କନକ ବ୍ୟୁରୋ : ଭାରତୀୟ ନୌସେନାର ବଢ଼ିଲା ବଳ । ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧଜାହାଜ ଆଇଏନଏସ ତମାଲ ସାମିଲ । ଋଷର କାଲିନିନଗ୍ରାଡ୍ ସହରରେ ଏହାକୁ ଭାରତୀୟ ନୌସେନାରେ ଆନୁଷ୍ଠାନିକ ଭାବରେ ସାମିଲ କରାଯାଇଛି । ଏହି ଯୁଦ୍ଧଜାହାଜ ସମୁଦ୍ରରେ ଦେଶର ଶତ୍ରୁମାନଙ୍କ ନିଦ ହଜାଇ ଦେଇଛି । ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଜେ. ସିଂହ ଏହି ଐତିହାସିକ ଅବସରରେ ଉପସ୍ଥିତ ଥିଲେ ।
ସମୁଦ୍ରର ନୂଆ ପ୍ରହରୀ ଆଇଏନଏସ ‘ତମାଲ’ । ଶତ୍ରୁଙ୍କୁ ଜଗିବ, ଦେଶର ସୁରକ୍ଷା କବଚ ସାଜିବ । ଭାରତ ଏବଂ ଋଷର ମିଳିତ ପ୍ରୟାସରେ ନିର୍ମିତ ଏହି ଯୁଦ୍ଧଜାହାଜରେ ୩୩ ପ୍ରତିଶତ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି । ଆଇଏନଏସ ତମାଲକୁ ପଶ୍ଚିମ ନୌସେନା କମାଣ୍ଡରେ ନିୟୋଜିତ କରାଯିବ । ଯାହା ଆରବ ସାଗର ଏବଂ ପାକିସ୍ତାନର କରାଚୀ ବନ୍ଦର ନିକଟରେ ଭାରତର ସାମୁଦ୍ରିକ ସୁରକ୍ଷାକୁ ଆହୁରି ମଜଭୁତ କରିବ । ଆଇଏନଏସ ତମାଲ ଏକ ଅତ୍ୟାଧୁନିକ ଯୁଦ୍ଧଜାହାଜ । ଯାହାର ନାଁ ଇନ୍ଦ୍ରଙ୍କ ଶକ୍ତିଶାଳୀ ଖଣ୍ଡା 'ତମାଲ' ଦ୍ୱାରା ଅନୁପ୍ରାଣିତ ହୋଇ ରଖାଯାଇଛି । ଏହା କେବଳ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ନୁହେଁ, ଏହାର ଗତି, ଅସ୍ତ୍ରଶସ୍ତ୍ର ଏବଂ ରଣନୈତିକ କ୍ଷମତା ବେଶ୍ ଶକ୍ତିଶାଳି । ଆଇଏନଏସ ତମାଲର ଲମ୍ବ ୧୨୫ ମିଟର ଏବଂ ଓଜନ ୩ ହଜାର ୯ ଶହ ଟନ୍ ।
ଏହା ସମୁଦ୍ରରେ ଝଡ଼ ପରି ଶତ୍ରୁ ଆଡ଼କୁ ଘଣ୍ଟା ପ୍ରତି ପ୍ରାୟ ୫୫ କିମିରେ ଗତି କରିପାରେ । ତମାଲ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରରେ ସଜ୍ଜିତ । ଟର୍ପେଡୋ, ଆଣ୍ଟି-ସବମେରିନ୍ ରକେଟ୍ ଏବଂ ଅନେକ ଉନ୍ନତ ରାଡାରରେ ଏହା ଆହୁରି ମାରାତ୍ମକ ହୋଇଛି । ଯାହା ସମୁଦ୍ର ଭିତରେ ଏବଂ ଭୂପୃଷ୍ଠରେ ଶତ୍ରୁକୁ ଧ୍ୱଂସ କରିବାରେ ସକ୍ଷମ । ତମାଲରେ ହେଲିକପ୍ଟର ଅପରେସନର ସୁବିଧା ଅଛି । ଏହା ଭାରତୀୟ ନୌସେନାରେ ସାମିଲ ହେବା ପରେ ପାକିସ୍ତାନ ଓ ଚୀନ ମନରେ ଛନକା ପଶିଲାଣି ।