କନକ ବ୍ୟୁରୋ: ଭାରତ-ପାକିସ୍ତାନ ସୁପର୍‌-୪ ମ୍ୟାଚ୍‌ ଅବସରରେ ଭାରତୀୟ ଓପନିଂ ଯୋଡ଼ି ଅଭି‌ଷେକ ଶର୍ମା ଓ ଶୁବମନ ଗିଲ୍‌ ନୂଆ ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ଯୋଡ଼ି ଭାବେ ପାକିସ୍ତାନ ବିପକ୍ଷରେ ଶତକୀୟ ଭାଗୀଦାରି ଗଢ଼ିଛନ୍ତି ଦୁଇ ଓପନର । ମାତ୍ର ୯.୫ ଓଭରରୁ ୧୦୫ ରନ୍ କରିଥିଲେ ଏହି ଯୋଡ଼ି । ୧୩ ବର୍ଷ ତଳେ ଗୌତମ ଗମ୍ଭୀର ଓ ଆଜିଙ୍କ୍ୟ ରାହାଣେ ପାକିସ୍ତାନ ବିପକ୍ଷରେ ୭୭ ରନ୍ ସଂଗ୍ରହ କରିଥିଲେ । ସେହିଭଳି ଫଖର ଜମାନଙ୍କୁ ବିବାଦୀୟ ଭାବେ କଟ୍‌ ବିହାଇଣ୍ଡ୍‌ କରାଇ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଗ୍ରଣୀ‌‌ ଟ୍ବେଣ୍ଡି-୨୦ ବୋଲରଙ୍କ ତାଲିକାରେ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି । ଅର୍ଶଦୀପ ସିଂହ ଗତ ମ୍ୟାଚ୍‌ରେ ୧୦୦ ୱିକେଟ୍‌ ପୂର୍ଣ୍ଣ କରିଥିବା ବେଳେ ୟୁଝବେନ୍ଦ୍ର ଚହଲ (୯୬)ଙ୍କୁ ପଛରେ ପକାଇ ହାର୍ଦ୍ଦିକ (୯୭) ଦ୍ବିତୀୟରେ ପହଞ୍ଚିଛନ୍ତି । ଫଖର ଜମାନଙ୍କ ଅସ୍ପଷ୍ଟ କଟ୍‌ ବିହାଇଣ୍ଡ୍‌କୁ ନେଇ ମଧ୍ୟ ବିବାଦ ଓ ବାକ୍‌ବିତଣ୍ଡା ଆରମ୍ଭ ହୋଇଛି । ହ୍ୟାଣ୍ଡସେକ୍‌ ବିବାଦ ସହିତ ରବିବାର ଏହି ମ୍ୟାଚ୍‌ ବେଳେ ଏକାଧିକ ବିବାଦୀୟ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା ।

