କନକ ବ୍ୟୁରୋ: ବିଶ୍ବର ମହାନ ଫୁଟବଲ୍ ତାରକା ଲିଓନେଲ ମେସିଙ୍କ ଭାରତ ଗସ୍ତ ପୂର୍ବରୁ ଭାରତୀୟ ଫୁଟବଲ୍ ପ୍ରେମୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ଉଭୟ ପୁରୁଷ ଓ ମହିଳା ଦଳ ଲଗାତାର ଖରାପ ପ୍ରଦର୍ଶନ କରୁଥିଲା ବେଳେ ଘରୋଇ ଫୁଟ୍ବଲ୍ର ସବୁଠାରୁ ଲୋକପ୍ରିୟ ପେସାଦାର ଲିଗ୍ ‘ଆଇଏସ୍ଏଲ୍’ର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଦ୍ବାହି ଦେଇ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ଆଇଏସଏଲର ଆସନ୍ତା ସଂସ୍କରଣକୁ ସ୍ଥଗିତ କରିଦେଇଛି । ଏହାପରେ ଲିଗର ସମସ୍ତ ଫ୍ରାଞ୍ଚାଇଜ୍ ମାଲିକ ମାନେ ନିଜ ନିଜ ଦଳ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି । ସେପଟେ ଗତ ଶୁକ୍ରବାର ଉଚ୍ଚତମ ନ୍ୟାୟାଳୟ କରିଥିବା ଶୁଣାଣିରେ ଚଳିତ ଅଗଷ୍ଟ ୨୮ ସୁଦ୍ଧା ସମାଧାନର ବାଟ ବାହାର କରିବାକୁ ଏଆଇଏଫ୍ଏଫ୍ ଏବଂ ଏହାର ବ୍ୟବସାୟିକ ସଂସ୍ଥା ତଥା ଆଇଏସ୍ଏଲ୍ର ଆୟୋଜକ ଏଫ୍ଏସ୍ଏଲ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ବୈଠକ ବିଫଳ ହେବା ପରେ ଉଭୟ ପକ୍ଷ ମଙ୍ଗଳବାର କିମ୍ବା ବୁଧବାର ଆଉଥରେ ମିଳିତ ହେବାର ସମ୍ଭାବନା ରହିଛି । ୨୮ସୁଦ୍ଧା ଏକ ଦ୍ୱୈତ ପ୍ରସ୍ତାବ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ଦିଆଯିବ ବୋଲି ଏଆଇଏଫ୍ଏଫ୍ କହିବା ବି ଆଶ୍ବସ୍ତିକର ଖବର ହୋଇଛି । ହେଲେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି କୌଣସି ସମାଧାନ ନହୁଏ, ତାହେଲେ ଆସନ୍ତା ଋତୁରେ ଆଇଏସ୍ଏଲ୍ ଆୟୋଜନ ଆଶା ଏକପ୍ରକାର ମଉଳି ଯିବ ।
ସୂଚନାଯୋଗ୍ୟ ଯେ ଆଇଏସ୍ଏଲ୍ର କୌଣସି କ୍ଲବ୍ର ବାର୍ଷିକ ଚୁକ୍ତିକୁ ଏଆଇଏଫ୍ଏଫ୍ ନବୀକରଣ ନକରିବାରୁ ଏହି ବିବାଦ ଯୋଗୁ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା ମଧ୍ୟ ପ୍ରଭାବିତ ହୋଇପାରେ । କଳିଙ୍ଗ ସୁପର କପ୍ ନାମରେ ଖେଳାଯାଉଥିବା ଏହି ପ୍ରତିଯୋଗିତା ଆଇଲିଗ୍ ଓ ଆଇଏସ୍ଏଲ୍ର ଦଳଗୁଡ଼ିକୁ ନେଇ ଖେଳାଯାଇଥାଏ । ଓଡ଼ିଶା ସରକାରଙ୍କ ପ୍ରାୟୋଜନରେ ଚଳିତବର୍ଷ ୧୫ଟି ଦଳକୁ ନେଇ ଏହା କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିଲା । ଜାମସେଦପୁର ଏଫ୍ସିକୁ ଏଫ୍ସି ଗୋଆ ହରାଇ ବିଜେତା ହୋଇଥିଲା । ୨୦୨୩ରେ ଓଡ଼ିଶା ଏଫ୍ସି ଏହି ପ୍ରତିଯୋଗିତାର ବିଜେତା ହୋଇଥିଲା ।