କନକ ବ୍ୟୁରୋ : ଗୁରୁବାରଠୁ ଆରମ୍ଭ ହେଉଛି ଆଣ୍ଡରସନ୍- ତେନ୍ଦୁଲକର ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ । ଦୁଇ ଦଳ ପାଇଁ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ, ଇଂଲଣ୍ଡ ଓଭାଲରେ ଖେଳାଯିବାକୁ ଥିବା ଟେଷ୍ଟରେ ବିଜୟ ଲାଭ କଲେ ସିରିଜ ବିଜୟ ଲାଭ କରିବ କିନ୍ତୁ ଯଦି ଭାରତ ଜିତିବ ତେବେ ସିରିଜ ଡ୍ରରେ ଶେଷ ହେବ । ଏହା ଭିତରେ ଟିମ ଇଣ୍ଡିଆ ପାଇଁ ୱିକେଟ୍ କିପର ଚିନ୍ତା, ଜୁରେଲ ଖେଳିବେ ନା ଡକରା ପାଇ ଥିବା ଜଗଦୀଶନଙ୍କୁ ସୁଯୋଗ ମିଳିବ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ ୩୧ରୁ ଓଭାଲରେ ଆରମ୍ଭ ହେବାକୁ ଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଉଇକେଟ୍ କିପର୍ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଋଷଭ ପନ୍ତଙ୍କର ପାଦରେ ଆଘାତ ଲାଗିବା ପରେ ତାଙ୍କ ସ୍ଥାନରେ ନାରାୟଣ ଜଗଦୀଶନଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ଧ୍ରୁବ ଜୁରେଲଙ୍କୁ ମୁଖ୍ୟ ୱିକେଟ୍ କିପର୍ ଭାବେ ବିବେଚନା କରାଯାଉଛି। ଜୁରେଲଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟରେ ଅଭିଜ୍ଞତା ଅଛି । ଜୁରେଲ ୪ଟି ଟେଷ୍ଟ ଖେଳି ୧୬୧ ରନ୍ କରିଛନ୍ତି, ଯେଉଁଥିରେ ରାଞ୍ଚି ଟେଷ୍ଟରେ ୯୦ ରନ୍ର ଏକ ଦମଦାର ପାରି ରହିଛି । ବ୍ୟାଟିଂ ହାର ୫୫.୧୭ ଓ ଉଇକେଟ୍ କିପିଂରେ ମଧ୍ୟ ଭଲ ରହିଛି । ଅନ୍ୟପଟେ, ଜଗଦୀଶନ ଘରୋଇ କ୍ରିକେଟ୍ରେ ଅଧିକ ଅଭିଜ୍ଞ । ଜଗଦୀଶନ ୫୨ଟି ମ୍ୟାଚ୍ରେ ୩,୩୭୩ ରନ୍ କରିଛନ୍ତି, ଯେଉଁଥିରେ ୧୦ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ରହିଛି । ୨୦୨୩-୨୪ ରଣଜୀ ଟ୍ରଫିରେ ଜଗଦୀଶନ ୮୧୬ ରନ୍ ଓ ୨୦୨୪-୨୫ରେ ୬୭୪ ରନ୍ କରିଥିଲେ । ଜୁରେଲଙ୍କ ଅନ୍ତର୍ଜାତୀୟ ଅଭିଜ୍ଞତା ଓ ଓଭାଲରେ ପୂର୍ବରୁ ଉଇକେଟ୍ କିପିଂ କରିଥିବା ଅନୁଭବ ତାଙ୍କୁ ଆଗରେ ରଖୁଛି । ତେବେ ଜଗଦୀଶନଙ୍କର ଘରୋଇ କ୍ରିକେଟରେ ସ୍ଥିରତା ତାଙ୍କୁ ବ୍ୟାକଅପ୍ ଭାବେ ଗୁରୁତ୍ୱପୂର୍ଣ୍ଣ କରୁଛି । କିନ୍ତୁ ଦଳ ୱିକେଟ କିପିଂ ସହ ବ୍ୟାଟିଂରେ ମଧ୍ୟ ରନ୍ କରିପାରୁଥିବା ଖେଳାଳିଙ୍କୁ ଅନ୍ତିମ ଟେଷ୍ଟରେ ଖେଳାଇବାକୁ ଚାହିବ । ଓଭାଲ ଟେଷ୍ଟରେ କିଏ ଦଳରେ ସ୍ଥାନ ପାଇବେ, ତାହା ଦେଖିବା ରୋଚକ ହେବ ।