ହରାଇଲାଣି
ଦ୍ବିତୀୟ ସର୍ବାଧିକ ୯ ଜଣ ଅଛନ୍ତି ଆମେରିକା ଦଳରେ । ସେହିଭଳି ୭ ଜଣ ଭାରତୀୟ ବଂଶୋଦ୍ଭବ ପ୍ରତିନିଧିତ୍ବ କରିବେ ସଂଯୁକ୍ତ ଆରବ୍ ଏମିରେଟ୍ରସ (ୟୁଏଇ)ର । ଗୁଜରାଟ ପାଇଁ ୧୯ ବର୍ଷରୁ କମ୍ ଦଳରେ ଖେଳିଥିବା ୩୨ ବର୍ଷୀୟ ମୋନାକ ପଟେଲ୍ ଭାରତରେ ସୁଯୋଗ ନପାଇବା ବିଶ୍ବାସରେ ପରିବାରକୁ ପିଛା କରି ଆମେରିକା ପଳାଇଥିଲେ । ଏବେ ସେ ଆମେରିକା ବିଶ୍ବକପ୍ ଦଳର ୱିକେଟରକ୍ଷକ ବ୍ୟାଟର୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ୨୦୧୯ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ ପରଠାରୁ ସେ ଆମେରିକାର ପ୍ରତିନିଧିତ୍ବ କରି ଆସୁଛନ୍ତି । ଇଟାଲି ପ୍ରଥମ ଥର ପଦାର୍ପଣ କରିବାକୁ ଯାଉଥିବାବେଳେ ଫଗୱାରା ଜନ୍ମିତ ଦ୍ରୁତ ବୋଲର ଯଶପ୍ରୀତ୍ ସିଂହ ଅଛନ୍ତି ଏହି ଦଳରେ । ଏକଦା ଆମେରିକାରେ ଉବେର ଚଳାଇ ଜୀବନ ନିର୍ବାହ କରୁଥିବା ଯଶପ୍ରୀତ୍ ଏବେ ବିଶ୍ବକପ୍ ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି । ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳିଥିବା ଆମେରିକା ଦଳର ବାମହାତୀ ସ୍ପିନର୍ ନେତ୍ରଭାଲକର ନିଜର ଦୁଇ ଆଦର୍ଶ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୱିକେଟ୍ ବି ଦଖଲ କରିଥିଲେ । ସଫ୍ଟୱେର୍ ପ୍ରଫେସନାଲ୍ ନେତ୍ରଭାଲକରଙ୍କ ଭଳି ଅଧିକାଂଶ ଖେଳାଳି ମଧ୍ୟ ସୌଖୀନ କ୍ରିକେଟର୍ । ପସନ୍ଦ ଓ ପେସାକୁ ଏମାନେ ସଫଳତାର ସୂତ୍ର କରିପାରିଛନ୍ତି । ୨୦୨୩ ବିଶ୍ବକପ୍ରେ ଖେଳିଥିବା ନେଦରଲାଣ୍ଡ୍ସ ଦଳର ଅଫସ୍ପିନର୍ ଆର୍ଯ୍ୟନ ଦତ୍ତ ବି ଆସିଛନ୍ତି । ସୁଯୋଗ ପାଇଲେ ପରିବାରକୁ ଦେଖିବାକୁ ଯିବି ବୋଲି ସେ କହିଛନ୍ତି । ଖେଳାଳିଙ୍କ ଛଡ଼ା ପୂର୍ବତନ ମୁମ୍ବାଇ କ୍ରିକେଟର୍ ସୁଲକ୍ଷଣ କୁଲକର୍ଣ୍ଣି ଏବେ ଓମାନ ଜାତୀୟ ଦଳର ସହକାରୀ ପ୍ରଶିକ୍ଷକ ଅଛନ୍ତି ।
Follow Us