କନକ ବ୍ୟୁରୋ :କାର୍ଗିଲ ଯୁଦ୍ଧ ହେଉ କି ବାଲାକୋଟର ଏୟାରଷ୍ଟ୍ରାଇକ୍ କି ଅପରେସନ ସିନ୍ଦୂର , ସବୁଠି ନିଜର ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା । ଯେତେବେଳେ ଆକାଶରେ ଗର୍ଜନ କରି ଶତ୍ରୁ ଶିବିର ଆଡ଼କୁ ମାଡ଼ିଯାଏ ଭାରତୀୟ ଲଢୁଆ ବିମାନ, ସେତେବେଳେ ଶତ୍ରୁର ଛାତି ଥରିଉଠେ । ଆଉ ଭୟରେ ଛତ୍ରଭଙ୍ଗ ଦିଅନ୍ତି ଶତ୍ରୁ । ଯେବେ ଯେବେ ଭାରତ ଉପରକୁ ଯୁଦ୍ଧର ବିପଦ ଆସିଛି, ସେବେ ସେବେ ସଙ୍କଟ ମୋଚକ ସାଜିଛି ଏୟାରଫୋର୍ସ । ଆଉ ଛାତି ଦେଖାଇ ଦେଶକୁ ରକ୍ଷା କରିଛି । ଆଜି ହେଉଛି ୯୩ତମ ଭାରତୀୟ ବାୟୁସେନା ଦିବସ । ଏହି ଉଦ୍ଦେଶ୍ୟରେ ଆଜି ଭାରତୀୟ ବାୟୁସେନା ନିଜ ଶକ୍ତି ପ୍ରଦର୍ଶନ କରିବ । ଆସନ୍ତୁ ଆଜିର ଦିନରେ ଜାଣିବା ଭାରତୀୟ ବାୟୁସେନାର ଇତିହାସ । 

Advertisment

୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଗଠନ ହୋଇଥିଲା ଭାରତୀୟ ବାୟୁସେନା । ବର୍ତ୍ତମାନ ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ଏୟାରଫୋର୍ସ । ସେହିପରି ଗାଜିଆବାଦର ହିଡନ ବାୟୁସେନା ଷ୍ଟେସନ ଏସିଆର ସବୁଠାରୁ ବଡ଼ ଏୟାରବେସ୍ । ବାୟୁସେନା ଆରମ୍ଭ ହେବା ଦିନଠାରୁ ଏହା ନଭମ୍, ସ୍ପର୍ଶମ୍, ଦିପ୍ତମ ପଥରେ ଚାଲୁଛି । ଏହାର ଅର୍ଥ ଗର୍ବର ସହ ଆକାଶକୁ ଛୁଇଁବା । ଏହି ବାକ୍ୟ ଭଗବତ ଗୀତାର ୧୧ତମ ଅଧ୍ୟାୟରୁ ଆସିଛି । 

ଭାରତ ପାକିସ୍ତାନ ବିଭାଜନ ପୂର୍ବରୁ ଭାରତୀୟ ବାୟୁସେନାର ସ୍ଥାପନା ସରିଥିଲା । ୟୁକେରେ ରୟାଲ ଏୟାରଫୋର୍ସକୁ ସହାୟତା ଯୋଗାଇବା ପାଇଁ ପରାଧିନ ଭାରତରେ ବାୟୁସେନା ଗଠନ ହୋଇଥିଲା । ଏହାପରେ ଦ୍ବିତୀୟ ବିଶ୍ୱଯୁଦ୍ଧରେ ବି ଭାରତୀୟ ବାୟୁସେନା ସାମିଲ ହୋଇଥିଲା । ସେତେବେଳେ ଏହା ରୟାଲ ଇଣ୍ଡିଆନ୍, ଏୟାରଫୋର୍ସ ଭାବେ ବିଶ୍ୱ ଦରବାରରେ ପରିଚିତ ହୋଇଥିଲା । ୧୯୫୦ ମସିହାରେ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ପରେ ଏହାର ନାଁ ପରିବର୍ତ୍ତନ କରି ଭାରତୀୟ ବାୟୁସେନା ରଖାଯାଇଥିଲା । 

