କନକ ବ୍ୟୁରୋ: ପହଲଗାମ ଆକ୍ରମଣକୁ ୭ ଦିନ ବିତିଲାଣି । ଆଉ ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ମାରଥନ ବୈଠକ କରିଛନ୍ତି । ଆତଙ୍କବାଦୀଙ୍କ ଆକା ପାକିସ୍ତାନକୁ ପାନେ ଦେବା ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି । ତିନି ସେନା ମୁଖ୍ୟଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଇବା ପରେ ସ୍ଥଳ, ଜଳ, ଆକାଶ ବାହିନୀ ପ୍ରସ୍ତୁତ ହୋଇଛନ୍ତି । ନିର୍ଦ୍ଦେଶ ଆସିବା ପରେ କିଛି ଗୋଟେ ବଡ ପଦକ୍ଷେପ ନେବାକୁ ତୟାର ହୋଇ ରହିଛନ୍ତି । ଭାରତର ଏହି ପ୍ରସ୍ତୁତିକୁ ଦେଖି ପାକିସ୍ତାନ ଭୟଭୀତ ହୋଇପଡିଛି ।
ଭାରତ ଯଦି କୌଣସି ଆକ୍ରମଣ କରେ ସେଥିରୁ ବଂଚିବା ପାଇଁ କେତେକ ପଦକ୍ଷେପ ନେଇଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ଭାରତର ଏୟାରଷ୍ଟ୍ରାଇକ ନେଇ ଆଗୁଆ ସୂଚନା ପାଇବା ପାଇଁ ପାକିସ୍ତାନୀ ସେନା ସିଆଲକୋଟ ସୀମାରେ ନିଜର ରାଡାର ମୂତୟନ କରିଛି । ଫିରୋଜପୁରକୁ ଲାଗି ରହିଥିବା ଅଂଚଳରେ ଭାରତୀୟ ସେନାର ଗତିବିଧିକୁ ଜାଣିବା ପାଇଁ ଇଲୋକଟ୍ରୋନିକ ୱାରଫେୟାରକୁ ମୂତୟନ କରାଯାଇଛି । ପୂର୍ବରୁ ଭାରତ-ପାକ୍ ସୀମାଠାରୁ ପ୍ରାୟ ୫୮ କିଲୋମିଟର ଦୂର ସ୍ଥାନରେ ଟିପିଏସ- ୭୭ ରାଡାରକୁ ମୂତୟନ କରିଥିଲା ପାକ୍ ସେନା ।..
ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ପ୍ରତିଶୋଧ ନେବାକୁ ପଣ କରିଛି ଭାରତ। ଆତଙ୍କବାଦୀ ଓ ସେମାନଙ୍କୁ ବର୍ଷ ବର୍ଷ ଧରି ପାଳି ଆସୁଥିବା ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସାରାଦେଶରୁ ଦାବି ଉଠୁଛି । ଦଳ ମତ ନିର୍ବିଶେଷରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଦାବି ହେଉଛି ।