କନକ ବ୍ୟୁରୋ: ଆଉ କିଛି ଦିନ ମଧ୍ୟରେ ବିଶ୍ବରୁ ଏକଘରିକିଆ ହେବ ପାକିସ୍ତାନ, ଭାରତର ବିନା ରକେଟ ମାଡରେ ପାକିସ୍ତାନ ତ୍ରାହି-ତ୍ରାହି ଡାକିଲାଣି । ଅବସ୍ଥା ଏମିତି ଯେ, ମୁସଲିମ ଦେଶମାନେ ମଧ୍ୟ ପାକିସ୍ତାନଠାରୁ ମୁହଁ ମୋଡିଲେଣି । ଅନ୍ୟପଟେ ପାକିସ୍ତାନର ନେତାଙ୍କ ସ୍ବପ୍ନରେ ଆସୁଛି ସିଦ୍ଧୁ ଜଳ ଚୁକ୍ତି ବିବାଦ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏଥରକ ନିର୍ଣ୍ଣାୟକ ବଦଲା ।
ଡିଜିଟାଲ ଷ୍ଟ୍ରାଇକ, ୱାଟର ଷ୍ଟ୍ରାଇକ ପରେ ପାକିସ୍ତାନ ଉପରେ ଭାରତର ଅର୍ଥନୈତିକ ପ୍ରହାର । ଆତଙ୍କବାଦ ବିରୁଦ୍ଧରେ ଭାରତର ଆର୍ଥିକ ଜବାବ । ପାକିସ୍ତାନରୁ ଆମଦାନୀ ଓ ରପ୍ତାନୀ ହେଉଥିବା ସମସ୍ତ ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ । ପହଲଗାମ ଆକ୍ରମଣ ପରେ ଭାରତର ବଡ ଆକ୍ସନ । ବାଣିଜ୍ୟ ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ପାକିସ୍ତାନରୁ କୌଣସି ଦ୍ରବ୍ୟ ଆମଦାନୀ ବା ରପ୍ତାନୀ କରିବ ନାହିଁ ଭାରତ । ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ଏ କଥାକୁ ସ୍ପଷ୍ଟ କରିଛନ୍ତି , ଯଦି କୌଣସି ବିଶେଷ ପରିସ୍ଥିତିରେ ଭାରତ ପାକିସ୍ତନଠାରୁ କୌଣସି ସାମଗ୍ରୀ ଆମଦାନୀ କରିବ ତେବେ ଭାରତ ସରକାରଙ୍କ ପୂର୍ବ ସ୍ବୀକୃତି ଅନିବାର୍ଯ୍ୟ ଅଟେ । ଆତଙ୍କବାଦ ବିରୁଦ୍ଧରେ ଭାରତ ସରକାରଙ୍କର ଏହା କେବଳ ବ୍ୟବସାୟିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଆତଙ୍କ ବିରୁଦ୍ଧରେ ଭାରତର ଏହା ନିର୍ଣ୍ଣାୟକ ସନ୍ଦେଶ ଯେ ଶତ୍ରୁ ଦେଶକୁ ଆର୍ଥିକ କ୍ଷେତ୍ରରେ ବଡ ଝଟକା ଦେବାର ସାହସ ରଖେ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଆତଙ୍କବାଦ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଉପରେ ଆଲୋଚନା କରିଛନ୍ତି । ମୋଦୀ କହିଛନ୍ତି, ଆମେ ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ କଠୋର ଓ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବୁ । ଆଙ୍ଗୋଲାର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି ।
ଭାରତ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ ଦେଇଚାଲିଛି । ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାର ଚିଠିପତ୍ର ଓ ପାର୍ସଲ ଆଦାନ-ପ୍ରଦାନ ବନ୍ଦ କରିଛି । ଯୋଗାଯୋଗ ମନ୍ତ୍ରାଳୟ ଅନୁଯାୟୀ, ଉଭୟ ଆକାଶ ଓ ସ୍ଥଳପଥରେ ପାର୍ସଲ ସେବା ବନ୍ଦ ରହିବ । ଭାରତ ସରକାର ପାକିସ୍ତାନୀ ଜାହାଜକୁ ଭାରତୀୟ ଜଳସୀମା ଓ ବନ୍ଦରଗୁଡ଼ିକରେ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ।
ଭାରତ ପ୍ରତି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବାକୁ ପାକ୍ସେନା ଯୁଦ୍ଧାଭ୍ୟାସ କରୁଛି । ତିକ୍ତତାକୁ ଅଧିକ ବୃଦ୍ଧି କରିପାରେ ଏହି ମିସାଇଲ ପରୀକ୍ଷଣ । ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିପାରେ ପାକିସ୍ତାନ । କରାଚୀ ଉପକୂଳରେ ପରୀକ୍ଷଣ କରିବା ସମ୍ଭାବନା । ଏହି ମିସାଇଲ ବେଶ୍ ଶକ୍ତିଶାଳୀ । ସେପଟେ ପୁଣି ପାକ ନେତାଙ୍କ ସ୍ବପ୍ନରେ ସିଦ୍ଧୁ ଜଳ ବିବାଦ, ପାଣି ବନ୍ଦ ହେବା ପରେ ଚିନ୍ତାରେ ଆତଙ୍କିସ୍ତାନ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ପୁଣି ଥରେ ଭାରତକୁ ଫମ୍ପା ଧମକ ଦେଇଛନ୍ତି । ଆସିଫ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀ ଉପରେ କୌଣସି ବନ୍ଧ ନିର୍ମାଣ କରେ, ତେବେ ପାକିସ୍ତାନ ଆକ୍ରମଣ କରିବ । ଆକ୍ରମଣ କେବଳ ଗୁଳି ମାଧ୍ୟମରେ କରାଯାଏ ନାହିଁ ।
ପାଣି ବନ୍ଦ କରିବା ମଧ୍ୟ ଏକ ଆକ୍ରମଣ । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସିନ୍ଧୁ ନଦୀ ଚୁକ୍ତି ଉଲ୍ଲଙ୍ଘନ କରି ଭାରତ ସିନ୍ଧୁ ନଦୀ ଉପରେ ଯଦି କୌଣସି ଡ୍ୟାମ୍ ନିର୍ମାଣ କରେ ତେବେ ଭାରତ ଉପରେ ଆକ୍ରମଣ କରିବ ପାକିସ୍ତାନ । ପାଣି ରୋକିବା ଦ୍ବାରା ଲୋକଙ୍କ ମୃତ୍ୟୁ ହେଲେ ଏହାକୁ ସିଧାସଳଖ ଆକ୍ରମଣାତ୍ମକ ପଦକ୍ଷେପ ବୋଲି ଧରିନିଆଯିବ ବୋଲି ଆସିଫ କହିଛନ୍ତି ।