କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଚୟନ ଭାରତ ପାଇଁ ଚିନ୍ତାର କାରଣ ପାଲଟି ଯାଇପାରେ । ଜୁନ ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଲିଡ୍ସ୍ର ହେଡିଂଲି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ରେ ୪ ନମ୍ବରରେ ଟିମ୍ ଇଣ୍ଡିଆର କିଏ ବ୍ୟାଟିଂ କରିବ ତାହାକୁ ନେଇ ଚିନ୍ତା ବଢ଼ିପାରେ । କାରଣ ଏହି ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରୁଥିଲେ । ସେ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେବା ପରେ ତାଙ୍କ ସ୍ଥାନରେ କିଏ ବ୍ୟାଟିଂ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି ।
ବିରାଟ କୋହଲିଙ୍କ ବିକଳ୍ପ ଛଡ଼ା ଚୂଡ଼ାନ୍ତ ଏକାଦଶରେ ଅଲ୍ରାଉଣ୍ଡର ଭାବରେ କାହାକୁ ସ୍ଥାନ ମିଳିବ ତାହାକୁ ନେଇ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି କ୍ୟାପ୍ଟେନ୍ ଶୁବମନ ଗିଲ୍ । ଏହାର କାରଣ ହେଉଛି ଇଂଲଣ୍ଡର ଇଣ୍ଟ୍ରାସ୍କ୍ୱାଡ୍ ମ୍ୟାଚ୍ । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଶାର୍ଦୁଲ ଠାକୁର ଶତକ ହାସଲ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ତେଣୁ ଅଲ୍ରାଉଣ୍ଡର୍ ଭାବରେ ଶାର୍ଦୁଲ ଠାକୁର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ନା ନୀତିଶ ରେଡିଙ୍କୁ ସୁଯୋଗ ମିଳିବ ତାହା ଚିନ୍ତାର କାରଣ ପାଲଟି ଯାଇପାରେ ।
ପ୍ରଥମ ମ୍ୟାଚ୍ ପୂର୍ବରୁ ପ୍ରେସ୍ କନ୍ଫରେନ୍ସରେ ୪ ନମ୍ବରରେ କିଏ ବ୍ୟାଟିଂ କରିବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇପାରିନଥିଲେ କ୍ୟାପ୍ଟେନ୍ । ଟିମ୍ ଇଣ୍ଡିଆରେ ଚୂଡ଼ାନ୍ତ ଏକାଦଶରେ କେଉଁ ମାନଙ୍କୁ ସୁଯୋଗ ମିଳିବ ତାହାକୁ ନେଇ ବି କିଛି ଖୁଲାସା କରିନାହାନ୍ତି । ତେବେ କ୍ରିକେଟ ସମୀକ୍ଷକଙ୍କ ମତରେ ୪ ନମ୍ବରରେ ଖୋଦ ଶୁବମନ ଗିଲ୍ ବ୍ୟାଟିଂ କରିବାକୁ ଓହ୍ଲାଇପାରନ୍ତି ।
ଜୟସ୍ୱାଲ ଓ କେଏଲ୍ ରାହୁଲ ଭାରତ ପାଇଁ ଓପେନିଂ କରିବାକୁ ଓହ୍ଲାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ୩ ନମ୍ବରରେ ସାଇ ସୁଦର୍ଶନ କିମ୍ବା ଅଭିମନ୍ୟୁ ଇଶ୍ୱରନଙ୍କ ମଧ୍ୟରେ ଜଣଙ୍କୁ ଦେଖିବାକୁ ମିଳିପାରେ । ଟିମ୍ ମ୍ୟାନେଜମେଣ୍ଟ୍ ପାଇଁ ଶାର୍ଦୁଲ ଠାକୁର ଓ ନୀତିଶ ରେଡି ମଧ୍ୟରୁ ଜଣଙ୍କୁ ଚୟନ କରିବା ସବୁଠାରୁ କଠିନ ନିଷ୍ପତ୍ତି ହୋଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ନୀତିଶ ରେଡି ଭଲ ପ୍ରଦର୍ଶନ କରିଥିଲେ । ଏହି ସିରିଜ୍ରେ ସେ ଏକ ଶତକ ବି ହାସଲ କରିଥିଲେ । ତେଣୁ ତାଙ୍କୁ ବି ଅଣଦେଖା କରାଯାଇପାରିବନାହିଁ । କିନ୍ତୁ ସେ ମାତ୍ର ୫ରୁ ୬ ଓଭର ହି ବୋଲିଂ କରିପାରିବେ । କିନ୍ତୁ ଶାର୍ଦୁଲ ଠାକୁର ୧୦ ଓଭରରୁ ଅଧିକ ବୋଲିଂ କରିପାରିବେ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ କାହାକୁ ସୁଯୋଗ ମିଳିବ ତାହାକୁ ଅପେକ୍ଷା ।
ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ / ୱିକେଟ୍ କିପର), କରୁଣ ନାୟାର, ରବିନ୍ଦ୍ର ଜାଡେଜା / ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର / ନୀତିଶ ରେଡି, ଆକାଶ ଦୀପ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