Advertisment

ଅଭିଷେକଙ୍କୁ ହାରିସ୍ ରୌଫ ଅକ୍ଷେପ କରିବା ଏବଂ ଅର୍ଦ୍ଧଶତକଟିଏ ହାସଲ କରି ସାହିବଜାଦା ଫରହାନ୍‌ଙ୍କ ଗନ୍‌ଫାୟାର ସେଲିବ୍ରେସନ୍‌କୁ ଖୁବ୍ ନିନ୍ଦା କରିଛନ୍ତି ପ୍ରଶଂସକ । ସାହିନ୍ ଶାହ ଆଫ୍ରିଦିଙ୍କୁ ଛକା ମାରି ଅଭିଷେକ ଶର୍ମା ଇନିଂସ ଆରମ୍ଭ କରିବା ଅଭିଯାନ ମଧ୍ୟ ତାଙ୍କୁ ଆଉ ଏକ ବିରଳ କ୍ଲବ୍‌ରେ ସାମିଲ କରିଛି । ପ୍ରଥମ ବଲ୍‌ରେ ଛକା ମାରିବାରେ ସେ ଚତୁର୍ଥ ଭାରତୀୟ ହୋଇଛନ୍ତି । ୨୦୨୧ରେ ଆଦିଲ ରସିଦ୍‌ଙ୍କୁ ରୋହିତ ଶର୍ମା, ୨୦୨୪ରେ ସିକନ୍ଦର ରାଜାଙ୍କୁ ଯଶସ୍ବୀ ଜୟସ୍ବାଲ, ୨୦୨୫ରେ ଜୋଫ୍ରା ଆର୍ଚରଙ୍କୁ ସଂଜୁ ସାମସନ୍‌ଙ୍କ ପରେ ଚଳିତ ଏସିଆ କପ୍‌ରେ ଅଭିଷେକ ଯଥାକ୍ରମେ ହାଇଦର ଅଲୀ ଓ ସାହିନ୍ ଶାହ ଆଫ୍ରିଦିଙ୍କୁ ଛକା ମାରିଛନ୍ତି । ରବିବାର କିନ୍ତୁ ଛକା ମାରିବା ପରେ ଅଭିଷେକଙ୍କୁ ଆଫ୍ରିଦି ନାଲି ଆଖି ଦେଖାଇବା ଅନ୍ୟତମ ଚର୍ଚ୍ଚାର ବି‌ଷୟ ଥିଲା । ଭାରତ କିନ୍ତୁ ପାକିସ୍ତାନ ବିପକ୍ଷରେ ଶେଷ ୧୦ ଟ୍ବେଣ୍ଟି-୨୦ରୁ ୯ଟି ଜିତି ସବୁ ବିବାଦର ଜବାବ ଦେଇଥିଲା ।

ଭାରତ ଓ ପାକିସ୍ତାନ ସୁପର୍‌-୪ ମୁକାବିଲାକୁ ପୁଣି ଫେରିଛି ହ୍ୟାଣ୍ଡସେକ୍‌ ବିବାଦ । ଗ୍ରୁପ୍ ମ୍ୟାଚ୍‌ର ଟସ୍ ବେଳେ ପାକିସ୍ତାନ ଅଧିନାୟକ ସଲମାନ୍ ଆଘାଙ୍କ ସହ ହାତ ନମିଳାଇ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଭାରତୀୟ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ଏପରିକି ମ୍ୟାଚ୍‌ ଜିତିବା ପରେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ଓ ଅପରେସନ୍‌ ସିନ୍ଦୂର କଥା କହି ଏହାକୁ ସମର୍ପିତ କରିଥିଲେ । ରବିବାର ସୁପର୍‌-୪ ମୁକାବିଲା ବେଳକୁ ମଧ୍ୟ ସୂର୍ଯ୍ୟ ଟସ୍ ବେଳେ ସମାନ ଆଚରଣ ଦୋହରାଇଥିଲେ । ଟସ୍ ଜିତିବା ପରେ ସଲମାନ ଆଗାଙ୍କ ସହ ହାତ ନମିଳାଇ ସିଧାସଳଖ ରବି ଶାସ୍ତ୍ରୀଙ୍କ ପାଖକୁ ଯାଇ ନିଜ ପ୍ରତିକ୍ରିୟା ରଖିଥିଲେ । ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ସହ ହାତ ମିଳାଇ ସଲମାନଙ୍କୁ ମଧ୍ୟ ଅଧିକ ଅପମାନିତ କରିଥିଲେ । ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ମଧ୍ୟ ହାତ ମିଳାଇ ନଥିଲେ । ଭାରତ ଦୁଇଟି ପରିବର୍ତ୍ତନ ସହ ଏହି ମ୍ୟାଚ୍‌ ଖେଳିଥିଲା । ଓମାନ୍ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିବା ଯଶପ୍ରୀତ୍ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ପୁଣି ସାମିଲ କରାଯାଇଥିବା ବେଳେ ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କୁ ବାହାରେ ବସାଯାଇଥିଲା ।