କନକ ବ୍ୟୁରୋ: LOCରେ ପାକିସ୍ତାନର ଗୁଳିମାଡ଼ର ଜବାବ ଦେଇଛି ଭାରତୀୟ ସେନା । ସୂଚନା ଅନୁସାରେ, ଭାରତ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଅନେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପାକିସ୍ତାନ ଭାରତ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ଗୁଳି ବର୍ଷା କରିଛି । ପାକିସ୍ତାନର କାର୍ଯ୍ୟକଳାପକୁ ଦେଖି ଭାରତୀୟ ସେନା ମଧ୍ୟ ଆଲର୍ଟରେ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ୨୧ଟି ବିମାନବନ୍ଦରକୁ ମେ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଝାଡ଼ଖଣ୍ଡ ରହିଛି । ପ୍ରମୁଖ ବିମାନବନ୍ଦରରେ ଶ୍ରୀନଗର, ଜାମ୍ମୁ, ଲେହ, ଚଣ୍ଡିଗଡ଼, ବିକାନେର, ଯୋଧପୁର, ରାଜକୋଟ, ଧର୍ମଶାଳା, ଅମୃତସର, ଭୁଜ ଏବଂ ଜାମନଗର ଅନ୍ତର୍ଭୁକ୍ତ ।
ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଅନ୍ଧାର ରାତିରେ କେହି କିଛି ଭାବିବା ଆଗରୁ ଅତର୍କିତ ହେଲା ମିସାଇଲ ମାଡ଼ । ଖସିଯିବାକୁ ସୁଯୋଗ ପାଇଲେନି ସୈତାନ । ମାଟିରେ ମିଶିଗଲା ଆତଙ୍କୀଙ୍କ ଆଡ୍ଡା । ଭାରତୀୟ ସେନାର ଆକ୍ରମଣରେ ଆତଙ୍କୀ ଆଡ୍ଡା ସହ ସମାଧି ନେଲେ ସିନ୍ଦୂର ପୋଛିଥିବା ସୈତାନ । ଆଉ ପୂରା ବିଶ୍ବ ଦେଖିଲା ଭାରତର ଅପରେସନ ସିନ୍ଦୂର ।