କନକ ବ୍ୟୁରୋ : ଆତଙ୍କବାଦ ଏବଂ ଉଗ୍ରବାଦର ମୁକାବିଲା ପାଇଁ ଭାରତ ସମୟ ସମୟରେ ନିଜ ସର୍ତ୍ତରେ ପଦକ୍ଷେପ ନେଇଆସୁଛି । ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଅନେକ ଶିବିରକୁ ଧ୍ୱଂସ କରିଛି । ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୂର ଏହାର ଜ୍ବଳନ୍ତ ଉଦାହରଣ । ତେବେ ଖାଲି ପାକିସ୍ତାନ ନୁହେଁ ଭାରତୀୟ ସେନାର ସିଂହ ଅନ୍ୟ ଦେଶରେ ମଧ୍ୟ ଘରେ ପଶି ଆତଙ୍କବାଦୀଙ୍କୁ ମାରି ଗଡ଼ାଇଛନ୍ତି । ଭାରତୀୟ ସେନା ୨୦୨୫ ମସିହାରେ ମିଆଁମାରରେ 'ପ୍ରିସିସନ୍ ଷ୍ଟ୍ରାଇକ୍' କରି ଅନେକ ଉଗ୍ରବାଦୀଙ୍କୁ ନିହତ କରିବା ସହ ସେମାନଙ୍କ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା । ଭାରତୀୟ ଯବାନଙ୍କ ଏହି ଅଦ୍ଭୁତ ଶୌର୍ଯ୍ୟକୁ ସାରା ଦେଶ ସଲାମ କରିଛି । ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ଗୋପନୀୟ ଅଭିଯାନର ଅଂଶ ଥିବା ଜଣେ ଯବାନଙ୍କୁ 'ଶୌର୍ଯ୍ୟ ଚକ୍ର' ମଧ୍ୟ ପ୍ରଦାନ କରାଯାଇଛି । ଏହା ସହ ପ୍ରଥମ ଥର ପାଇଁ ମିଆଁମାରରେ ଚାଲିଥିବା ଗୋପନୀୟ ପ୍ରିସିସନ୍ ଷ୍ଟ୍ରାଇକକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯାଇଛି ।
ଆଗକୁ ପଢ଼ନ୍ତୁ : ଯେବେ ଲତା ଗାଇଥିଲେ ‘ଏ ମେରେ ୱତନ କେ ଲୋଗୋ’... କାନ୍ଦି ପକାଇଥିଲେ ଜବାହରଲାଲ ନେହରୁ
ଶୌର୍ଯ୍ୟ ଚକ୍ର ସହ ଜଡ଼ିତ ଏକ ଆଧିକାରିକ ପ୍ରଶସ୍ତି ପତ୍ର (ସାଇଟେସନ୍) ମାଧ୍ୟମରେ ଭାରତୀୟ ସେନା ଦ୍ୱାରା ଜୁଲାଇ ୨୦୨୫ରେ ମିଆଁମାର ମଧ୍ୟରେ କରାଯାଇଥିବା ଏକ ଗୋପନୀୟ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଖୁଲାସା ହୋଇଛି । ଏହି ଅପରେସନ୍ ୧୧ ରୁ ୧୩ ଜୁଲାଇ ମଧ୍ୟରେ ଭାରତ-ମିଆଁମାର ସୀମା ଅଞ୍ଚଳରେ କରାଯାଇଥିଲା । ବର୍ତ୍ତମାନ ଏହାକୁ ଆଧିକାରିକ ଭାବେ ସ୍ୱୀକାର କରାଯାଇଛି । ୨୧ ପାରା ସ୍ପେଶାଲ ଫୋର୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଘାଟଗେ ଆଦିତ୍ୟ ଶ୍ରୀକୁମାରଙ୍କୁ ଏହି ସାହସିକ ଅଭିଯାନର ପ୍ଲାନିଙ୍ଗ୍ ଏବଂ ନେତୃତ୍ୱ ନେଇଥିବାରୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି । ସାଇଟେସନ୍ ଅନୁଯାୟୀ ତାଙ୍କ ନେତୃତ୍ୱରେ କରାଯାଇଥିବା ସଠିକ୍ ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନରେ ଏକ ଶକ୍ତିଶାଳୀ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା ଯେଉଁଥିରେ ୯ ଜଣ ସଶସ୍ତ୍ର କ୍ୟାଡର ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଏକ କୁଖ୍ୟାତ ଦେଶବିରୋଧୀ ସଂଗଠନର ବରିଷ୍ଠ ନେତା ମଧ୍ୟ ସାମିଲ ଥିଲେ । ଯଦିଓ ସେନା ଅପରେସନର ସ୍ଥାନ ଏବଂ ଲକ୍ଷ୍ୟ ସଂଗଠନର ନାମ ସାର୍ବଜନୀନ କରିନାହିଁ କିନ୍ତୁ ଏହି ଘଟଣା ସେହି ସମୟର ଦାବି ସହିତ ମେଳ ଖାଉଛି, ଯେତେବେଳେ ଜୁଲାଇ ୨୦୨୫ରେ ପ୍ରତିବନ୍ଧିତ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ମିଆଁମାରର ସାଗାଇଙ୍ଗ ଅଞ୍ଚଳରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ତାଙ୍କର ତିନିଜଣ ଶୀର୍ଷ ନେତାଙ୍କ ମୃତ୍ୟୁ ଘଟିଥିବା କଥା କହିଥିଲା । ସଂଗଠନ ଅଭିଯୋଗ କରିଥିଲା ଯେ ଭାରତୀୟ ସେନା ତାଙ୍କର ମୋବାଇଲ୍ କ୍ୟାମ୍ପଗୁଡ଼ିକୁ ଟାର୍ଗେଟ୍ କରିଛି । ‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ ସେହି ସମୟରେ ଭାରତୀୟ ସେନା ଏହି ଘଟଣାକୁ ମନା କରିଦେଇଥିଲା ଯେତେବେଳେ କି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ରାଜ୍ୟ ପୁଲିସ ଏଭଳି କୌଣସି କାର୍ଯ୍ୟାନୁଷ୍ଠାନରେ ସାମିଲ ନାହିଁ ।
ଶୌର୍ଯ୍ୟ ଚକ୍ର ସାଇଟେସନରେ ଅପରେସନର ଗୋପନୀୟତା ବଜାୟ ରଖି କେବଳ କୁହାଯାଇଛି ଯେ ଲକ୍ଷ୍ୟ ଏକ ଦେଶବିରୋଧୀ ସଂଗଠନର ଶିବିର ଥିଲା। ଏଥିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଘାଟଗେଙ୍କ ଅସାଧାରଣ ନେତୃତ୍ୱ କ୍ଷମତା, ରଣନୈତିକ କୌଶଳ ଏବଂ କଠିନ ପରିସ୍ଥିତିରେ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଶଂସା କରାଯାଇଛି । ସେନା ଅନୁସାରେ, ତାଙ୍କ ନେତୃତ୍ୱରେ ମିଶନକୁ କୌଣସି କ୍ଷତି ନହୋଇ ସଫଳତାର ସହ ଶେଷ କରାଯାଇଥିଲା । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଭାରତର ସୀମାପାର ଆତଙ୍କବାଦ ବିରୋଧୀ ରଣନୀତି ପାଇଁ ଏହି ଖୁଲାସା ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ । ଯଦିଓ ସରକାର ଏବଂ ସେନା ଏବେ ମଧ୍ୟ ଏଭଳି ଅଭିଯାନ ଉପରେ ସାର୍ବଜନୀନ ଭାବେ ସୀମିତ ସୂଚନା ପ୍ରଦାନ କରୁଛନ୍ତି କିନ୍ତୁ ଏହି ସମ୍ମାନ ମାଧ୍ୟମରେ ପ୍ରଥମ ଥର ପାଇଁ ଅପରେସନର ସ୍ଥିତି ନିଶ୍ଚିତ ହୋଇପାରିଛି । ଏହି ମାମଲା ଭାରତର ଜାତୀୟ ସୁରକ୍ଷା ନୀତିରେ ସଠିକ୍, ସୀମିତ ଏବଂ ଗୋପନୀୟ ଅଭିଯାନର ଭୂମିକାକୁ ମଧ୍ୟ ରେଖାଙ୍କିତ କରୁଛି, ଯାହାର ଉଦ୍ଦେଶ୍ୟ ହେଉଛି କୌଣସି ବଡ଼ କୂଟନୈତିକ ଉତ୍ତେଜନା ବିନା ସୀମା ଆରପାରିରେ ସକ୍ରିୟ ଆତଙ୍କବାଦୀ ଭିତ୍ତିଭୂମିକୁ ଦୁର୍ବଳ କରିବ। ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/29/india-2026-01-29-07-12-35.jpg)