ଭାରତୀୟ ବାୟୁସେନାରେ ୧ ଲକ୍ଷ ୭୦ ହଜାର ୫୭୬ ସକ୍ରିୟ ଯବାନ ରହିଥିବା ବେଳେ ୧ ଲକ୍ଷ ୪୦ ହଜାର ରିଜର୍ଭ ସେନା ରହିଛନ୍ତି । ରାଫେଲ, ତେଜସ, ସୁଖୋଇ, ମିରାଜ୍, ଜାଗୁଆର ଭଳି ଅନେକ ଲଢୁଆ ବିମାନ ବାୟୁସେନାରେ ସାମିଲ ଅଛି । ଏହି ସବୁ ଲଢୁଆ ବିମାନ ଆକାଶ ମାର୍ଗକୁ ଶତ୍ରୁକୁ ଟାର୍ଗେଟ କରି ଧ୍ୱଂସ କରିବାର କ୍ଷମତା ରଖିଛନ୍ତି । ଯେଉଁଥିପାଇଁ ଶତ୍ରୁ ବି ଆକାଶ ମାର୍ଗ ଦେଇ ଦେଶରେ ପ୍ରବେଶ କରିବାକୁ ଅନେକ ଥର ଭାବନ୍ତି ।

ଭାରତ ସ୍ୱାଧୀନତା ହେବା ପରେ ପରେ ଏବେ ଯାଏଁ ୫ ଯୁଦ୍ଧ ଲଢ଼ିସାରିଛି ଭାରତ । ଯେଉଁଥିରେ ପାକିସ୍ତାନ ବିପକ୍ଷରେ ୫ଟି ଯୁଦ୍ଧ ଲଢ଼ିଥିବା ବେଳେ ଚୀନ ବିପକ୍ଷରେ ୧ଟିଏ ଯୁଦ୍ଧ ଲଢ଼ିଛି । ପାକିସ୍ତାନ ସହ ୧୯୪୮, ୧୯୬୫, ୧୯୭୧, ୧୯୯୯ ଓ ୨୦୨୫ ଅପରେସନ ସିନ୍ଦୂରରେ ଭାରତୀୟ ବାୟୁସେନା ଯୋଗ ଦେଇଥିବା ବେଳେ ୧୯୬୨ରେ ଚୀନ ସହ ହୋଇଥିବା ଯୁଦ୍ଧରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଅପରେସନ ବିଜୟ, ଅପରେସନ ମେଘଦୂତ, ଅପରେସନ କ୍ୟାକଟସ୍, ବାଲାକୋଟ ଏୟାର ଷ୍ଟ୍ରାଇକ ଓ ଅପରେସନ ସିନ୍ଦୂର ଭଳି ମିଶନକୁ ଭାରତୀୟ ବାୟୁସେନା ସଫଳ କରିଛି ।

ଦେଶକୁ ହେଉ କି ପଡ଼ୋଶୀ ଦେଶ ଭାରତୀୟ ବାୟୁସେନା ସବୁବେଳେ ରେଡ୍ଡି ଥାଏ । ମନେଥିବ ବାଂଲାଦେଶ ମୁକ୍ତି ସଂଗ୍ରାମ କଥା । ଯେବେ ପାକିସ୍ତାନ କବଳରୁ ବାଂଲାଦେଶକୁ ମୁକ୍ତ କରିବାରେ ଭାରତୀୟ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ମନେଥିବା ୧୯୯୯ କାର୍ଗିଲ ଯୁଦ୍ଧ କଥା ଯେବେ ଅନୁପ୍ରବେଶକାରୀଙ୍କୁ ଅଟକାଇବାରେ ଭାରତୀୟ ବାୟୁସେନା ନିଜ ରକ୍ତ ବୁହାଇଥିଲା । ମନେଥିବା ବାଲାକୋଟର ଏୟାରଷ୍ଟ୍ରାଇକ କଥା ଯେବେ ରକ୍ତର ବଦଲା ରକ୍ତରେ ନେଇଥିଲା ବାୟୁସେନା । ଆଉ ମନେଥିବ ଅପରେସନ ସିନ୍ଦୂର କଥା ଯେଉଁଠି ସିନ୍ଦୂରର ବଦଲା ନେବାକୁ ଯାଇ ଆତଙ୍କୀଙ୍କ ନିଦ ହଜାଇଦେଇଥିଲା ଇଣ୍ଡିଆନ୍ ଏୟାରଫୋର୍ସ । ଆକାଶମାର୍ଗରୁ ଆତଙ୍କୀ ଶିବିରକୁ କରିଦେଇଥିଲେ ଛିନଛତ୍ର ।