କନକ ବ୍ୟୁରୋ: ଭାରତର ଆଟାକରେ ଧ୍ୱଂସ ହେଲା ପାକିସ୍ତାନର ଏୟାରଫିଲ୍ଡ୍ । ଅପରେସନ୍ ସିନ୍ଦୂର ଭାଙ୍ଗିଲା ପାକିସ୍ତାନ ସେନାର ଅଣ୍ଟା । ଗତ କିଛି ଦିନ ତଳେ ପହଲଗାମ୍ ଆକ୍ରମଣର ବଦଲା ନେବା ପାଇଁ ପିଓକେ ଏବଂ ପାକିସ୍ତାନ ଭିତରେ ପଶି ଅପରେସନ୍ ସିନ୍ଦୂର କରିଥିଲା ଭାରତୀୟ ସେନା । ଯେଉଁଥିରେ ଆତଙ୍କୀ ଆଡ୍ଡା ସହିତ ପାକିସ୍ତାନର ସୈନ୍ୟ ଠିକଣା ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଆଉ ଏ ନେଇ ଏବେ ବଡ଼ ଖୁଲାସା କରିଛି ଆମେରିକୀୟ ଖବରକାଗଜ ଓ୍ୱାସିଂଟନ୍ ପୋଷ୍ଟ ।
ଆମେରିକାର ଏହି ଖବରକାଗଜ ନିଜର ଏକ ବିଶ୍ଳେଷଣରେ କହିଛି ଯେ, ଭାରତର ଆକ୍ରମଣରେ ପାକିସ୍ତାନର ଅତି କମରେ ୬ଟି ଏୟାରବେସର ରନଓ୍ୱେ ଏବଂ କୋଠାବାଡ଼ି ନଷ୍ଟ ହେଇଛି । ଦୁଇ ଡଜନରୁ ଅଧିକ ସାଟେଲାଇଟ୍ ଫଟୋ ସହିତ ଅନେକ ଭିଡିଓର ରିଭ୍ୟୁ କରିବା ପରେ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ପାକିସ୍ତାନୀ ସେନାର ତିନୋଟି ହ୍ୟାଙ୍ଗର, ଦୁଇଟି ରନଓ୍ୱେ ଏବଂ ବାୟୁସେନା ତରଫରୁ ବ୍ୟବହାର କରାଯାଉଥିବା ଦୁଇଟି କୋଠା କ୍ଷତିଗ୍ରସ୍ତ ହୋଇଛି । କିଛି କିଛି ଜାଗାରେ ଭାରତ, ପାକିସ୍ତାନର ୧୦୦ ମାଇଲ୍ ଭିତରେ ପଶି ଆକ୍ରମଣ କରିଛି ବୋଲି ଏହି ଆମେରିକୀୟ ଖବରକାଗଜ ସୂଚନା ଦେଇ କହିଛି ।
ଏହାସହିତ ଏହି ଖବରକାଗଜ ଆହୁରି ମଧ୍ୟ ଦାବି କରିଛି ଯେ, ପରମାଣୁ ଶକ୍ତି ସମ୍ପନ୍ନ ଏହି ଦୁଇଟି ଦେଶ, ପରମାଣୁ ଯୁଦ୍ଧର ବହୁତ ନିକଟତର ହୋଇଯାଇଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲା ଆମେରିକା । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ କିନ୍ତୁ, ଦୁଇ ଦେଶ ଯୁଦ୍ଧ ବିରତି ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଯେ, ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ସ୍ଥିତି ଭିତରେ ମୋଦୀ ସରକାର ଯୁଦ୍ଧ ବିରତି ଘୋଷଣା କରିଥିଲେ । ହେଲେ ପାକିସ୍ତାନ ଯଦି ସୀମାରେ କିଛି ବି, ହରକତ୍ କରେ ତେବେ ଭାରତ ପୁଣିଥରେ ଆକ୍ରମଣ କରିପାରେ ବୋଲି କୁହାଯାଇଥିଲା । ଏହାସହ ପହଲଗାମ୍ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ କୁହାଯାଇଥିଲା । ଯାହାକୁ କି ସିଧା ସିଧା ମନା କରିଦେଇଥିଲା ଇସଲାମାବାଦ ।