କନକ ବ୍ୟୁରୋ : ବିଶ୍ୱକପ୍ରେ ଶ୍ରୀଲଙ୍କାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଗୌହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୫୯ ରନରେ ହରାଇଛି । ଶ୍ରୀଲଙ୍କା ସାମ୍ନାରେ ୨୭୦ ରନର ବିଜୟ ଲକ୍ଷ୍ୟ ଥିଲା, କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ଶ୍ରୀଲଙ୍କା ଦଳ ପୂରା ଓଭର ଖେଳିପାରିନଥିଲା । ୪୫.୪ ଓଭରରେ ୨୧୧ ରନ କରି ଅଲଆଉଟ୍ ହୋଇଯାଇଥିଲା । ୨୭୦ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କାର ଆରମ୍ଭ ଭଲ ନଥିଲା , ମାତ୍ର ୩୦ ରନରେ ନିଜର ପ୍ରଥମ ୱିକେଟ୍ ହରାଇଥିଲା ।
ଅଧିନାୟକ ଚମାରୀ ଅଟ୍ଟାପଟ୍ଟୁ ଏବଂ ସମରବିକ୍ରମା ଦ୍ୱିତୀୟ ୱିକେଟ୍ ପାଇଁ ୫୨ ରନ୍ର ଭାଗିଦାରୀ କରି ଶ୍ରୀଲଙ୍କାକୁ ମ୍ୟାଚକୁ ଫେରାଇ ଆଣିଥିଲେ । କିନ୍ତୁ ଦୀପ୍ତି ଶର୍ମା ଚମାରୀ ଅଟ୍ଟାପଟ୍ଟୁଙ୍କ ସବୁଠାରୁ ବଡ଼ ୱିକେଟ୍ ନେଇ ଶ୍ରୀଲଙ୍କାର ବିଜୟ ଆଶାକୁ ଭାଙ୍ଗି ଦେଇଥିଲେ । ଏହା ପରେ ଶ୍ରୀଲଙ୍କା ଲଗାତାର ବ୍ୟବଧାନରେ ୱିକେଟ୍ ହରାଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩ଟି, ସ୍ନେହ ରାଣା ଏବଂ ଶ୍ରୀ ଚରଣୀ ୨-୨ଟି ୱିକେଟ୍ ନେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଚମାରୀ ଅଟ୍ଟାପଟ୍ଟୁ ସର୍ବାଧିକ ୪୩ ରନ୍ କରିଥିବାବେଳେ ନିଲାକ୍ଷୀ ଡି ସିଲଭା ୩୫ ଏବଂ ସମରବିକ୍ରମା ୨୯ ରନ୍ କରିଛନ୍ତି ।
ଭାରତ ଟସ୍ ହାରି ବର୍ଷା ପ୍ରଭାବିତ ୪୭ ଓଭରର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ସାମ୍ନାରେ ୨୭୦ ରନ୍ର ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ଅମନଜୋତ କୌରଙ୍କ ବ୍ୟତୀତ ଅଭିଜ୍ଞ ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ବ୍ୟତୀତ ପ୍ରତିକା ରାୱଲ ୩୭ ଏବଂ ହରଲୀନ ଦେଓଲ ୪୮ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଅମନଜୋତ ମାତ୍ର ୪୫ ବଲରେ ବିଶ୍ୱକପରେ ନିଜର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଦୀପ୍ତି ଅନ୍ୟ ପଟରୁ ମୋର୍ଚ୍ଚା ସମ୍ଭାଳିବା ସହ ୧୬ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ । ସ୍ନେହ ରାଣା ମଧ୍ୟ ୧୫ ବଲରେ ଦୁଇଟି ଚୌକା ଏବଂ ଦୁଇଟି ଛକା ମାରି ଅପରାଜିତ ୨୮ ରନ୍ର ଚମତ୍କାର ଖେଳି ଭାରତର ସ୍କୋରକୁ ୨୫୦ ରନ ପାର କରାଇଥିଲେ ।