ଆଜିର ନାରୀ ପାଇଁ ସଫଳତାର ନୂଆ ପରିଭାଷା ସାଜିଲେ ତନୁଷ୍କା । ନାରୀ ଆଜି ଅବଳା ଦୁର୍ବଳା ନୁହେଁ, ନାରୀ ସଶକ୍ତ, ନାରୀ ସର୍ବଶକ୍ତିମାନ । ସେ ଚାହିଁଲେ ଇତିହାସ ତିଆରି କରିପାରେ, ଇତିହାସ ବଦଳାଇ ଦେଇ ପାରେ । ଆଜି ସମୟ ବଦଳିଛି, ଝିଅଟେ ପୁଅଠୁ କମ୍ ନୁହେଁ, ପରାକ୍ରମର ପରକାଷ୍ଠାରେ ଏକ ନୂଆ କାହାଣୀ ହେଉଛନ୍ତି ତନୁଷ୍କା । ତେବେ କିଏ ଏହି ତନୁଷ୍କା ସିଂ? କାହିଁକି ଆଜି ସେ ଚର୍ଚ୍ଚାରେ... କାହିଁକି ତାଙ୍କୁ ଆଜି ଏତେ ବାଃ ବାଃ ମିଳୁଛି । ଚାଲନ୍ତୁ ଜାଣିବା...
ତନୁଷ୍କା ସିଂ...ଯାହାଙ୍କ ପାଇଁ ଭାରତୀୟ ବାୟୁସେନାର ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡା ହୋଇଛି । ଜାଗୁଆର ଫାଇଟର ଜେଟ୍ ସ୍କ୍ୱାର୍ଡନରେ ନିଯୁକ୍ତି ପାଇ ଇତିହାସ ରଚିଛନ୍ତି ଫ୍ଲାଇଂ ଅଫିସର ତନୁଷ୍କା ସିଂହ । ଏହା କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ ବରଂ ଭାରତୀୟ ବାୟୁସେନାରେ ମହିଳାମାନଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣର ଏକ ବଡ଼ ସଙ୍କେତ । ଏଣିକି ଲଢୁଆ ଯୁଦ୍ଧ ବିମାନ ଜାଗୁଆର ଉଡାଇବେ ତନୁଷ୍କା ।
ତନୁଷ୍କାଙ୍କ ପରିବାର ବହୁତ ପୂର୍ବରୁ ଦେଶ ସେବା ସହିତ ଜଡିତ । ତାଙ୍କ ବାପା ଏବଂ ଜେଜେବାପା ଭାରତୀୟ ସେନାରେ କାର୍ଯ୍ୟ କରିଆସିଛନ୍ତି । ସେଇଥିପାଇଁ ତ ପିଲା ବେଳରୁ ହିଁ ତାଙ୍କ ମନରେ ଦେଶ ସେବା କରିବାର ଆଗ୍ରହ ଥିଲା । ଉତ୍ତରପ୍ରଦେଶର ବାସିନ୍ଦା ତନୁଷ୍କା ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସିଲ କରିଛନ୍ତି । ଆଜି ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢି ଚାଲିଛନ୍ତି ।
ତନୁଷ୍କାଙ୍କ ସ୍ୱପ୍ନ ଥିଲା ଭାରତୀୟ ସ୍ଥଳ ସେନାରେ ଯୋଗଦେବେ । କିନ୍ତୁ ଯେତେବେଳେ ଜାଣିବାକୁ ପାଇଲେ ଯେ ଭାରତୀୟ ବାୟୁସେନାରେ ବି ମହିଳାମାନଙ୍କ ପାଇଁ ସୁଯୋଗ ରହିଛି ସେ ନିଜର ଲକ୍ଷ୍ୟ ବଦଳାଇ ଦେଇଥିଲେ । ତାମିଲନାଡୁର ଡୁଣ୍ଡିଗାଲରେ ଥିବା ବାୟୁସେନା ଏକାଡେମୀରେ ତାଲିମ ନେଇଥିଲେ, ତାପରେ MK-132 ବିମାନ ଉପରେ ସ୍ୱତନ୍ତ୍ର ତାଲିମ ନେଇଥିଲେ ।
ଯଦିଓ ପୂର୍ବରୁ ତାଲିମ ସମୟରେ କିଛି ମହିଳା ପାଇଲଟ ଜାଗୁଆର ଲଢ଼ୁଆ ବିମାନ ଉଡ଼ାଇଛନ୍ତି କିନ୍ତୁ ଫ୍ଲାଇଂ ଅଫିସର ତନୁଷ୍କା ହେଉଛନ୍ତି ପ୍ରଥମ ମହିଳା ଯିଏକି ଏହି ସ୍କ୍ବାର୍ଡନରେ ସ୍ଥାୟୀ ଭାବରେ ନିଯୁକ୍ତ ହୋଇଛନ୍ତି । ଏହି ଲଢୁଆ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ଯୁଦ୍ଧ ପ୍ରସ୍ତୁତ କ୍ଷମତା ଏବଂ ଲକ୍ଷ୍ୟଭେଦି ଶକ୍ତି ପାଇଁ ଜଣାଶୁଣା । ତନୁଷ୍କା ଖୁବ୍ ଶୀଘ୍ର ସ୍କ୍ବାର୍ଡନ ଡିୟୁଟିରେ ନିୟୋଜିତ ହେବେ । ଏଭଳି ଏକ ସଫଳତା ହାସଲ କରି ଏବେ ତନୁଷ୍କା ସିଂ ଆଜିର ନାରୀ ସମାଜ ପାଇଁ ସାଜିଛନ୍ତି ପ୍ରେଣାର ଉତ୍ସ ।