ପ୍ରତିଟି ଖେଳାଳୀଙ୍କ ଜୀବନର ମୂଳମନ୍ତ୍ର ହେଉଛି ନିଜକୁ ଫିଟ୍ ରଖିବା । କ୍ରିକେଟର୍ ତ ଏହି କ୍ଷେତ୍ରରେ ପାଦେ ଆଗରେ । କ’ଣ ଖାଇବେ , କ’ଣ ନ ଖାଇବେ ଏଥିପାଇଁ ପ୍ରତିଟି କ୍ରିକେଟର୍ ବ୍ୟକ୍ତିଗତ ଡାଏଟିସିଆନଙ୍କ ପରାମର୍ଶ ମଧ୍ୟ ନିଅନ୍ତି । ଏମିତି ଅନେକ କ୍ରିକେଟର୍ ଅଛନ୍ତି ଯେଉଁମାନେ ପୂର୍ବରୁ ପ୍ରବଳ ମାତ୍ରାରେ ଆମିଷ ଖାଉଥିଲେ କିନ୍ତୁ ବର୍ତ୍ତମାନ ଶାକାହାରୀ ଏବଂ ଭେଗନ୍ ଖାଦ୍ୟଶୈଳୀକୁ ଆପଣାଇଛନ୍ତି । ଖେଳାଳୀ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଖାଦ୍ୟକୁ ନେଇ ପୋଷ୍ଟ୍ କରି ନିଜ ଫ୍ୟାନ୍ସଙ୍କୁ ସେହି ଦିଗରେ ଯିବା ପାଇଁ ମୋଟିଭେଟ୍ ମଧ୍ୟ କରନ୍ତି । ଏହି ତାଲିକାରେ ଅନେକ ନାମୀଦାମୀ କ୍ରିକେଟର୍ ରହିଛନ୍ତି ।
ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ବିରାଟ୍ କୋହଲୀ ଏକ ପଞ୍ଜାବୀ ପରିବାରରୁ ଆସିଛନ୍ତି । ପୂର୍ବରୁ ତାଙ୍କୁ ନନଭେଜ୍ ଖାଦ୍ୟ ଭାରି ପସନ୍ଦ ଥିଲା । କିନ୍ତୁ ୨୦୧୮ ମସିହାରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଭେଗନ୍ ଡ଼ାଇଟ୍ ଫଲୋ କରିବା ଆରମ୍ଭ କରିଥିଲେ । ଏଯାବତ୍ ସେ ଭେଗନ୍ ଖାଦ୍ୟ ଖାଇ ନିଜକୁ ଫିଟ୍ ରଖିଛନ୍ତି ।
ନିଜ ହେଲିକ୍ୟାପ୍ଟର ସଟରେ ସାରା ବିଶ୍ୱକୁ ପାଗଳ କରିଥିବା କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ମାଛ , ମାଂସ ବଦଳରେ କ୍ଷୀରରୁ ଜାତ ଉତ୍ପାଦ ଏବଂ ସବୁଜ ପନିପରିବାକୁ ଗ୍ରହଣ କରିବାକୁ ପସନ୍ଦ କରନ୍ତି । ସେ ପୂର୍ବରୁ ପ୍ରବଳ ଚିକେନ୍ ଖାଉଥିଲେ କିନ୍ତୁ ଫିଟନେସ୍ ପାଇଁ ଭେଜିଟେରିଅନ୍ ଡାଏଟ୍ ଫଲୋ କରୁଛନ୍ତି ।
କ୍ରିକେଟର୍ ଗବର ବା ଶିଖର ଧୱନ ମଧ୍ୟ ପୂର୍ବରୁ ଖୁବ୍ ଆମିଷ ପ୍ରେମୀ ଥିଲେ । କିନ୍ତୁ ଏକ ସାକ୍ଷାତକାରରେ ସେ ଶାକାହାରୀ ଖାଦ୍ୟ ଖାଇବା କଥା କହିଥିଲେ । ସେ କହିଥିଲେ , ୨୦୧୮ ମସିହା ପରଠାରୁ ମୁଁ ଆମିଷ ଛାଡ଼ି ନିରାମିଷ ଭୋଜନ ଗ୍ରହଣ କରିବା ଆରମ୍ଭ କରିଛି । ନନଭେଜ୍ ଖାଇବା