କନକ ବ୍ୟୁରୋ: ୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତ । ଆଉ ପୁଣି ଏକ ଆଇସିସି ଇଭେଣ୍ଟ ନିଜ ନାଁରେ କରିଛି । ୨୦୧୩ ମସିହାରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଆଉ ଏବେ ପୁଣି ଏହି ସ୍ୱାଦ ଚାଖିବାରେ ସଫଳ ହୋଇଛି ରୋହିତ ବାହିନୀ । କେବଳ ୨୦୧୩ ପରେ ଭାରତ ଏହି ଟ୍ରଫି ଜିତିନି, ବରଂ ୨୫ ତଳର ବଦଲା ପୂରଣ କରିଛି ଭାରତ । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫିରେ ବି ଭାରତ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ । ସେତେବେଳେ କିଓ୍ୱି ଦଳ ଚାମ୍ପିୟନ ହୋଇଥିବା ବେଳେ ଏବେ କିନ୍ତୁ ଭାରତ ବାଜି ନେଇଛି । 

Advertisment

ମ୍ୟାଚ ଆରମ୍ଭରୁ କୁହାଯାଉଥିଲା ଏଥର ସଂଯୋଗ ସତ ହେବ । ୨୦୦୦ ମସିହାରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ଆଉ ଏଥର ବି ହେବ । କିନ୍ତୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଏହି ସ୍ବପ୍ନକୁ ସ୍ବପ୍ନରେ ରଖି ଦେଇଛି ଭାରତ । ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଭାରତୀୟ ସ୍ପିନ ଯାଦୁରେ କିଓ୍ୱି ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ବଡ ସ୍କୋର କରିପାରିନଥିଲେ । ମାତ୍ର ୨୫୧ ରନ କରି ୨୫୨ ରନର ଟାର୍ଗେଟ ଦେଇଥିଲେ ଭାରତୀୟ ଟିମକୁ । ଯାହାକୁ ସହଜରେ ପୂରଣ କରି ଚାମ୍ପିୟନ୍ସ ଟ୍ରଫି ନିଜ ନାଁରେ କରିଥିଲା ରୋହିତ ବାହିନୀ ।

 ଏହାକୁ ୨୫ ବର୍ଷର ବଦଲା ଏଥିପାଇଁ କୁହାଯାଉଛି କାରଣ ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବି ମୁହାଁମହିଁ ହୋଇଥିଲେ ଭାରତ ନ୍ୟୁଜିଲାଣ୍ଡ । ଆଉ ଯେଉଁଠି ବାଜି ମାରିନେଇ ଥିଲା ନ୍ୟୁଜିଲାଣ୍ଡ ଦଳ । ଭାରତ ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୨୬୪ ରନ କରିଥିଲା । ଭାରତ ପକ୍ଷରୁ ସୌରଭ ଗାଙ୍ଗୁଲି ୧୧୭, ସଚିନ ତେନ୍ଦୁଲକର ୬୯ ରନ କରିଥିଲେ । ହେଲେ ଭାରତ ଏହି ମ୍ୟାଚ ତିଜି ପାରିନଥିଲା । କାରଣ କିଓ୍ୱି ଦଳର ଖେଳାଳି କ୍ରିସ କେୟରନ୍ସ ଯେଉଁ ଶତକ ମାରିଥିଲେ ସେଥିରେ ଭାରତର ଫାଇନାଲ ଜିତିବା ଆଶା ଧୂଳିସାତ ହୋଇଯାଇଥିଲା । ଆଉ ଚାମ୍ପିୟନ୍ସ ଟ୍ରଫିରେ ନିଜର ପ୍ରଥମ ଟ୍ରଫି ହାତେଇଥିଲା ନ୍ୟୁଜିଲାଣ୍ଡ ଦଳ । 

୨୦୦୦ ମସିହା ପରେ ୭ଥର ଚାମ୍ପିୟନ୍ସ ଟ୍ରଫି ଖେଳ ହୋଇଛି ହେଲେ ନ୍ୟୁଜିଲାଣ୍ଡ ଦଳ ୨୦୦୦ ମସିହା ପରେ ୨୦୨୫ରେ ଫାଇନାଲରେ ଦ୍ବିତୀୟଥର ପାଇଁ ପହଞ୍ଚିଥିଲା । ଆଉ ଭାବିଥିଲା ପୁଣି ଭାରତକୁ ହରାଇ ଚାମ୍ପିୟନ୍ସ ଟ୍ରଫି ଜିତିନେବ । ହେଲେ ବଦଲା ମୁଡରେ ଥିବା ଭାରତ କିନ୍ତୁ ସୁଯୋଗର ଫାଇଦା ଉଠାଇଥିଲା ଆଉ ଚାମ୍ପିୟନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡକୁ ଚିତ କରି ତୃତୀୟଥର ପାଇଁ ଟ୍ରଫି ଉଠାଇଆଣିଥିଲା । ଏହାକୁ ମିଶାଇ ଭାରତ ୪ଥର ଫାଇନାଲରେ ପ୍ରବେଶ କରିବା ସହ ୩ଥର ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି । 

ନ୍ୟୁଜିଲାଣ୍ଡ ଦଳ ୨୦୦୦ ମସିହା ବ୍ୟତୀତ ୨୦୧୯ ବିଶ୍ବକପରେ ବି ଭାରତର ହୃଦୟ ଭାଙ୍ଗିଥିଲା । ଯେବେ ସେମି ଫାଇନାଲରେ ଧୋନୀଙ୍କ ରନଆଉଟ ପରେ କୋଟି କୋଟି ଭାରତୀୟଙ୍କ ଆଖିରେ ଲୁହ ଚାଲି ଆସିଥିଲା । ଅବଶ୍ୟ ୨୦୨୩ ବିଶ୍ୱକପରେ ଭାରତ ଏହି ବଦଲାକୁ ପୂରା କରିଥିଲା । ହେଲେ ଏବେ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ସବୁ ହିସାବ ବରାବର କରିଦେଇଛି ଟିମ ଇଣ୍ଡିଆ ।