କନକ ବ୍ୟୁରୋ : ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସକରାତ୍ମକ ମୋଡ଼ ଦେଖିବାକୁ ମିଳୁଛି । ଭାରତ ଆଫଗାନିସ୍ତାନରେ 'ଆଫଗାନ-ହିନ୍ଦୁ' ଗବେଷଣା କେନ୍ଦ୍ର ଖୋଲିବାକୁ ଯାଉଛି । ଏହା ବ୍ୟତୀତ ଭାରତ ଆଫଗାନିସ୍ତାନରେ କୃଷି କ୍ଷେତ୍ରରେ ବଡ଼ କାମ କରିବାକୁ ଯାଉଛି । ଭାରତ ଆଫଗାନିସ୍ତାନର କୃଷି କ୍ଷେତ୍ରକୁ ସୁଧାରିବା ପାଇଁ ସେଠାକାର ଅଧିକାରୀମାନଙ୍କୁ ଅନଲାଇନ୍ ଏବଂ ଅଫଲାଇନ୍ ତାଲିମ ଦେବ ।

Advertisment

ଗୁରୁବାର ଦିନ ଆଫଗାନିସ୍ତାନର କୃଷି, ଜଳସେଚନ ଏବଂ ପଶୁସମ୍ପଦ ମନ୍ତ୍ରୀ ମୌଲବୀ ଅତାଉଲ୍ଲା ଓମାରୀ କାବୁଲରେ ଥିବା ଭାରତୀୟ ଦୂତାବାସରେ ଭାରତର ରାଷ୍ଟ୍ରଦୂତ କରଣ ଯାଦବଙ୍କୁ ଭେଟିଥିଲେ । ନିକଟରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ତାଲିବାନ ନେତା ଅମୀର ଖାନ ମୁତ୍ତାକି ନୂଆଦିଲ୍ଲୀର ଏକ ସପ୍ତାହର ଗସ୍ତ କରିଥିଲେ । ଏହାପରେ ଭାରତ ଏକ ସାହସିକ ପଦକ୍ଷେପ ନେଇ କାବୁଲରେ ନିଜର ରାଜନୈତିକ ମିଶନକୁ ପୁନଃସ୍ଥାପିତ କରିଛି । ସେହିପରି ଭାରତ ବୈଦେଶିକ ସେବା ଅଧିକାରୀ କରଣ ଯାଦବଙ୍କୁ ଆଫଗାନିସ୍ତାନରେ ଭାରତର ନୂଆ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛି ।

ଆଫଗାନିସ୍ତାନ ସରକାର କହିଛନ୍ତି ଯେ ଭାରତୀୟ ରାଷ୍ଟ୍ରଦୂତ ପ୍ରତିଶ୍ରୁତି ଦେଇଛନ୍ତି ତାଙ୍କ ଦେଶ ଆଫଗାନିସ୍ତାନରେ ଏକ ଆଫଗାନ-ହିନ୍ଦୁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଯୋଜନା ଉପରେ କାମ କରିବ । ସେ କହିଛନ୍ତି ଯେ ଏହି ଗବେଷଣା ପ୍ରତିଷ୍ଠାନ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବ । ସେ କୃଷି ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କ କ୍ଷମତାକୁ ସୁଧାରିବା ପାଇଁ ସିଧାସଳଖ ଏବଂ ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଭାରତ-ଆଫଗାନ ସମ୍ପର୍କ ନିକଟ ଅତୀତରେ ଉନ୍ନତ ହୋଇଛି । ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ତାଲିବାନ ସହ ସମ୍ପର୍କକୁ ନୂଆ ଭାବରେ ପରିଭାଷିତ କରିବା ଆରମ୍ଭ କରିଛି । ଭାରତ ଆଫଗାନିସ୍ତାନରେ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ବହୁଳ ନିବେଶ କରିଥିଲା, ଯେଉଁଥିରେ ୩ ବିଲିୟନରୁ ଅଧିକ ପ୍ରକଳ୍ପ ସାମିଲ ଥିଲା । ଏଥିରେ ରାସ୍ତା, ବନ୍ଧ, ଏବଂ ସଂସଦ ଭବନର ନିର୍ମାଣ ସାମିଲ ଅଛି ।

ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ନିଜ ଦୂତାବାସକୁ ବନ୍ଦ କରି ଦେଇଥିଲା, କିନ୍ତୁ ନିକଟ ବର୍ଷଗୁଡ଼ିକରେ ରଣନୀତିକ ଆବଶ୍ୟକତା ଏହାକୁ ପୁଣି ଥରେ ଯୋଡ଼ିଛି । ୨୦୨୫ରେ ଭାରତ ତାଲିବାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକିଙ୍କ ସହ କୂଟନୈତିକ ଆଲୋଚନା ଆରମ୍ଭ କରିଥିଲା, ଯେଉଁଥିରେ ଚାବହାର ବନ୍ଦର ମାଧ୍ୟମରେ ବାଣିଜ୍ୟ ଏବଂ ଆଞ୍ଚଳିକ ସମ୍ପର୍କ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା । ନିକଟରେ ହୋଇଥିବା ଭୂକମ୍ପ (ନଭେମ୍ବର ୨୦୨୫) ପରେ ଭାରତ ୧୫ ଟନ୍ ଖାଦ୍ୟ ସହାୟତା ପଠାଇଛି ଏବଂ ଆଫଗାନିସ୍ତାନକୁ ଲଗାତାର ସାହାଯ୍ୟ କରୁଛି । ଭାରତର ଏହି ପଦକ୍ଷେପ ଚୀନ୍ ଏବଂ ପାକିସ୍ତାନର ପ୍ରଭାବକୁ କମ କରିବାକୁ ଏକ ପ୍ରୟାସ। ଯେଉଁମାନଙ୍କର ତାଲିବାନ ଉପରେ ପ୍ରଭାବ ରହିଛି । ଯଦିଓ ଭାରତ ତାଲିବାନକୁ ଆନୁଷ୍ଠାନିକ ଭାବରେ ମାନ୍ୟତା ଦେଇନାହିଁ, ବରଂ ବ୍ୟାବହାରିକ ସହଯୋଗ ଉପରେ ଗୁରୁତ୍ୱ ଦେଇଛି । 

ଭାରତ-ଆଫାଗାନିସ୍ତାନ ମଧ୍ୟରେ ସୁଧୁରୁଥିବା ଏହି ସମ୍ପର୍କ ଏବେ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି । ନିକଟରେ ଭାରତ-ଆଫଗାନିସ୍ତାନର ସମ୍ପର୍କରେ ବିଚଳିତ ହୋଇ ପାକିସ୍ତାନ ତାଲିବାନ ଉପରେ ଆକ୍ରମଣ କରିଥିଲା । ଯାହା ଯୁଦ୍ଧରେ ପରିଣତ ହୋଇଥିଲା । ତାଲିବାନ ମଧ୍ୟ ଯୁଦ୍ଧରେ ପାକିସ୍ତାନକୁ ନାକେଦମ କରିଥିଲା । ଆଉ ଆଫଗାନିସ୍ତାନ- ପାକିସ୍ତାନ ଯୁଦ୍ଧ ଭିତରେ ଭାରତର ଏଣ୍ଟ୍ରି ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି ।