Modi Photograph: (Kanak News)
କନକ ବ୍ୟୁରୋ : ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ସଂସଦକୁ ଐତିହାସିକ ସମ୍ୱୋଧନ କରିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ସଂସଦକୁ ପ୍ରବେଶ କଲେ ସେହି ସମୟରେ ମୋଦୀ ମୋଦୀ ସ୍ଲୋଗାନରେ ଗୃହ କମ୍ପିଥିଲା । ସମସ୍ତ ସାଂସଦ ଓ ନେତା ଛିଡ଼ା ହୋଇ କରତାଳି ଦେଇ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଇସ୍ରାଏଲ ସଂସଦକୁ ସମ୍ୱୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଥମେ ସାଲୋମ କହି ଇସ୍ରାଏଲ ଜନତା ଓ ସଂସଦକୁ ସମ୍ୱୋଧନ କରିଥିଲେ ।
ହିବ୍ରୁରେ ଅଭିବାଦନ ଜଣାଇବା ପାଇଁ ସାଲୋମ ଶବ୍ଦ ବ୍ୟବହାର କରାଯାଇଥାଏ । ମୋଦୀ କହିଛନ୍ତି ଭାରତ ୧୪୦ କୋଟି ଲୋକଙ୍କ ପକ୍ଷରୁ ବନ୍ଧୁତା ଓ ସମ୍ମାନର ବାର୍ତ୍ତା ନେଇ ସେ ଇସ୍ରାଏଲ ଆସିଛନ୍ତି । ଭାରତ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ କେବଳ ରଣନୀତି ଦୃଷ୍ଟିକୋଟଣରୁ ଗୁରୁତ୍ୱପୁର୍ଣ୍ଣ ନୁହେଁ ବରଂ ସହଭାଗି ମୂଲ୍ୟ ଓ ବିଶ୍ୱାସ ଉପରେ ପ୍ରତିଷ୍ଠିତ । ଇସ୍ରାଏଲ ସଂସଦରେ ଛିଡ଼ା ହୋଇ ଗୌରବାନ୍ୱିତ ଅନୁଭବ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ୱୋଧନରେ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ । ଆତଙ୍କବାଦ ମାନବତା ବିରୋଧର ବଡ଼ ଷଡଯନ୍ତ୍ର ।
ଅଧିକ ପଢନ୍ତୁ : ମୋଦୀଙ୍କ ଇସ୍ରାଏଲ ଗସ୍ତକୁ କଂଗ୍ରେସର ତୀବ୍ର ସମାଲୋଚନା
ନିର୍ଦ୍ଦୋଷ ନାଗରିକଙ୍କ ଉପରେ ଆକ୍ରମଣ କୌଣସି ପରିସ୍ଥିତିରେ ସ୍ବୀକାର୍ଯ୍ୟ ନୁହେଁ । ଏଥିସହ ଶାନ୍ତି ସ୍ଥାପନ ପାଇଁ ରାଜନୈତିକ ସମାଧାନ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶାନ୍ତିର ପଥ ଆଲୋଚନା ଓ କୁଟନୈତିକ କଥାବାର୍ତ୍ତା ଜରିଆରେ ବାହାରିଥାଏ । ସ୍ଥାୟୀ ଶାନ୍ତି ସମାଧାନ ଦିଗରେ ଯେକୌଣସି ପଦକ୍ଷେପକୁ ଭାରତ ସମର୍ଥନ କରେ । ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ । ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି । ଭାରତ କ୍ଷେତ୍ରୀୟ ସ୍ଥିରତା ଓ ଶାନ୍ତିର ପକ୍ଷଧର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦକୁ ସମ୍ୱୋଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ ସ୍ପିକର ଅଫ ଦ କ୍ନେସେଟ ମେଡାଲରେ ସମ୍ମାନୀତ କରାଯାଇଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ନିରାପତ୍ତା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହ ତାଙ୍କ ଦୂରଦର୍ଶୀ ନେତୃତ୍ୱ ପାଇଁ ତାଙ୍କୁ ଏହି ବିରଳ ଗୌରବ ପ୍ରଦାନ କରାଯାଇଛି ।
Follow Us