କନକ ବ୍ୟୁରୋ : ନୂଆଦିଲ୍ଲୀରେ ଭାରତ- ଆମେରିକା ମଧ୍ୟରେ ବାଣିଜ୍ୟ କଥାବାର୍ତ୍ତା ଆରମ୍ଭ ହୋଇଛି । ଆଜି ଦିନ ସାରା ଆଲୋଚନା ଚାଲିଥିଲା । ଆମେରିକା ପ୍ରତିନିଧି ବ୍ରେନଡାନ ଲିଞ୍ଚ୍ ଓ ଅନ୍ୟମାନଙ୍କ ସହ ଭାରତର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ ଏବଂ ପ୍ରତିନିଧି ଦଳ ଆଲୋଚନା କରୁଛନ୍ତି । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଏଭିଳି ଆଲୋଚନା ପ୍ରଥମ। ପୂର୍ବରୁ ଭର୍ଚୁଆଲରେ ସାପ୍ତାହିକ ଆଲୋଚନା ଜାରି ରହିଥିଲେ ବି କୌଣସି ନିଷ୍ପତ୍ତି ହୋଇପାରି ନଥିଲା । ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉଥିବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ତାଙ୍କ ଆଭିମୁଖ୍ୟ ବଦଳାଇ ମନ୍ତବ୍ୟ ଦେଇଥିବାରୁ ଆଜିର ଆଲୋଚନାରେ ଭଲ ନିଷ୍ପତ୍ତି ହେବା ନେଇ ଦୁଇଦେଶ ଆଶା ପ୍ରକାଶ କରିଛନ୍ତି ।
ସେପଟେ ନୂଆଦିଲ୍ଲୀରେ ଭାରତ – ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଉପରେ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରେ ଏହି ପ୍ରସଙ୍ଗରେ ପ୍ରତକ୍ରିୟା ଦେଇଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମାଧାନମୂଳକ, ସୁନ୍ଦର ଓ ଗଠନମୂଳକ ଟ୍ୱିଟ୍ କରିଥିଲେ । ଟ୍ରମ୍ପ ଏହାର ଜବାବ ଦେଇଛନ୍ତି । ଦେଖିବାର କଥା, ଆଲୋଚନା କେଉଁ ଦିଗକୁ ଯାଉଛି। ଗତ ସପ୍ତାହରେ, ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ଆମେରିକା ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ ଉଭୟ ଦେଶ ପାଇଁ ଅସୁବିଧା ହେବ ନାହିଁ ବୋଲି ଟ୍ରମ୍ପ କହିଥିଲେ ବୋଲି ନାଭାରୋ ଦୋହରାଇଛନ୍ତି ।