କନକ ବ୍ୟୁରୋ : ତଳେ ଜଗିଥିଲା ମୃତ୍ୟୁ , ଛାତ ଉପରେ ଛିଡ଼ା ହୋଇଥିଲା ଜୀବନ ଆଉ ଠିକ୍ ସେତିକିବେଳେ ଦେବଦୂତ ହୋଇ ଆସିଲେ ବାୟୁସେନାର ବୀର ଯବାନ । ଆଉ ମୃତ୍ୟୁର ଆଁରୁ ଟାଣି ଆଣିଲେ ଜୀବନ । ଘଟଣାଟି ହେଉଛି ପଞ୍ଜାବର । ଆଜି ସକାଳ ୬ ଟାରେ ଏକ ବିଲ୍ଡିଂରେ ୩ ଜଣ ନାଗରିକଙ୍କ ସହ ଫସି ରହିଥିବା ୨୨ ଜଣ ସିଆରପିଏଫ ଯବାନଙ୍କୁ କିଛି ଏଭଳି ଭାବରେ ଉଦ୍ଧାର କରିଥିଲେ ବାୟୁସେନାର ବାୟୁବୀର । ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ବେଳେ ଫସି ଯାଇଥିଲେ ସିଆରପିଏଫ ଯବାନ । ଯବାନ ଏବଂ ନାଗରିକଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ବାୟୁସେନାର ଯବାନ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଉଦ୍ଧାର କରିବାର କିଛି ସମୟ ପରେ ପୂରା ଘରଟି ଭୁଷୁଡ଼ି ପଡ଼ିଥିଲା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।  

Advertisment

ଚଳିତବର୍ଷ ପ୍ରକୃତିର କରାଳ ରୂପର ସାକ୍ଷୀ ହେଲାଣି ଭାରତର ଅନେକ ରାଜ୍ୟ । ଦେବଭୂମିରୁ ଆରମ୍ଭ କରି ଭାରତର ଭୂସ୍ବର୍ଗ ପର୍ଯ୍ୟନ୍ତ ବାଦଲଫଟା ବର୍ଷା ଧ୍ବଂସ ସୃଷ୍ଟି କରିଚାଲିଛି । ସମତଳ ଅଞ୍ଚଳରେ ବି ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ରାଜସ୍ଥାନରୁ ଆରମ୍ଭ କରି ପଞ୍ଜାବରେ ମଧ୍ୟ ଡ୍ୟାମମାନଙ୍କରେ ଲଗାତାର ପାଣି ଛଡ଼ାଯାଉଛି । ବର୍ଷା ଏବଂ ବନ୍ଧରୁ ପାଣି ଛଡ଼ାଯିବା କାରଣରୁ ପଞ୍ଜାବରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ପଞ୍ଜାବରେ ହଜାର ହଜାର ଏକର ଚାଷ ଜମି , ନଦୀ କୂଳରେ ବସବାସ କରୁଥିବା ଗାଁ ପାଣିରେ ବୁଡ଼ି ଯାଇଛି । ରାସ୍ତା ଧୋଇ ହୋଇଗଲାଣି । ଏହି କାରଣ ଯୋଗୁଁ ଅନେକ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି । ଏପରି ପରିସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ଲୋକେ । ଗତ ୨୪ ଘଣ୍ଟାରେ ପୋଙ୍ଗ ବନ୍ଧ ଏବଂ ରଣଜିତ ସାଗର ବନ୍ଧର ଜଳସ୍ତର ବିପଦ ସଙ୍କେତକୁ ପାର କରିଯାଇଛି ।

ରାଜ୍ୟରେ ବେକାବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଜାବ ପୁଲିସ ସହିତ ସେନା, ସୀମା ସୁରକ୍ଷା ବଳ (ବିଏସଏଫ), ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳ (ଏସଡିଆରଏଫ) ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଲୋକମାନଙ୍କୁ ହେଲିକପ୍ଟରରେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଭାରତୀୟ ସେନା କହିଛି ଯେ ମଙ୍ଗଳବାର ଠାରୁ ମାଧୋପୁର ହେଡୱାର୍କସ (ପଞ୍ଜାବ) ନିକଟରେ ଏକ ବିଲଡିଂରେ ଫସି ରହିଥିବା ତିନି ଜଣ ନାଗରିକଙ୍କ ସହିତ ୨୨ ଜଣ ସିଆରପିଏଫ ଯବାନଙ୍କୁ ଉଦ୍ଧାର କରାଯାଇଛି ।