କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରର ନୂଆ ଭିଡିଓ ଜାରି କରିଛି ଭାରତୀୟ ସେନା । ଯେଉଁଥିରେ ଯବାନଙ୍କ ଅଦମ୍ୟ ସାହସ ଓ ବୀରତ୍ୱର କଥା ବଖାଣି ଭିଡିଓ ଜାରି କରିଛି ସେନାର ୱେଷ୍ଟର୍ଣ୍ଣ କମାଣ୍ଡ । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତୀୟ ସେନା କିପରି ପାକିସ୍ତାନକୁ ଧୂଳି ଚଟାଇଛନ୍ତି, ତାହା ଏହି ଭିଡିଓରେ ଦର୍ଶାଯାଇଛି ।
- ନୂଆ ଭିଡିଓ ଜାରି କଲା ଭାରତୀୟ ସେନା
- 'ପହଲଗାମ୍ର ପ୍ରତିଶୋଧ ନେଇନୁ, ନ୍ୟାୟ କରିଛୁ'
ପ୍ରତିଶୋଧ ନୁହେଁ ନ୍ୟାୟ, ପହଲଗାମ ଆତଙ୍କୀ ଆକ୍ରମଣର ଜବାବ । ଅପରେସନ୍ ସିନ୍ଦୂରର ନୂଆ ଭିଡିଓ ଜାରି କରିଛି ଭାରତୀୟ ସେନା । ସୋସିଆଲ ମିଡିଆ ‘ଏକ୍ସ’ରେ ଭିଡିଓ ପୋଷ୍ଟ କରିଛି ସେନାର ୱେଷ୍ଟର୍ଣ୍ଣ କମାଣ୍ଡ । ଭାରତୀୟ ସେନା ପାକିସ୍ତାନକୁ କିପରି ଧୂଳି ଚଟାଇଛି, ତାହାକୁ ଏହି ଭିଡିଓ ମାଧ୍ୟମରେ ବଖାଣିଛି ଭାରତୀୟ ସେନା । ଯବାନମାନେ କହିଛନ୍ତି ଏହାର ଆରମ୍ଭ ପହଲଗାମ ଆତଙ୍କୀ ଆକ୍ରମଣରୁ ହୋଇଥିଲା । ମନରେ ଗୋଟିଏ ବିଚାର ଥିଲା, ଏଥର ଏମିତି ଶିକ୍ଷା ଦେବୁ, ଯାହାକୁ ପିଢ଼ି ପରେ ପିଢ଼ି ମନେରଖିବେ ଆତଙ୍କୀ । ଏହା ପ୍ରତିଶୋଧ ନଥିଲା, ବରଂ ପାକିସ୍ତାନକୁ ବୁଦ୍ଧି ଶିଖାଇବା ଜରୁରି ଥିଲା ବୋଲି ଭିଡିଓରେ କହିଛନ୍ତି ଭାରତୀୟ ଯବାନ ।
- ଅନିର୍ଦ୍ଦିଷ୍ଟ କାଳ ଯାଏଁ ରହିବ ଅସ୍ତ୍ରବିରତି
- ହେଲାନି ଡିଜିଏମଓ ସ୍ତରୀୟ ଆଲୋଚନା
ଗଣମାଧ୍ୟମରେ ପ୍ରକାଶିତ କେତେକ ରିପୋର୍ଟକୁ ଖଣ୍ଡନ କରିଛି ଭାରତୀୟ ସେନା । ସୂଚନା ଦିଆଯାଇଛି ଯେ, ଆଜି ଡିଜିଏମଓସ୍ତରୀୟ କୌଣସି ଆଲୋଚନା ପାଇଁ ନିଷ୍ପତ୍ତି ହୋଇନଥିଲା । ମେ ୧୨ ତାରିଖରେ ଆଲୋଚନା ବେଳେ ଏଭଳି କୌଣସି ପ୍ରସ୍ତାବ ନଥିଲା । ଏପରିକି ଦୁଇଦେଶ ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ହୋଇଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେପଟେ ଜମ୍ମୁ-କାଶ୍ମୀରରେ ଏଲଓସି ନିକଟବର୍ତ୍ତୀ ସ୍ଥାନରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ପାକିସ୍ତାନ ସୀମାନ୍ତବର୍ତ୍ତୀ ହିଲକାକା ଓ ବଖଲିଆର ଭଳି ଅଞ୍ଚଳରେ ସ୍ଥିତି ସୁଧୁରିଥିବା ଦେଖିବାକୁ ମିଳିଛି । ତଥାପି ଆଶା ଆଶଙ୍କାରେ ଅଛନ୍ତି ଲୋକେ । ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତ-ପାକ୍ ତିକ୍ତତା ପରେ ସେମାନଙ୍କ ଜୀବନଜୀବିକା ଉଜୁଡ଼ିଯାଇଛି । ତଥାପି ଭାରତୀୟ ସେନା ସହ ମିଶି ସଇତାନ୍ ପାକିସ୍ତାନକୁ ପାନେ ଦେବା ପାଇଁ ସେମାନେ ସବୁବେଳେ ପ୍ରସ୍ତୁତ ଥିବା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିଛି । କିନ୍ତୁ ଏବେ ବି ଅପରେସନ୍ ସିନ୍ଦୂର ସରିନି ବୋଲି ୨ ଦିନ ତଳେ କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅର୍ଥାତ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରହିଛି ।