କନକ ବ୍ୟୁରୋ:  ଉସୁକାଇ ଫସିଗଲା ପାକିସ୍ତାନ, ଘରେ ପଶି ଆତଙ୍କୀସ୍ତାନକୁ ଛାରଖାର କଲା ଭାରତ । ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ପାକ୍‌ ହେଲା ଆତଙ୍କିତ । ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ହଜିଛି ନିଦ । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ବହୁସଂଖ୍ୟାରେ ‌ରକେଟ୍‌, ଡ୍ରୋନ୍‌ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରରେ ଭୀଷଣ ଆକ୍ରମଣ କରିଛି ।

Advertisment

ଏକା ସାଙ୍ଗରେ ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା ।  ପଠାନକୋଟ, ଉଧମପୁର ଏବଂ ଜମ୍ମୁ ସହରରେ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ୩ଟି ଡ୍ରୋନ୍‌କୁ ଖସାଇ ଦେଇଛି । ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ୨ଟି ଡ୍ରୋନ୍‌କୁ ଖସାଇ ଦିଆଯାଇଛି । ଭାରତୀୟ ପ୍ରତିରକ୍ଷା ବାହିନୀ ପାକିସ୍ତାନ ଦ୍ବାରା ବ୍ୟବହୃତ ଆମେରିକୀୟ ଯୁଦ୍ଧବିମାନ ଏଫ୍‌-୧୬ ଓ ଚୀନ ନିର୍ମିତ ୨ଟି ଜେଏଫ୍‌-୧୭ ଯୁଦ୍ଧବିମାନକୁ ଖସାଇ ଦେଇଛି । ଦୁଇଟି ଜେଏଫ୍‌-୧୭ ଯୁଦ୍ଧବିମାନ ଖସାଇଥିବା ଖବରକୁ ପାକିସ୍ତାନ ସ୍ବୀକାର କରିଥିଲେ ମଧ୍ୟ ଏଫ୍‌-୧୬ ବିମାନ ନେଇ ନିରବ ରହିଛି ।

ଜମ୍ମୁ କାଶ୍ମୀର ସମେତ ପଞ୍ଜାବ ଓ ରାଜସ୍ଥାନ ଆଦି ପ୍ରଦେଶଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି । ପଞ୍ଜାବର ଗୁରୁଦାସପୁର, ରାଜସ୍ଥାନର ବାରମେର୍‌, ଜୈସଲମେର୍‌, ଜମ୍ମୁର ବେସାମରିକ ବିମାନବନ୍ଦର, ସାମ୍ବା, ଆର୍‌ଏସ୍‌ପୁରା, ଆର୍ନିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ ଟା‌ର୍ଗେଟ କରି ପାକିସ୍ତାନ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ସୁରକ୍ଷାକର୍ମୀମାନେ ସ୍ପଷ୍ଟ କରିଛନ୍ତି । ତେବେ ଏ ସବୁକୁ ଭାରତର ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ଧ୍ବଂସ କରିଦେଇଛି । ଜମ୍ମୁର ଏକାଧିକ ସ୍ଥାନରେ ବଡ଼ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଲୋକମାନେ ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି । ପାକିସ୍ତାନ ପଟୁ ରକେଟ୍‌ ଓ ଗୋଳାମାଡ଼ ପରେ ଜମ୍ମୁକୁ ବ୍ଲାକ୍‌ଆଉଟ୍‌ କରି ଦିଆଯାଇଛି ।

ପଞ୍ଜାବର ଗୁରୁଦାସପୁର ଓ ପଠାନକୋଟ, ରାଜସ୍ଥାନର ବାରମେର‌୍, ଜୈସଲମେର୍‌ ଓ ଯୋଧପୁରକୁ ପ୍ରତିଦିନ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ଲାକଆଉଟ୍‌ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜସ୍ଥାନର ବିକାନେର୍‌ ଓ ଶ୍ରୀଗଙ୍ଗାନଗରରେ ଡ୍ରୋନ୍‌ ଉଡ଼ାଣ ଏବଂ ବାଣ ଫୁଟାଇବା ଉପରେ ସ୍ଥାନୀୟ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଜମ୍ମୁର ସାମ୍ବାରେ ଜୋର୍‌ଦାର ଗୋଳାମାଡ଼ ଓ ଡ୍ରୋନ୍‌ ଆକ୍ରମଣ ହୋଇଛି । ଜମ୍ମୁର ଚନ୍ନି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ପଟୁ ରକେଟ୍‌ ନିକ୍ଷେପ କରାଯାଇଛି । ଉଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଚନ୍ନି, ବାରମୁଳା, କୁପୱାଡ଼ା ଆଦି ସ୍ଥାନରେ ପାକିସ୍ତାନ ରକେଟ୍‌, ଡ୍ରୋନ୍ ଓ ଗୋଳା ମାଡ଼ କରିଛି । ଗୁରୁବାର ସଂଧ୍ୟାରେ ପ୍ରଥମେ ପାକିସ୍ତାନର ଗୋଟିଏ ଡ୍ରୋନ୍ ଜମ୍ମୁ ବିମାନବନ୍ଦରରେ ମାଡ଼ ହୋଇଥିଲା । ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ପାକିସ୍ତାନ ରକେଟ୍‌ ମାଡ଼ କରିଥିଲା । ଆକ୍ରମଣ ପରେ ରାତି ୮ଟାରେ ଜମ୍ମୁକୁ ବ୍ଲାକ୍‌ଆଉଟ୍‌ କରି ଦିଆଯାଇଥିଲା । ଏହାପରେ ପାକିସ୍ତାନରେ ପଶି ତାଣ୍ଡବ ରଚିଥିଲା ଭାରତୀୟ ସେନା ।