କନକ ବ୍ୟୁରୋ:ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୁଗ ଏବଂ ଯୁଦ୍ଧ ଶୈଳୀ ଏବେ ଶେଷ ହୋଇଛି । ବର୍ତ୍ତମାନ ଡ୍ରୋନ୍, ଗୁପ୍ତ ଯୁଦ୍ଧ ବିମାନ,ଏୟାରକ୍ରାଫ୍ଟ ଇତ୍ୟାଦି ଅଧିକ ପ୍ରଭାବଶାଳୀ ହୋଇଗଲାଣି । ଦେଶ ପାଇଁ ସେନାର ଅବସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ । ସୀମା ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରକାରର ସର୍ଚ୍ଚିଂ ଅପରେସନ ପାଇଁ ଏକ ଶକ୍ତିଶାଳୀ ଆର୍ମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ସହିତ ଭାରତ ମଧ୍ୟ ଏ କଥାକୁ ବହୁତ ଭଲ ଭାବରେ ବୁଝୁଛି ସେଥିପାଇଁ ଭାରତୀୟ ସେନାକୁ ମଜବୁତ୍ କରିବା ପାଇଁ ପ୍ରୟାସ ନିରନ୍ତର ଚାଲିଛି । ଏହି ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟାପାର କମିଟି (CCS) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ CCS ବୈଠକରେ ୭୦୦୦ କୋଟି ଟଙ୍କାର ସ୍ୱଦେଶୀ ଆର୍ଟିଲରୀ ଗନ୍ କ୍ରୟ ଚୁକ୍ତିକୁ ଗ୍ରିନ୍ ସିଗ୍ନାଲ୍ ଦିଆଯାଇଛି । ଭାରତ ଫୋର୍ଜ ଏବଂ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ମିଳିତ ଭାବରେ ଏହାକୁ ଦେଶରେ ଉତ୍ପାଦନ କରିବେ । ଏହି ଆର୍ଟୀଲରି ଗନ୍ର କାର୍ଯ୍ୟ ଶତ୍ରୁମାନଙ୍କ ହୋସ ଉଡାଇବା ପାଇଁ ଯଥେଷ୍ଟ ।
ଭାରତୀୟ ସେନା ଦୀର୍ଘଦିନ ଧରି ଲଙ୍ଗ୍ ରେଞ୍ଜ୍ର ଆର୍ଟିଲରୀ ଗନ୍ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସୁଛି । ଯାହାଦ୍ୱାରା କି ଶତ୍ରୁ ପାଖକୁ ଆସିବା ପୂର୍ବରୁ ହିଁ ସେମାନଙ୍କୁ ନିପାତ କରାଯାଇ ପାରିବ । ସରକାର ଏବେ ସେମାନଙ୍କ ଦାବି ଶୁଣିଛନ୍ତି ଏବଂ ବହୁତ ଦୂରରୁ ମାରିବାର କ୍ଷମତା ରଖୁଥିବା ସ୍ୱଦେଶୀ ଆର୍ଟିଲରୀ ଗନ୍ ତିଆରି କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ସୁରକ୍ଷା ବ୍ୟାପାର କମିଟି (CCS) ୭୦୦୦ କୋଟିର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦୁଇଟି ଭାରତୀୟ କମ୍ପାନୀ ସହିତ ମିଶି ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲରୀ ଗନ୍ ତିଆରି କରିବ । ଯାହା ଫଳରେ ସେନାର ଦୀର୍ଘଦିନର ଦାବି ପୂରଣ ହେବ । ବିଶେଷକରି ସୀମାନ୍ତ ଅଞ୍ଚଳରେ ଏହି ଗନ୍ର ଆବଶ୍ୟକତା ଅଧିକ ରହିଛି । ଆଜିକାଲି ଗୁପ୍ତଚରମାନଙ୍କର ଡ୍ରୋନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବାର କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ପାକିସ୍ତାନ ଏପରି କାର୍ଯ୍ୟକଳାପ ଲଗାତାର ଭାବରେ କରୁଛି ।
ଲଙ୍ଗ୍ ରେଞ୍ଜ୍ର ଆର୍ଟିଲରୀ ଗନ୍ର ସ୍ୱତନ୍ତ୍ରତା ଶତ୍ରୁମାନଙ୍କୁ ଭୟଭୀତ କରିବା ପାଇଁ ଯଥେଷ୍ଟ । 'ଇକୋନୋମିକ୍ ଟାଇମ୍ସ'ର ରିପୋର୍ଟ ଅନୁଯାୟୀ, ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲରୀ ଗନ୍ ସିଷ୍ଟମ୍ (ATAGS) ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର । ATAGS ଦେଶରେ ବିକଶିତ ହେବାକୁ ଥିବା ପ୍ରଥମ ୧୫୫ ମି.ମି ଆର୍ଟିଲରୀ । ଏହାର ମାରିବାର କ୍ଷମତା ବହୁତ ଅଧିକ , ଯାହା ଫଳରେ ଶତ୍ରୁମାନେ ତାଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଧ୍ୱଂସ କରାଯାଇପାରିବ । ଏହି ଗନ୍ର ଗୁଳିମାଡ଼ ରେଞ୍ଜ ୪୦ କିଲୋମିଟର ହେବ,ଏହା ସହିତ ଏଥିରେ ୫୨ କ୍ୟାଲିବର ବ୍ୟାରେଲ ରହିବ । ବିଶେଷକରି ଫାୟାରିଂ ରେଞ୍ଜ ବୃଦ୍ଧି ଶତ୍ରୁମାନଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିବ ।
ଭାରତୀୟ ସେନା ସ୍ୱଦେଶୀ ଭାବରେ ପରବର୍ତ୍ତୀ ପିଢ଼ିର ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି । ଏହାର ଅର୍ଥ ହେଉଛି ଆଗାମୀ ସମୟରେ ଦେଶରେ ଆହୁରି ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଆରମ୍ଭ ହେବ । ଏହାର ଉଦ୍ଦେଶ୍ୟ ହେଉଛି ଦଶନ୍ଧି ଧରି ଅନ୍ୟ ଦେଶ ଉପରେ ନିର୍ଭରଶୀଳତାକୁ ଧୀରେ ଧୀରେ ଶେଷ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ।