କନକ ବ୍ୟୁରୋ : ଏନଡିଏର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ମହାରାଷ୍ଟ୍ରର ବର୍ତ୍ତମାନର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ NDA ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ସିପି ରାଧାକ୍ରିଷ୍ଣନଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିଅର୍ ରହିଛି । ସେ ବିଜେପି ସହ ଜଡିତ ଏବଂ କୋଏମ୍ବାଟୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପେଶାରେ ଜଣେ ବ୍ୟବସାୟୀ ହୋଇଥିବା ସିପି ରାଧାକ୍ରିଷ୍ଣନ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ଅଟନ୍ତି ।
କୋଟି କୋଟି ସମ୍ପତ୍ତିର ମାଲିକ
୨୦୧୯ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ସିପି ରାଧାକୃଷ୍ଣନଙ୍କ ପାଖରେ ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତି ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ୍ରେ କୋଟି କୋଟି ଟଙ୍କା ଜମା ଅଛି । ସିପି ରାଧାକ୍ରିଷ୍ଣନଙ୍କ ପାଖରେ ପ୍ରାୟ ୬୭,୧୧,୪୦,୧୬୬ ଟଙ୍କାର ସମ୍ପତ୍ତି ରହିଛି। ଏଥିମଧ୍ୟରେ ୭,୩୧,୦୭,୪୩୬.୩୨ ଟଙ୍କାର ଚଳନ୍ତି ସମ୍ପତ୍ତି ଅଛି, ଯେଉଁଥିରେ ନଗଦ ଟଙ୍କା, ବ୍ୟାଙ୍କ ଜମା, ବୀମା ପଲିସି, ବଣ୍ଡ୍, ସେୟାର, ଅଳଙ୍କାର ଆଦି ସାମିଲ । ସେହିପରି ତାଙ୍କ ପାଖରେ ୪୪,୪୩,୨୫,୦୪୦ ଟଙ୍କାର କୃଷି ଜମି, ୭,୨୩,୭୩,୬୯୦ ଟଙ୍କାର ଅଣ-କୃଷି ଜମି, ୬,୬୩,୩୪,୦୦୦ ଟଙ୍କାର ବ୍ୟାବସାୟିକ କୋଠା ଏବଂ ୧,୫୦,୦୦,୦୦୦ ଟଙ୍କାର ଘର ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି, ସିପି ରାଧାକ୍ରିଷ୍ଣନଙ୍କ ପାଖରେ କୌଣସି ଗାଡ଼ି ନାହିଁ ଏବଂ ତାଙ୍କ ଉପରେ ବ୍ୟାଙ୍କ ଋଣ ବାବଦରେ ମୋଟ ୨,୩୬,୮୬,୦୦୦ ଟଙ୍କାର ଦେୟ ରହିଛି।
ରାଜନୈତିକ କ୍ୟାରିଅର୍
ଚନ୍ଦ୍ରପୁର ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନଙ୍କୁ ୩୧ ଜୁଲାଇ ୨୦୨୪ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ, ସେ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ବିଜେପି ତାମିଲନାଡୁର ରାଜ୍ୟ ସଭାପତି ଥିଲେ । ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ବିଜେପି କେରଳର ସର୍ବଭାରତୀୟ ପ୍ରଭାରୀ ରହିଥିଲେ । ଏଥିସହିତ, ସେ ୧୮ ଫେବୃଆରୀ ୨୦୨୩ରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ।
ସ୍ୱୟଂସେବକ ଭାବରେ ରାଜନୈତିକ ଜୀବନ ଆରମ୍ଭ
୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପୁରରେ ଜନ୍ମଗ୍ରହଣ କରିଥିବା ସିପି ରାଧାକ୍ରିଷ୍ଣନ ୧୯୭୪ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ଜଣେ ସ୍ୱୟଂସେବକ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଥିଲେ । ୧୯୯୬ରେ ସେ ବିଜେପି ତାମିଲନାଡୁର ସଚିବ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ୧୯୯୮ ଏବଂ ୧୯୯୯ରେ କୋଏମ୍ବାଟୁରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହା ବ୍ୟତୀତ, ସେ ୨୦୦୪ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳର ଅଂଶ ଭାବରେ ଭାଷଣ ଦେଇଥିଲେ ଏବଂ ତାଇୱାନକୁ ପ୍ରଥମ ସଂସଦୀୟ ଗସ୍ତରେ ମଧ୍ୟ ସାମିଲ ହୋଇଥିଲେ ।