କନକ ବ୍ୟୁରୋ : ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ବା ହାଲ ସହ ଭାରତ ସରକାର ୧୨୦ ଟି ତେଜସ ଏମକେ-୨ ବିମାନ ପାଇଁ ଚୁକ୍ତି କରିଛନ୍ତି । ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ବାୟୁସେନାର ଶକ୍ତି ଦୁଇଗୁଣା ବୃଦ୍ଧି ପାଇବ । ଏନେଇ ହାଲ ତରଫରୁ ସ୍ପଷ୍ଟ କରାଯାଇଛି କି, ପ୍ରତିବର୍ଷ ୩୦ ଟି ତେଜସ୍ ଯୁଦ୍ଧ ବିମାନ କମ୍ପାନି ତରଫରୁ ବାୟୁସେନାକୁ ଯୋଗାଇ ଦିଆଯିବ । ଏହି ଯୁଦ୍ଧ ବିମାନକୁ ପୁରୁଣା ଏମଆଇଜି-୨୯, ମିରାଜ-୨୦୦୦ ଓ ଜାଗୁଆର ସ୍ଥାନରେ ସ୍ଥାନିତ କରାଯିବ । ଭାରତ ସରକାରଙ୍କ ଏହି ପଦକ୍ଷେପ ସେନାର ଆଧୁନିକୀକରଣ ଓ ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ନିଆଯାଉଛି ।
ଭାରତୀୟ ବାୟୁ ସେନା ଆଗାମୀ ଦିନରେ ପୁରୁଣା ଯୁଦ୍ଧ ବିମାନକୁ ବରତି ଦେବାକୁ ଯାଉଛି । ଏଥିରେ ଋଷ ଦ୍ୱାରା ନିର୍ମିତ ଏମଆଇଜି-୨୯, ଫ୍ରାନ୍ସ ଦ୍ୱାରା ନିର୍ମିତ ମିରାଜ-୨୦୦୦ ଓ ଏଙ୍ଗେଲୋ-ପ୍ରେଞ୍ଚ ଦ୍ୱାରା ପ୍ରସ୍ତୁତ ଜାଗୁଆ ଯୁଦ୍ଧ ବିମାନ ବି ସାମିଲ ଅଛି । ଭାରତୀୟ ବାୟୁସେନାରେ ଏହି ୩ ପ୍ରକାର ଯୁଦ୍ଧ ବିମାନର ମୋଟ ସଂଖ୍ୟା ରହିଛି ୨୩୦ । ଏହି ବିମାନଗୁଡିକ ଅବସର ନେବା ପରେ ଭାରତୀୟ ବାୟୁସେନା ପାଇଁ ଆଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୁରଣ କରିବାକୁ ତେଜସ ଏମକେ-୨ ପ୍ରସ୍ତୁତ କରାଯାଉଛି ।
ଭାରତୀୟ ବାୟୁସେନା ତରଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହାଲ ସହ ୧୨୦ ଟି ତେଜସ ଏମକେ-୨ ବିମାନ ପାଇଁ ଚୁକ୍ତି ହୋଇଛି । ହେଲେ ଅବସର ନେବାକୁ ଯାଉଥିବା ଯୁଦ୍ଧ ବିମାନ ସଂଖ୍ୟା ୨୩୦ ଅଟେ । ତେଣୁ ବାୟୁସେନାର ହାଲ ସହ ଶେଷ ଚୁକ୍ତିରେ ୨୦୦ ରୁ ଅଧିକ ଯୁଦ୍ଧ ବିମାନ ପାଇଁ ହୋଇପାରେ । ହାଲ ତରଫରୁ ଏହି ସମ୍ଭାବନାକୁ ନଜରରେ ରଖି ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ଲାଗିଛି ।
ଡିଫେନ୍ସ.ଡଟ୍ ଇନ୍ ନାମକୁ ଏକ ୱେବସାଇଟର ରିପୋର୍ଟ ମୁତାବକ ହାଲ୍ ପ୍ରଥମରୁ ତେଜସ୍ ଏମକେ-୧ ନିର୍ମାଣ ପାଇଁ ତିନି ଆସେମ୍ବଲି ଲାଇନ ପ୍ରସ୍ତୁତ କରିସାରିଛି । ଏହି ଲାଇନରେ ୨୦୨୮ ସୁଦ୍ଧା ପ୍ରତିବର୍ଷ ବାୟୁସେନାକୁ ହାଲ ତରଫରୁ ୩୦ ଟି ବିମାନ ଯୋଗାଇ ଦିଆଯିବ । ସେହିଭଳି ତେଜସ ଏମକେ-୨ ପାଇଁ ହାଲର ପ୍ରସ୍ତୁତ ଏଭଳି ରହିଛି କି, ପ୍ରତିବର୍ଷ ୨୪ ଟି ବିମାନ ବାୟୁସେନାକୁ ଯୋଗାଇ ଦିଆଯାଇପାରିବ । ଏହି ହିସାବରେ ହାଲ ୨୦୩୬ ସୁଦ୍ଧା ଭାରତୀୟ ବାୟୁସେନାକୁ ୧୨୦ଟି ତେଜସ୍ ବିମାନ ଯୋଗାଇବାରେ ସଫଳ ହୋଇପାରେ ।