କନକ ବ୍ୟୁରୋ : ଭାରତ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ କରିଛି ସମାଲୋଚନା । ଜେନେଭାରେ ଅନୁଷ୍ଠିତ ଜାତିସଂଘ ମାନବିକ ଅଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଭାରତ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଦୃଢ଼ ନିନ୍ଦା କରିଛି । କଶ୍ମୀର ଉପରେ ପାକିସ୍ତାନର ଦାବିକୁ ଭାରତ 'ମିଛ ଓ ମନଗଢ଼ା' ବୋଲି କହିଛି । ଭାରତ କହିଛି ଯେ, ଜମ୍ମୁ-କଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଛି ଆଉ ରହିବ । ପାକର ମିଛକୁ ପର୍ଦ୍ଦାଫାଶ କରି ଭାରତ କହିଛି ଯେ, ପ୍ରଥମେ ସେ ଅବୈଧ ଭାବେ ଭାବେ ମାଡ଼ିବସିଥିବା ପିଓକେକୁ ଛାଡ଼ୁ । ପାକିସ୍ତାନକୁ କଡ଼ା ଶବ୍ଦରେ ଏଭଳି ଚେତାବନୀ ଦେଇଛନ୍ତି ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ।
ପ୍ରଥମେ ପାକିସ୍ତାନୀ କୂଟନୀତିଜ୍ଞ ଭାରତ ବିରୋଧରେ ଉତ୍ତେଜକ ବୟାନ ଦେଇଥିଲେ । ଏହା ପରେ ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ମାନବିକ ଅଧିକାର ଉଲ୍ଲଂଘନ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲେ । ସେ କହିଛନ୍ତି ଯେ ଜାତିସଂଘ ମାନବାଧିକାର ପରିଷଦ ନିରପେକ୍ଷ ଏବଂ ଅଣ-ଚୟନଶୀଳ ହେବା ଉଚିତ୍ । ଯଦି କିଛି ନିର୍ଦ୍ଦିଷ୍ଟ ଦେଶ ଉପରେ ଧ୍ୟାନ ଦିଆଯାଏ, ତେବେ ଆସୁଥିବା ଆହ୍ୱାନରୁ ଧ୍ୟାନ ବିଭ୍ରାନ୍ତ ହେବ ।
ସେ ପାକିସ୍ତାନକୁ କଡ଼ା ଜବାବ ଦେଇ ଆହୁରି ମଦ୍ୟ କହିଛନ୍ତି , ''ପାକିସ୍ତାନ ଏହି ମଞ୍ଚକୁ ଭାରତ ବିରୋଧରେ ଭୁଲ୍ ଭାବେ ବ୍ୟବହାର କରୁଛି । ତାକୁ ଆମ ଉପରେ ନଜର ରଖିବା ପରିବର୍ତ୍ତେ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କରିବା ଉଚିତ୍ । ସେମାନଙ୍କୁ ନିଜ ଅର୍ଥନୀତି ବଞ୍ଚାଇବା ଉପରେ ଧ୍ୟାନ ଦେବା ଉଚିତ୍, ଯାହା ଉପରେ ତାଙ୍କ ଜୀବନ ନିର୍ଭର କରେ ।''
ପହଲଗାମ ଆକ୍ରମଣକୁ ମନେ ପକାଇଲା ଭାରତ
କ୍ଷିତିଜ ତ୍ୟାଗୀ କହିଛନ୍ତି , ''ପାକିସ୍ତାନ ପଠାଇଥିବା ଆତଙ୍କବାଦୀମାନେ ଏହି ବର୍ଷ ଏପ୍ରିଲରେ ପହଲଗାମରେ ଆକ୍ରମଣ କଲେ । ଏସୱୁ କଣ ଆମେ ଭୁଲିଯିବୁ କି ,ନା ଉରି କିମ୍ବା ମୁମ୍ବାଇ ଆକ୍ରମଣକୁ ଭୁଲିଯିବୁ ? ଭାରତ ସହ ସମଗ୍ର ବିଶ୍ୱ ମଧ୍ୟ ପାକିସ୍ତାନର ଏହି କୁକାର୍ଯ୍ୟକୁ ଭୁଲିବ ନାହିଁ ।''
ଏହା ପୂର୍ବରୁ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କହିଥିଲେ , ପାକ୍ ଆଲୋଚନା ପାଇଁ ଚାହୁଛି କିନ୍ତୁ ଏହା ଅସମ୍ଭବ । କାରଣ ଆଲୋଚନା ଆଉ ରକ୍ତପାତ ଏକା ସାଙ୍ଗରେ ଅସମ୍ଭବ ,ଯଦି ପାକିସ୍ତାନ ଆଲୋଚନା କରିବାକୁ ଚାହୁଛି ତେବେ ପ୍ରଥମେ , ଅସ୍ତ୍ର ଛାଡ଼ , ରକ୍ତପାତ ବନ୍ଦ କର ଏବଂ ଆତଙ୍କବାଦ ହଟାଓ ।
ତେବେ ଏଥିରୁ ଏହା ତ ସ୍ପଷ୍ଟ ନିଶ୍ଚୟ ଭାରତ ଆନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମିଥ୍ୟା ପ୍ରଚାରର ଦୃଢ଼ ମୁକାବିଲା କରୁଛି ଏବଂ ନିଜର ସ୍ୱାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।