କନକ ବ୍ୟୁରୋ: ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ଚତୁର୍ଥ ମୁକାବିଲା ଆଜି(ବୁଧବାର)ଠାରୁ ମାଞ୍ଚେଷ୍ଟର୍ର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମ୍ରେ ଖେଳାଯିବ । ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଏଣୁ ଶୃଙ୍ଖଳା ବଞ୍ଚାଇବା ଲାଗି ମାଞ୍ଚେଷ୍ଟର୍ ମ୍ୟାଚ୍ ଭାରତ ଲାଗି କର ବା ମର ସଦୃଶ ହେବ । ଅର୍ଥାତ୍ ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେଲେ ଭାରତୀୟ କ୍ରିକେଟ୍ ଦଳକୁ ଏହି ମ୍ୟାଚ୍ ଜିତିବା କିମ୍ବା ଅମୀମାଂସିତ(ଡ୍ର') ରଖିବାକୁ ପଡ଼ିବ । ତାହା ଇଂଲଣ୍ଡ ୩-୧ର ଅପରାଜେୟ ଅଗ୍ରଣୀ ଲାଭ କରି ‘ଦି ଓଭାଲ’ଠାରେ ଜୁଲାଇ ୩୧ ତାରିଖରୁ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମୁକାବିଲା ପୂର୍ବରୁ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ପ୍ରଥମ ବିଜେତା ହେବ ।
ସ୍ପିନର୍ ସୋଏବ ବଶିର ଆହତ ହେବା ପରେ ଇଂଲଣ୍ଡ ଏକମାତ୍ର ପରିବର୍ତ୍ତନ ଭାବେ ଭେଟେରାନ୍ ସ୍ପିନର ଲିଆମ ଡ’ସନ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି । ଡ’ସନ୍ ୮ବର୍ଷ ପରେ ଇଂଲଣ୍ଡ ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଭାରତ ପାଇଁ କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଲାଗି ଦଳ ବାଛିବା କାଠିକର ପାଠ ହେବାକୁ ଯାଉଛି । ଅଲରାଉଣ୍ଡର୍ ନୀତିଶ କୁମାର ରେଡ୍ଡୀ ଏବଂ ଦୁଇ ଦ୍ରୁତ ବୋଲର ଆକାଶଦୀପ ଓ ଅର୍ଶଦୀପ ସିଂହ ଏହି ମ୍ୟାଚ୍ରୁ ବାଦ୍ ପଡ଼ିସାରିଛନ୍ତି । ବିଶେଷ କରି ବର୍ମିଂହାମ ଟେଷ୍ଟ୍ରେ ୧୦ ୱିକେଟ୍ ଅକ୍ତିଆର କରିଥିବା ଆକାଶ ଦୀପ ମାଞ୍ଚେଷ୍ଟର୍ ଟେଷ୍ଟ୍ରୁ ବାଦ୍ ପଡ଼ିବା ଭାରତ ପାଇଁ ବହୁତ ବଡ଼ ଝଟ୍କା ହୋଇଛି । ତାଙ୍କ ସ୍ଥାନ ନେବାକୁ ଥିବା ଅର୍ଶଦୀପ ସିଂହ ମଧ୍ୟ ଉପଲବ୍ଧ ନହେବା ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ମସ୍ତବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏଣୁ ହରିୟାଣାର ଯୁବ ବୋଲର ଅଂଶୁଲ କମ୍ବୋଜଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜ ପୂରା ଫିଟ୍ ଥିବା ଅଧିନାୟକ ଶୁବମନ୍ ଗିଲ୍ ସ୍ପଷ୍ଟ କରିଛନ୍ତି । ଭାରତ ଯଦି ତିନି ଜଣ ପେସର୍ଙ୍କୁ ନେଇ ପଡ଼ିଆକୁ ଓହ୍ଲାଏ, ତାହେଲେ ଅଂଶୁଲ ଏବଂ ପ୍ରଥମ ଦୁଇ ଟେଷ୍ଟ୍ରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରି ନଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭିତରୁ ଜଣଙ୍କୁ ସୁଯୋଗ ମିଳିପାରେ । ମାଞ୍ଚେଷ୍ଟର୍ରେ ଅଂଶୁଲ ଟେଷ୍ଟ୍ ପଦାର୍ପଣ କରିବାର ଅତି ନିକଟରେ ଅଛନ୍ତି ବୋଲି ଗିଲ୍ କହିସାରିଛନ୍ତି । ଏଣୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରିବର୍ତ୍ତେ ଅଂଶୁଲ ଏହି ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇବା ଦାବି ଜୋର ଧରିଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ପନ୍ତ ୱିକେଟ୍ ରକ୍ଷଣ ଦାୟିତ୍ୱ ତୁଲାଇଲେ ନୀତିଶ କୁମାର ରେଡ୍ଡୀଙ୍କ ବଦଳରେ ସଂରକ୍ଷିତ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲ କିମ୍ବା ସାଇ ସୁଦର୍ଶନ ତାଙ୍କ ସ୍ଥାନ ନେଇ ପାରନ୍ତି ।
