କନକ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଛି । ପ୍ରଥମ ମ୍ୟାଚ ହେଡିଂଲେ ପଡ଼ିଆରେ ଖେଳାଯାଉଛି । ଏହି ମ୍ୟାଚ୍‌ ପାଇଁ ଦୁର୍ଦ୍ଧଶ ବ୍ୟାଟର ସାଇ ସୁଦର୍ଶନଙ୍କୁ ଟିମ୍‌ରେ ସୁଯୋଗ ମିଳିଛି । ୨୩ ବର୍ଷୀୟ ସାଇ ସୁଦର୍ଶନ ଭାରତ ପାଇଁ ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିବା ୩୧୭ତମ ଖେଳାଳି । ତାଙ୍କୁ ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ଟେଷ୍ଟ କ୍ୟାପ୍‌ ପ୍ରଦାନ କରିଛନ୍ତି । ଭାରତ-ଇଂଲଣ୍ଡ ଟେଷ୍ଟ୍‌ ସିରିଜ୍‌ରେ କମେଣ୍ଟ୍ରି କରିବାକୁ ପହଞ୍ଚିଛନ୍ତି ଚେତେଶ୍ୱର ପୂଜାରା । ଗତ ଆଇପିଏଲ ସିଜିନ୍‌ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳି ୫୪.୨୧ ହାରରେ ୭୨୯ ରନ୍‌ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ତାଙ୍କୁ ଭାରତର ଟେଷ୍ଟ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିଲା । 

Advertisment

ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ ଅଭିଜ୍ଞ ଶାର୍ଦୁଲ ଠାକୁର ଓ କରୁଣ ନାୟରଙ୍କୁ ସ୍ଥାନ ମିଳିଛି । କରୁଣ ନାୟର ଶେଷ ଥର ପାଇଁ ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିଥିଲେ । ଏହାପରେ ଆଜି ତାଙ୍କ ଅପେକ୍ଷାର ଅନ୍ତ ଘଟିଛି । ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି । ଶାର୍ଦୁଲ ଠାକୁର ମଧ୍ୟ ଶେଷଥର ପାଇଁ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲେ । 

ଟସ୍‌ ହାରିବା ପରେ ଶୁବମନ ଗିଲ୍‌ କହିଛନ୍ତି, ଆମେ ବି ପ୍ରଥମେ ବୋଲିଂ କରିବାକୁ ଚାହୁଥିଲୁ । ପ୍ରଥମ ସେସନ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ । କିନ୍ତୁ ପରବର୍ତ୍ତୀ ସମୟରେ  ବ୍ୟାଟିଂ କରିବା କଠିନ ହେବନି ବୋଲି ଆମେ ଭାବୁଛୁ । ଆମର ପ୍ରସ୍ତୁତି ଭଲ ରହିଛି । ଆମ ଟିମ୍‌ରେ ଡେବ୍ୟୁ କରିଛନ୍ତି ସାଇ ସୁଦର୍ଶନ । ସେ ୩ ନମ୍ବରରେ ବ୍ୟାଟିଂ କରିବେ । ଏକାଦଶରେ କରୁଣ ନାୟର ବି ସାମିଲ ହୋଇଛନ୍ତି । 

ଭାରତ ଚୂଡ଼ାନ୍ତ ଏକାଦଶ: କେ.ଏଲ୍ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ),  ଋଷଭ ପନ୍ତ (ଉପ-ଅଧିନାୟକ / ୱିକେଟ୍ କିପର), କରୁଣ ନାୟର, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଯଶପ୍ରୀତ୍  ବୁମ୍‌ରା, ପ୍ରସିଦ୍ଧ କ୍ରୀଷ୍ଣା 


ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ- ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍ କିପର), କ୍ରିସ୍ ଓକ୍‌ସ୍, ବ୍ରାଇଡନ୍ କାର୍ସ, ଜୋସ୍ ଟଙ୍ଗ୍, ଶୋଏବ ବଶୀର