ଦ୍ୱାରା ମୋ ଜୀବନରେ ନକାରାତ୍ମକ ଭାବନା ଆସୁଥିଲା । ମୋ ମନ ଆଧ୍ୟାତ୍ମିକତା ମାର୍ଗରେ ଯିବାକୁ ଚାହୁଁଥିଲା ଏବଂ ଆମିଷ ଛାଡ଼ିବା ପରେ ଏବେ ମୋ ମାନସିକ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଅଧିକ ସକରାତ୍ମକ ଭାବନା ଆଡ଼କୁ ଅଗ୍ରସର ହୋଇଛି ।
ଏହି ଦିଗରେ ଦେଖିବାକୁ ଗଲେ କ୍ରିକେଟର୍ ମନୀଷ୍ ପାଣ୍ଡେ ମଧ୍ୟ କିଛି ବର୍ଷ ହେଲାଣି ନିରାମିଷ ଡାଏଟ୍ ଫଲୋ କରୁଛନ୍ତି । ଭେଜିଟେରିୟନ୍ ହେବା ପରେ ସେ ନିଜକୁ ଫିଟ୍ ଏବଂ ଫୁର୍ତ୍ତିବାନ ଅନୁଭବ କରୁଛନ୍ତି । ଭୁବନେଶ୍ୱର କୁମାର ନିଜକୁ ମୈଦାନରେ ସକ୍ରିୟ ରଖିବା ପାଇଁ ଭେଜ୍ ଡାଏଟକୁ ଫଲୋ କରନ୍ତି । ଭାରତୀୟ କ୍ରିକେଟ୍ ଟିମର ପୂର୍ବ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ୍ ମଧ୍ୟ ନିରାମିଷ ଭୋଜନ ଖାଇବାକୁ ପସନ୍ଦ କରନ୍ତି । ଚେତେଶ୍ୱର ପୂଜାରା ନିଜକୁ ଫିଟ୍ ରଖିବା ପାଇଁ ନିରାମିଷ ଭୋଜନ ଖାଇବା ସହ ଲଙ୍କାଯୁକ୍ତ ଏବଂ ମସଲା ଖାଇବା ଠାରୁ ଦୂରେଇ ରୁହନ୍ତି । ଇଶାନ୍ ଶର୍ମା ମଧ୍ୟ ଲେକ୍ଟୋ-ଶାକାହାରୀ ଅଟନ୍ତି , ଏହି ଡାଏଟରେ ଦୁଗ୍ଧ ଉତ୍ପାଦ ସହ ପ୍ରୋଟିନ୍ ପାଇଁ ଅଣ୍ଡା ଖାଆନ୍ତି ଇଶାନ୍ । ରବିଚନ୍ଦ୍ରନ୍ ଅଶ୍ୱିନ୍ ନନଭେଜ୍ ବଦଳରେ ଭେଗନ୍ ଡାଏଟ୍ ଫଲୋ କରନ୍ତି । ଏଥିରେ ନନଭେଜ୍ ହେଉ କିମ୍ବା ଦୁଗ୍ଧଜାତୀୟ କୌଣସି ଉତ୍ପାଦକୁ ଗ୍ରହଣ କରାଯାଏ ନାହିଁ ।
ହିଟମ୍ୟାନ୍ ନାମରେ ଚର୍ଚ୍ଚିତ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ୍ ଶର୍ମା ମଧ୍ୟ କେବେ ଅତ୍ୟଧିକ ଆମିଷ ଭକ୍ଷଣ କରୁଥିଲେ । କିନ୍ତୁ ସେ ଏବେ ମାଛ,ମାଂସ ଖାଦ୍ୟରୁ ଯଥାସମ୍ଭବ ଦୂରେଇ ରହି ନିରାମିଷ ଖାଦ୍ୟ ଆଡ଼କୁ ନିଜ ମନ ବଳେଇଛନ୍ତି । ପ୍ରୋଟିନର ଅଭାବକୁ ପୁରଣ କରିବା ପାଇଁ କେବଳ ଅଣ୍ଡା ସେବନ କରନ୍ତି । ଘର ପ୍ରସ୍ତୁତ ଖାଦ୍ୟ ତାଙ୍କୁ ଖାଇବାକୁ ଅଧିକ ଭଲ ଲାଗେ । କ୍ରିକେଟ୍ ଟୁରରେ ଥିବା ସମୟରେ ତୈଳଯୁକ୍ତ ଖାଦ୍ୟ ଏବଂ ନନଭେଜ୍ ଠାରୁ ଦୂରେଇ ରୁହନ୍ତି ରୋହିତ୍ ।