କନକ ବ୍ୟୁରୋ : ୟେମନ ଜେଲରେ ଫାଶୀ ଦଣ୍ଡକୁ ସମ୍ନା କରୁଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଆସନ୍ତା କାଲି ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥାନ୍ତା । ହେଲେ ଗୋଟିଏ ଦିନ ପୂର୍ବରୁ ୟେମନ ସରକାର ଫାଶୀଦଣ୍ଡକୁ ସ୍ଥଗିତ ରଖିଛନ୍ତି । କେରଳର ପଲକ୍କଦ ଜିଲ୍ଲାର ନିମିଷା ପ୍ରିୟା ଜଣେ ବ୍ୟକ୍ତିଙ୍କ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । 

Advertisment

ନିମିଷାଙ୍କୁ ଦଣ୍ଡରୁ ରକ୍ଷା କରିବା ପାଇଁ ଗୋଟିଏ ରାସ୍ତା ଥିଲା କି, ହତ୍ୟା ହୋଇଥିବା ବ୍ୟକ୍ତିଜଣଙ୍କ ପରିବାର ସହାୟତା ନେବାକୁ ରାଜି ହେବା । ଯାହାକି ଏବେ ହତ୍ୟାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସହାୟତା ନେବାକୁ ରାଜି ହୋଇଛନ୍ତି । ସେପଟେ ଭାରତ ସରକାର ଆରମ୍ଭରୁ ନିମିଷାଙ୍କୁ ରକ୍ଷା କରିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଥିଲେ । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଭାରତ ସରକାର ଲଗାତର ଭାବେ ସ୍ଥାନୀୟ ଜେଲର ଅଧିକାରୀଙ୍କ ସହ ଯୋଗାଯୋଗ ରଖିଛନ୍ତି । ଯେଉଁ କାରଣରୁ ୟେମନ ସରକାର ଫାଶୀଦଣ୍ଡକୁ ସ୍ଥଗିତ ରଖିଛନ୍ତି । 

କେବଳ ଭାରତ ସରକାର ନୁହଁନ୍ତି ବରଂ ନିମିଷାଙ୍କୁ ମୁକ୍ତ କରିବାକୁ କେରଳ କାନ୍ତପୁରମର ପ୍ରଭାବଶାଳୀ ସୁନ୍ନି ମୁସଲିମ୍ ନେତା ଏପି ଅବୁବକ୍ର ମୁସାଲିୟାର ୟେମନର ସୁଫି ବିଦ୍ୱାନଙ୍କ ସହ ଏନେଇ ଯୋଗାଯୋଗ ଚଳାଇଛନ୍ତି । ଏହି କ୍ରମରେ ୟେମନର ପ୍ରଭାବଶାଳୀ ମୁସଲିମ୍ ନେତାମାନେ  ପୀଡ଼ିତ ପରିବାର ସହ ଯୋଗାଯୋଗ କରିଥିଲେ । ଏହାପରେ ପୀଡ଼ିତ ପରିବାର ସହାୟତା ନେବାକୁ ରାଜି ହୋଇଛନ୍ତି । ଫଳରେ ୟେମନ ସରକାର ଫାଶୀଦଣ୍ଡକୁ ସ୍ଥଗିତ ରଖିଛନ୍ତି ।