କନକ ବ୍ୟୁରୋ: ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍ । ୫ ଟିକିଆ ଟେଷ୍ଟ୍ ମ୍ୟାଚ୍ ସିରିଜ୍ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ ୫ ୱିକେଟ୍ରେ ପରାଜିତ କରିଥିଲା । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ ଭାରତ ୩୩୬ ରନ୍ରେ ଜିତି ନେଇଛି । ଏହି ମ୍ୟାଚ୍ ଐତିହାସିକ ମୈଦାନ ଲର୍ଡସ୍ରେ ଖେଲାଯିବ । ଏହି ମ୍ୟାଚ୍ରେ ଯିଏ ବିଜୟ ହାସଲ କରିବ ସେହି ଟିମ୍ରେ ସିରିଜ୍ରେ ଲିଡ୍ ହାସଲ କରିବ ।
ଆଜିର ମ୍ୟାଚ୍ରେ ଉଭୟ ଘରୋଇ ଓ ଭ୍ରମଣକାରୀ ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଜସପ୍ରୀତ୍ ବୁମ୍ରା ଆଜି ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ସେପଟେ ଇଂଲଣ୍ଡ ଦଳରେ ମଧ୍ୟ କେତେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି କ୍ରିକେଟ ସମୀକ୍ଷକ ମତ ଦେଉଛନ୍ତି । ଭାରତୀୟ ଦଳରେ ଆଜି ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସ୍ଥାନରେ ଜସପ୍ରୀତ ବୁମ୍ରାଙ୍କୁ ଦେଖିବାକୁ ମିଳିପାରେ ।
ସେପଟେ ଇଂଲଣ୍ଡ ଦଳର ଚୂଡ଼ାନ୍ତ ଏକାଦଶରେ ଆଜି ଜ୍ୟାକବ୍ ବେଥେଲ୍ଙ୍କୁ ସୁଯୋଗ ମିଳିପାରେ । ସେହିଭଳି ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ମଧ୍ୟ ଦଳକୁ ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୩୮ଟି ଟେଷ୍ଟ ମ୍ୟାଚ୍ ଖେଳ ହୋଇଛି । ଏଥିମଧ୍ୟରେ ଇଂଲଣ୍ଡ ୫୨ ଥର ବିଜୟ ହାସଲ କରିଥିବା ବେଳେ ୩୬ଟି ଟେଷ୍ଟ ମ୍ୟାଚ୍ରେ ବିଜୟ ହାସଲ କରିଛି ଭାରତ । ୫୦ଟି ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି ।
ଲର୍ଡସ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୧୯ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ସେଥି ମଧ୍ୟରେ ଇଂଲଣ୍ଡ ୧୨ଟି ମ୍ୟାଚ୍ରେ ବିଜୟ ହାସଲ କରିଥିବା ବେଳେ ୩ଟି ମ୍ୟାଚ୍ରେ ବିଜୟ ହାସଲ କରିଛି ଭାରତ । ଅନ୍ୟ ୪ଟି ମ୍ୟାଚ୍ ଡ୍ର ରହିଛି ।
ତେନ୍ଦୁଲକର-ଆଣ୍ଡରସନ୍ ସିରିଜ୍ରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ବ୍ୟାଟର ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଟେଷ୍ଟ୍ରେ ପରାଜୟ ପରେ ଦ୍ୱିତୟ ଟେଷ୍ଟ ମ୍ୟାଚ୍ରେ କମ୍ବ୍ୟାକ୍ କରିଛନ୍ତି ଭାରତୀୟ ବୋଲର । ଜବରଦସ୍ତ ବୋଲିଂ ବଳରେ ବିଜୟ ହାସଲ କରିଛି ଭାରତ । ସେପଟେ କ୍ୟାପ୍ଟେନ୍ ଶୁବମନ୍ ଗିଲ୍ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ତୃତୀୟ ଟେଷ୍ଟ୍ରେ କିଏ ବିଜୟ ହାସଲ କରିବ ତାହାରି ଉପରେ ରହିବ ନଜର ।