SPACE STATION Photograph: (KANAK NEWS)
କନକ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମହାକାଶ ବିଜ୍ଞାନ ଜଗତରେ ଆଉ ଏକ ବଡ଼ ଲମ୍ଫ ମାରିବାକୁ ଯାଉଛି । ଭାରତୀୟ ମହାକାଶ ସଂସ୍ଥା ଏପର୍ଯ୍ୟନ୍ତ ଏହାର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ, ଭାରତୀୟ ମହାକାଶ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛି । ଆଉ ଏହି ପ୍ରୋଜେକ୍ଟରେ ସାମିଲ୍ ହେବା ପାଇଁ ଇସ୍ରୋ ଭାରତୀୟ ଶିଳ୍ପକୁ ଆମନ୍ତ୍ରଣ କରିଛି। ଏହି ପଦକ୍ଷେପ ଭାରତକୁ ମହାକାଶରେ ନିଜସ୍ୱ ସ୍ଥାୟୀ ଷ୍ଟେସନ ଥିବା କିଛି ବଛା ବଛା ଦେଶମାନଙ୍କ ମଧ୍ୟରେ ସାମିଲ କରିବ।
ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (VSSC) ଭାରତୀୟ କମ୍ପାନିଗୁଡ଼ିକ ପାଇଁ ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ' ଜାରି କରିଛି। ଯାହା ମାଧ୍ୟମରେ ଘରୋଇ କ୍ଷେତ୍ରର କମ୍ପାନିଗୁଡ଼ିକୁ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍, BAS-01 ନିର୍ମାଣ କରିବାକୁ ଆମନ୍ତ୍ରଣ କରାଯାଇଛି।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହାର ପ୍ରଥମ ପର୍ଯ୍ୟାୟ ୨୦୨୮ରେ ଆରମ୍ଭ ହେବ। ଏହାର ଲକ୍ଷ୍ୟ ହେଉଛି ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ (BAS-01) ଲଞ୍ଚ କରିବା। ଏହି ପ୍ରୋଜେକ୍ଟ ୨୦୩୫ ସୁଦ୍ଧା ଶେଷ ହେବ। ଏହି ସମୟ ଭିତରେ ସମସ୍ତ ପାଞ୍ଚଟି ମଡ୍ୟୁଲ୍ ସ୍ଥାନରେ ରହିବା ସହିତ, ଷ୍ଟେସନଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏହାକୁ ପ୍ରାୟ ୪୦୦-୪୫୦ କିଲୋମିଟର ଉଚ୍ଚତାରେ ନିମ୍ନ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯିବ। ପ୍ରାରମ୍ଭିକ ଭାବରେ, ଏଥିରେ ତିନିରୁ ଚାରି ଜଣ ମହାକାଶଚାରୀଙ୍କୁ ରହିପାରିବେ ଆଉ ବୈଜ୍ଞାନିକ ପରୀକ୍ଷଣ କରିପାରିବେ।
ଆହୁରି ପଢ଼ନ୍ତୁ : ବାଘ ସହ ମଣିଷର ଲଢ଼େଇ : ବାଘର ମୃତ୍ୟୁ , ଯୁବକ ଗୁରୁତର
ତେବେ ଭାରତୀୟ କମ୍ପାନିଗୁଡ଼ିକ ପାଇଁ ISRO କଠୋର ମାନଦଣ୍ଡ ସ୍ଥିର କରିଛି, କାରଣ ଏହି ମଡ୍ୟୁଲ୍ଗୁଡ଼ିକ ମଣିଷ ପାଇଁ ବାସଯୋଗ୍ୟ ହେବ। ପ୍ରତ୍ୟେକ ମଡ୍ୟୁଲ୍ର ବ୍ୟାସ ୩.୮ ମିଟର ଏବଂ ଉଚ୍ଚତା ୮ ମିଟର ହେବ। ଏଗୁଡ଼ିକ ଉଚ୍ଚ-ଶକ୍ତି ଆଲୁମିନିୟମ୍ ମିଶ୍ରଧାତୁ (AA-2219) ରୁ ନିର୍ମିତ ହେବ। ନିର୍ମାଣରେ ୦.୫ ମିଲିମିଟର ତ୍ରୁଟି ମଧ୍ୟ ଗ୍ରହଣୀୟ ହେବ ନାହିଁ। କମ୍ପାନିଗୁଡ଼ିକୁ ସ୍ୱତନ୍ତ୍ର ୱେଲ୍ଡିଂ ଏବଂ ନିର୍ମାଣ କୌଶଳ ବିକଶିତ କରିବାକୁ ପଡିବ।
Follow Us