କନକ ବ୍ୟୁରୋ: ପଛରେ ପଡ଼ିଲା ଜାପାନ । ଭାରତ ପାଲଟିଲା ବିଶ୍ବର ଚତୁର୍ଥ ବଡ଼ ଅର୍ଥନୀତି । ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଏନେଇ ସୂଚନା ଦେଇଛନ୍ତି ନିତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମ । ସାରା ବିଶ୍ୱ ଉପରେ ଟ୍ରମ୍ପଙ୍କ ଟାରିଫ୍ ନୀତିର ପ୍ରଭାବ ପଡ଼ିଥିବା ବେଳେ ଅର୍ଥନୀତିରେ ଭାରତକୁ ଏହି ଐତିହାସିକ ସଫଳତା ମିଳିଛି । ଭାରତର ଏହି ବଡ଼ ଉପଲବ୍ଧିକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଛି ।
- ଝୁଣ୍ଟୁଛି ବିଶ୍ୱ, ବଢୁଛି ଭାରତ
- ଜାପାନକୁ ଦେଲା ମାତ୍
- ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି
ଲମ୍ୱ ଡିଆଁ ମାରିଛି ଭାରତର ଅର୍ଥନୈତିକ ବ୍ୟବସ୍ଥା । ଜାପାନକୁ ପଛରେ ପକାଇ ପଞ୍ଚମ ସ୍ଥାନରୁ ଗୋଟିଏ ସୋପାନ ଉପରକୁ ଉଠି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇଛି । ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ନିତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି...
- ବିଶ୍ୱ ଅର୍ଥନୀତି ଏବେ ଭାରତର ଅନୁକୂଳ ହୋଇଛି
- ଭାରତ ଏବେ ୪ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚିଛି
- ଆମେରିକା, ଚୀନ, ଜର୍ମାନୀ ପରେ ଅଛି ଭାରତ
- ଆଗାମୀ ୩ ବର୍ଷରେ ତୃତୀୟ ସ୍ଥାନକୁ ହୋଇପାରେ ଉନ୍ନୀତ
ପାକିସ୍ତାନ ସହ ଯୁଦ୍ଧ ସ୍ଥିତି, ସୀମାରେ ଉତ୍ତେଜନା ଏବଂ ଟ୍ରମ୍ପଙ୍କ ଟାରିଫ୍ ନୀତି ମଧ୍ୟ ଭାରତକୁ ଚତୁର୍ଥ ବୃହତ୍ତ ଅର୍ଥନୀତିରେ ପରିଣତ ହେବାରେ ଅଟକାଇ ପାରିନାହିଁ ।
- କେମିତି ମାତ୍ ଖାଇଲା ଜାପାନ?
- ଭାରତ ଅଭିବୃଦ୍ଧିର ଚମତ୍କାର!
ଆଇଏମଏଫ୍ ରିପୋର୍ଟ ଅନୁସାରେ ଜାପାନର ଅର୍ଥନୀତି ୪.୧୮୬ ଟ୍ରିଲିୟନ ଡଲାର ଥିବା ବେଳେ ଭାରତର ଅର୍ଥନୀତି ୪.୧୮୭ ଟ୍ରିଲିୟନ ଡଲାରକୁ ଛୁଇଁଛି । ଆର୍ଥିକ ବର୍ଷ ୨୦୨୫ରେ ଅଭିବୃଦ୍ଧି ହାର ୬.୮ %ରହିବା ଆକଳନ କରାଯାଇଛି । ଅର୍ଥାତ ଭାରତର ଅର୍ଥନୀତି କ୍ଷୀପ୍ର ଗତିରେ ବଢ଼ିବ ।
- ୨୦୧୫ରେ ଭାରତର ଅର୍ଥନୀତି ଥିଲା ୨ ଲକ୍ଷ ୧୦ ହଜାର କୋଟି ଡଲାର
- ୨୦୨୫ରେ ଭାରତର ଅର୍ଥନୀତି ହେଲା ୪ ଲକ୍ଷ ୧୦ ହଜାର କୋଟି ଡଲାର
- ୧୦ ବର୍ଷ ଭିତରେ ଭାରତ ୧୦୫% ହାରରେ ଅଭିବୃଦ୍ଧି ଦେଖିଛି
- ୧୦ ବର୍ଷରେ ଆମେରିକା ୬୬%, ଚୀନ ୭୬%, ଜର୍ମାନୀର ୪୪% ଜିଡିପି ବୃଦ୍ଧି
ଦେଶରେ ଦାରିଦ୍ର୍ୟ କମିଛି, ନିବେଶ ବଢ଼ିଛି, କୃଷିକ୍ଷେତ୍ର, ହୋଟେଲ ଶିଳ୍ପ, ପରିବହନ, ନିର୍ମାଣ କ୍ଷେତ୍ରର ଦମଦାର ପ୍ରଦର୍ଶନ ଯୋଗୁଁ ଜାପାନକୁ ପଛରେ ପକାଇଛି ଭାରତ । ଦେଶର ଅଭିବୃଦ୍ଧି ସହ ଓଡ଼ିଶା ମଧ୍ୟ ପାଦ ମିଶାଇ ୨୦୩୬ର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ ଅନୁସାରେ ୨୦୨୭ ସୁଦ୍ଧା ଭାରତ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହୋଇପାରେ ।