କନକ ବ୍ୟୁରୋ : ଖାଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜରର ହତ୍ୟା ମାମଲାରେ କାନାଡାର ଟ୍ରୁଡୋ ସରକାରକୁ ଭାରତ ସରକାର ଜୋରଦାର ଟାର୍ଗେଟ୍ କରିଛନ୍ତି । ଭାରତର ବିଦେଶ ମନ୍ତ୍ରଣାଳୟ ସୋମବାର କହିଛି ଯେ କାନାଡାର ବ୍ୟବହାର ଏହି ମାମଲାରେ ଅତ୍ୟନ୍ତ ଆପତ୍ତିଜନକ ଏବଂ ଦୁଇ ଦେଶର ସମ୍ପର୍କ ପାଇଁ ଠିକ୍ ନୁହେଁ । କାନାଡା ରବିବାର କହିଥିଲା ଯେ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି ଏବଂ ଏମାନଙ୍କୁ ପର୍ସନ ଅଫ୍ ଇନଟ୍ରେଷ୍ଟ ବୋଲି କହିଥିଲା । ଅର୍ଥାତ୍ କାନାଡା ସରକାର ଭାରତୀୟ ହାଇକମିଶନ ଏବଂ କୂଟନୀତିଜ୍ଞଙ୍କ ଏହି ମାମଲାରେ ସନ୍ଦିଗ୍ଧ ମାନୁଛି । ଭାରତ ସରକାର ସୋମବାର କାନାଡାକୁ କଡ଼ା ଜବାବ ଦେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଟ୍ରୁଡୋ ସରକାର ବିନା କୌଣସି ପ୍ରମାଣରେ ଲଗାତାର ଭିତ୍ତିହୀନ ଅଭିଯୋଗ ଆଣୁଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ରାଜନୈତିକ ଏଜେଣ୍ଡା ଚଲାଇବା ପାଇଁ ଏହିପରି ଭିତ୍ତିହୀନ ଅଭିଯୋଗ ଆଣି ଭାରତର ଛବି ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି । ଭାରତ ସରକାର କହିଛନ୍ତି ଯେ ଟ୍ରୁଡୋ ସରକାରଙ୍କ ଏହି ଏଜେଣ୍ଡା ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରେରିତ ଅଟେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ୨୦୨୩ ସେପ୍ଟେମ୍ୱରରେ ଟ୍ରୁଡୋଙ୍କ ଦ୍ୱାରା ଭିତ୍ତିହୀନ ଅଭିଯୋଗ କରାଯିବା ପରଠୁ କାନାଡା ସରକାର ଗୋଟିଏ ବି ପ୍ରମାଣ ଦେଇ ନାହିଁ । ଅନ୍ୟପଟେ ଭାରତ ସରକାର ଅନେକ ଥର ଏହି ମାମଲାରେ ପ୍ରମାଣ ମାଗି ସାରିଛି । ଏମଇଏ ସନ୍ଦେହ ପ୍ରକାଶ କରିଛି ଯେ ନିଜ୍ଜର ହତ୍ୟାକାଣ୍ଡର ତଦନ୍ତ ଜରିଆରେ ଭାରତର ଛବିକୁ ଖରାପ କରି ରାଜନୈତିକ ଲାଭ ହସାଲ ପାଇଁ ଉଦ୍ୟମ କରାଯାଉଛି ।