କରୁଣଙ୍କୁ ପୁଣି ଏକ ସୁଯୋଗ
ଘରୋଇ କ୍ରିକେଟ୍ ସହ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରି କରୁଣ ନାୟର ୮ବର୍ଷର ବ୍ୟବଧାନ ପରେ ଭାରତୀୟ ଦଳକୁ ଫେରିଥିଲେ । ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ଗତ ତିନିଟି ଯାକ ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ପାଇଛନ୍ତି । ପ୍ରଥମ ମ୍ୟାଚ୍ରେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିଥିଲେ । ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଗୁରୁତ୍ୱପୂର୍ଣ୍ଣ ତୃତୀୟ ସ୍ଥାନରେ ଖେଳିଥିଲେ । ହେଲେ ୬ଟିଯାକ ପାଳିରେ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି । ୪୦ ରନ୍ର ସର୍ବୋଚ୍ଚ ସ୍କୋର୍ ସହ ଠିକଣା ସମୟରେ ସେ ନିଜ ୱିକେଟ୍ ଫିଙ୍ଗି ଦେଇଛନ୍ତି । ଲର୍ଡସ ଟେଷ୍ଟ୍ର ଦ୍ୱିତୀୟ ପାଳିରେ ତାଙ୍କ ବିଫଳତା ଦଳ ପରାଜୟର ଅନ୍ୟତମ କାରଣ ହୋଇଥିଲା । ତଥାପି ଅଧିନାୟକ ଶୁବମନ୍ ଗିଲ୍ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସେ ଚତୁର୍ଥ ଟେଷ୍ଟ୍ ଖେଳିବେ ବୋଲି ସ୍ପଷ୍ଟ ସୂଚନା ଦେବା ସହ ଖୁବଶୀଘ୍ର କରୁଣ ଫର୍ମକୁ ଫେରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ଗିଲ୍ । ଉପଅଧିନାୟକ ତଥା ୱିକେଟ୍ ରକ୍ଷକ ଋଷଭ ପନ୍ତ ମାଞ୍ଚେଷ୍ଟରରେ ୱିକେଟ୍ ରକ୍ଷଣ କରିବା ନେଇ ସଂଶୟ ସୃଷ୍ଟି ହୋଇଥିଲା । ଗିଲ୍ କିନ୍ତୁ ସଂଶୟକୁ ଦୂର କରିଛନ୍ତି । ପନ୍ତ ଓଲ୍ଡ ଟ୍ରାଫୋର୍ଡରେ ୱିକେଟ୍ ରକ୍ଷଣ କରିବେ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ରଣନୀତିକୁ ପ୍ରଭାବିତ କରିପାରେ ପାଗ
ମାଞ୍ଚେଷ୍ଟର୍ ଟେଷ୍ଟ୍ର ପ୍ରଥମ ସହ ମୋଟ ୫ଦିନ ଭିତରୁ ୪ଦିନ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ସବୁ ଦିନ କିନ୍ତୁ ଆକାଶ ମେଘାଚ୍ଛନ୍ନ ରହିବ । ଏଭଳି ସ୍ଥିତିରେ ଟସ୍ର ମହତ୍ତ୍ବ ବଢ଼ିଯିବ । ପାଗ ଓ ପରିବେଶ ମଧ୍ୟ ଉଭୟ ଦଳର ରଣନୀତି ଉପରେ ପ୍ରଭାବ ପକାଇବ । ଆଘାତ ଜନିତ ସମସ୍ୟା ଦେଇ ଗତି କରୁଥିବା ଭାରତ ପାଇଁ ଟସ୍ ଜିତିବା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତୀୟ ଦଳ ଓଲ୍ଡ ଟ୍ରାଫୋର୍ଡରେ କେବେ ବି ଗୋଟିଏ ମଧ୍ୟ ମ୍ୟାଚ୍ ଜିତିନି । ୧୯୩୬ ମସିହାରୁ ଏଠାରେ ଖେଳିବା ଆରମ୍ଭ କରିଥିଲେ ମଧ୍ୟ ଗତ ୮୯ ବର୍ଷ ମଧ୍ୟରେ ଏଠାରେ ବିଜୟ ସ୍ୱାଦ ଚାଖି ପାରିନି ଭାରତ । ଏଥର ଜିତିଲେ ଚଳିତ ଗସ୍ତରେ ବର୍ମିଂହାମ ଭଳି ମାଞ୍ଚେଷ୍ଟର୍ରେ ଜିତିବାର ବିରଳ ଅଧ୍ୟାୟ ନିଜ ଇତିହାସରେ ଯୋଡ଼ିପାରିବ ଗିଲ୍ଙ୍କ ଯୁବ ଦଳ ।
ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, କରୁଣ ନାୟର, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ରକ୍ଷକ, ଉପଅଧିନାୟକ), ଧ୍ରୁବ ଜୁରେଲ/ସାଇ ସୁଦର୍ଶନ, ରବୀନ୍ଦ୍ର ଜାଡ଼େଜା, ୱାସିଂଟନ୍ ସୁନ୍ଦର, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ, ଅଂଶୁଲ କମ୍ବୋଜ
ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍ରକ୍ଷକ), ଲିଆମ ଡ’ସନ୍, କ୍ରିସ୍ ଓକ୍ସ, ବାଏଡନ୍ କାର୍ସ, ଜୋଫ୍ରା ଆର୍ଚର
ଷ୍ଟୋକ୍ସଙ୍କ ଚେତାବନୀ, ସ୍ଲେଜିଂ କଲେ ଛାଡ଼ିବୁନି
ମାଞ୍ଚେଷ୍ଟର୍ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ପ୍ରତିପକ୍ଷ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି । ନିଜ ତରଫରୁ ସ୍ଲେଜିଂ କରିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଭାରତୀୟ ଖେଳାଳିମାନେ ସ୍ଲେଜିଂ ଆରମ୍ଭ କଲେ ଛାଡ଼ିବୁନି ବୋଲି ମଙ୍ଗଳବାର ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିନେଇ ହୋଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଷ୍ଟୋକ୍ସ କହିଛନ୍ତି, ଆମେ ସ୍ଲେଜିଂ କରିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ ନାହିଁ । ଆମେ ଏହାକୁ ଆରମ୍ଭ କରିବାକୁ ମଧ୍ୟ ଯୋଜନା କରିନୁ । କାରଣ ଏଭଳି କଲେ ଆମେ ଏକାଗ୍ରତା ହରାଇବାର ଆଶଙ୍କା ରହିଛି । ହେଲେ ଭାରତୀୟ ଖେଳାଳି ଯଦି ଆଗୁଆ ସ୍ଲେଜିଂ କରିବା ଆରମ୍ଭ କରନ୍ତି, ତାହେଲେ ସେମାନଙ୍କୁ ଉଚିତ ଜବାବ ଦେବାକୁ ଆମେ ପଛଘୁଞ୍ଚା ଦେବୁନି ।
ଇଂଲଣ୍ଡ ରଣନୀତିକୁ ଗିଲ୍ଙ୍କ ସମାଲୋଚନା
ଲର୍ଡସ ଟେଷ୍ଟ୍ ଅବସରରେ ଇଂଲଣ୍ଡ ଆପଣାଇଥିବା ସମୟ ଅପଚୟ ନୀତିକୁ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ମାଞ୍ଚେଷ୍ଟର୍ ଟେଷ୍ଟ୍ ପୂର୍ବରୁ ସମାଲୋଚନା କରିଛନ୍ତି । ଏହା ଖେଳୁଆଡ଼ ମନୋଭାବ ନୁହେଁ ବୋଲି କହି ଗିଲ୍ ଏକ ସାକ୍ଷାତକାରରେ ମତ ରଖିଛନ୍ତି, ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେ ଯେ ସେଦିନ ୭ ମିନିଟ୍ର ଖେଳ ବାକିଥିଲା । ସେମାନେ କ୍ରିଜ୍କୁ ୧୦, ୨୦ କିମ୍ବା ୩୦ ସେକେଣ୍ଡ ନୁହେଁ, ପୂରା ୯୦ ସେକେଣ୍ଡ୍ ବିଳମ୍ବରେ ଆସିଥିଲେ । ଅବଶ୍ୟ ଅଧିକାଂଶ ଦଳ ଏମିତି କରନ୍ତି । ତେବେ ଏହାକୁ ମୁଁ ଖେଳୁଆଡ଼ ମନୋଭାବ ବୋଲି କହି ପାରିବି ନାହିଁ । ସମୟ ଅପଚୟର ଅନ୍ୟ ବାଟ ବି ଅଛି । ବିଳମ୍ବରେ କ୍ରିଜ୍କୁ ଆସିବା ଆଦୌ ଗ୍ରହଣୀୟ ନୁହେଁ । ସୂଚନାଯୋଗ୍ୟ ଯେ ଏହି ଟେଷ୍ଟ୍ର ପ୍ରଥମ ପାଳିରେ ଇଂଲଣ୍ଡର ୩୮୭ ରନ୍ର ସମକକ୍ଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ତୃତୀୟ ଦିନର ଷ୍ଟମ୍ପ୍ସ ପୂର୍ବରୁ ଅନ୍ୟୂନ ୨ ଓଭର ବୋଲିଂ କରିବାକୁ ଚାହୁଥିଲା । ହେଲେ ଇଂଲଣ୍ଡର ଏଭଳି ବିତର୍କିତ ରଣନୀତି ଲାଗି କେବଳ ଗୋଟିଏ ଓଭର ହିଁ ବୋଲିଂ କରିପାରିଥିଲା ଟିମ୍ ଇଣ୍ଡିଆ ।